ନୟାଗଡ଼, (ସବୁ୍ୟ): ନୟାଗଡ଼ ପୂରୁଣାସହର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଘୋଷ ଯାତ୍ରା ଅନୁଷ୍ଠିତ ହୋଇଛି । ଆଷାଢ଼ ଶୁକ୍ଳପକ୍ଷ ଦ୍ୱୀତିୟା ତିଥିରେ ଚତୁର୍ଦ୍ଧାମୂର୍ତ୍ତି ଗୁଣ୍ଡିଚା ଯାତ୍ରାରେ ବିଜେ କରିଛନ୍ତି । ନବଦିନାତ୍ମକ ଯାତ୍ରାରେ ଶ୍ରୀବିଗ୍ରହ ରଥାରୂଢ଼ ହୋଇ ଗୁଣ୍ଡିଚା ମଣ୍ଡପ ଅଭିଭୂଖେ ଯାତ୍ରା କରିଛନ୍ତି । ପବିତ୍ର ଗୁଣ୍ଡିଚା ଯାତ୍ରା ଅବସରରେ ପ୍ରତୁ୍ୟଷରୁ ଶ୍ରୀଜଗନ୍ନାଥ ଜୀଉଙ୍କର ସମସ୍ତ ଦେବ ନୀତି ଅନୁଷ୍ଠିତ ହୋଇଥିଲା ।
ଶ୍ରୀଜଗନ୍ନାଥ ଜୀଉଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ଶୁକ୍ରବାର ଭୋର ସମୟରେ ଦୂଆରଫିଟା, ମଇଲମ, ମଙ୍ଗଳ ଆଳତୀ, ସୂର୍ଯ୍ୟପୂଜା ଓ ରୋଷ ହୋମ ଆଦି ନୀତି ଯଥା ବିଧି ସପନ୍ନ ହୋଇ ସାଢ଼େ ୧୦ଟାରେ ପହଣ୍ଡି ନୀତି ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ସାଢ଼େ ୧୨ଟା ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇଥିଲେ । ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ସମୟରେ ସ୍ଥାନୀୟ ରାଜପରିବାର ସଦସ୍ୟ ତିନି ରଥରେ ଛେରାପହଁରା କରିଥିଲେ । ଅପରାହ୍ନ ସାଢ଼େ ୩ଟା ସମୟରେ ଘଣ୍ଟ ଘଣ୍ଟା ଓ ଖୋଳତାଳ ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନୀ ମଧ୍ୟରେ ବଡ଼ ଠାକୁର ଶ୍ରୀବଳଭଦ୍ର ଦେବଙ୍କ ସୁସଜ୍ଜିତ ତାଳଧ୍ୱଜ ରଥକୁ ଶ୍ରଦ୍ଧାଳୁମାନେ ଆନନ୍ଦ ମନରେ ଟାଣିଥିଲେ । ପରେ ଦେବଦଳନ ଓ ନନ୍ଦିଘୋଷ ରଥରେ ଦେବୀ ସୁଭଦ୍ରା ଏବଂ କାଳିଆ ଠାକୁର ଭକ୍ତଜନ ଗହଣରେ ଗୁଣ୍ଡିଚା ମଣ୍ଡପ ଅଭିଭୂଖେ ଯାତ୍ରା କରିଥିଲେ ।
ନୟାଗଡ଼ରେ ଦେବୀ ରଥକୁ ମହିଳା ଶ୍ରଦ୍ଧାଳୁମାନେ ଟାଣିବାର ନିଆର ପରଂପରା ରହିଛି । ବହୁ ସଂଖ୍ୟାରେ ମହିଳା ଭକ୍ତ ଆନନ୍ଦ ଓ ଉତ୍ସାର ସହ ଦେବୀ ସୁଭଦ୍ରାଙ୍କ ରଥ ଟାଣିଥିବା ଦେଖା ଯାଇଥିଲା । ଏଠାରେ ତିନି ରଥ ଅଧା ବାଟରେ ଅଟକି ରହିବାର ପରଂପରା ପ୍ରଚଳିତ ରହିଥିବାରୁ ଆସନ୍ତା କାଲି ଅପରାହ୍ନରେ ପୁଣି ରଥ ଟଣା ଯାଇ ଗୁଣ୍ଡିଚା ମଣ୍ଡପରେ ପହଞ୍ଚିବ । ସେଠାରେ ଜନ୍ମ ବେଦୀକୁ ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ବିଜେ କରିବେ । ସନ୍ଧ୍ୟାରେ ସ୍ୱତନ୍ତ୍ର ବେଶ ଓ ପୂଜାନୀତି ଅନୁଷ୍ଠିତ ହେବ । କରୋନା କଟକଣାରୁ ଦୀର୍ଘ ଦୁଇ ବର୍ଷ ପରେ ଚଳିତ ବର୍ଷ ଗୁଣ୍ଡିଚା ଯାତ୍ରାରେ ଶ୍ରଦ୍ଧାଳୁ ରଥ ଟାଣି ସୁଯୋଗ ପାଇ ଖୁସୀବ୍ୟକ୍ତ କରିଛନ୍ତି । ଶ୍ରୀକ୍ଷେତ୍ର ପୁରୀ ପରଂପରା ଅନୁଯାୟୀ ନୟାଗଡ଼ ସମେତ ଜିଲ୍ଲାର ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା, ଏବଂ କଣ୍ଟିଲୋ ଶ୍ରୀନୀଳମାଧବ ଜୀଉଙ୍କ ପୀଠରେ ଆନନ୍ଦ ଓ ଉତ୍ସାହର ସହ ପବିତ୍ର ଘୋଷଯାତ୍ରା ପାଳନ କରାଯାଇଛି ।