ପୁରୀ: ଆଷାଢ଼ ମାସ ପ୍ରତିପଦ ତିଥୀ ଉଭାଯାତ୍ରାରେ ଆଜି ତିନି ରଥ ଦକ୍ଷିଣ ମୋଡ଼ ହୋଇ ସିଂହ ଦ୍ୱାରରେ ଦଣ୍ଡାୟମାନ ହୋଇ ଚନ୍ତି। ଗୁରୁବାର ପ୍ରତ୍ୟୁଷରୁ ଶ୍ରୀମନ୍ଦିର ଦ୍ଵାର ଫିଟା ନୀତି ଅନୁଷ୍ଠିତ ହୋଇ ଥିଲା। ପରେ ବିଗ୍ରହମାନଙ୍କର ଦୈନନ୍ଦିନ ନିତୀ କାନ୍ତି ମଙ୍ଗଳ ଆଳତି ଅବକାଶ, ସୂର୍ଯ୍ୟ ପୂଜା ରୋଷ ହୋମ ଇତ୍ୟାଦି ଅନୁଷ୍ଠିତ ହୋଇ ଥିଲା।
ଭୋର ୪ ଟା ୨୦ ମିନିଟରେ ପରବର୍ତ୍ତି ନୀତି ମାନ ଅନୁଷ୍ଠିତ ହୋଇ ମହାପ୍ରଭୁଙ୍କ ଗୋପାଳ ବଲ୍ଲବ ଅନୁଷ୍ଠିତ ହୋଇ ଥିଲା। ସକାଳଧୂପ ସକାଳ ୭ ଟାରୁ ୮ ଟା ୨୦ ମିନିଟ ମଧ୍ୟରେ ଶେଷ ହୋଇ ଥିଲା। ଏହା ହେବାପରେ ସକାଳ ୮ ଟା ୪୫ ମିନିଟରେ ତିନି ରଥକୁ ଆଜ୍ଞା ମାଳ ବିଜେ ହୋଇଥିଲା । ତିନି ଜଣ ପାଳିଆ ପୂଜାପଣ୍ଡା ସାମନ୍ତେ ପଟୁଆରରେ ଆଜ୍ଞାମାଳ ବିଜେ କରାଇ ତିନିରଥରେ ଲାଗି କରି ଥିଲେ। ଏହା ପରେ ରଥ ଟଣା ଆରମ୍ଭ ହୋଇ ଥିଲା। ପୋଲିସ କର୍ମଚାରୀମାନେ ତିନି ରଥକୁ କର୍ଡନ କରିଥିଲେ। ଏହା ପରେ ରଥ ଟଣା ପର୍ବ ଆରମ୍ଭ ହୋଇଥିଲା। ସକାଳ ୯ ଟା ରୁ ରଥ ଟଣା ଆରମ୍ଭ ହୋଇ ୧୦ ଟା ସୁଦ୍ଧା ତିନି ରଥ ସିଂହ ଦ୍ଵାର ନିକଟରେ ପହଞ୍ଚି ଥିଲେ। ପ୍ରଥମେ ନନ୍ଦିଘୋଷ ରଥକୁ, ଭୋଇ ସେଵକ, ମହାରଣା, ପୋଲିସ ବାହିନୀ ସମେତ କିଛି ଜନ ସାଧାରଣ ମିଶି ଟଣା ଆରମ୍ଭ କରିଥିଲେ। ଏହା ପରେ ୧୦ ଟା ୧୦ ମିନିଟରେ ଦେବ ଦଳନ ରଥ ଟଣା ଆରମ୍ଭ ହୋଇ ୧୦ ଟା ୩୫ରେ ସିଂହ ଦ୍ୱାରରେ ପହଞ୍ଚି ଥିଲା। ଶେଷରେ ବଡ଼ ଠାକୁରଙ୍କ ତାଳଧ୍ଵଜ ରଥ ୧୦ ଟା ୪୫ ମିନିଟରେ ଭିଡ଼ାଯାଇ ୧୧ ଟାରେ ସିଂହଦ୍ୱାରରେ ଲାଗିଥିଲା।
