ଆଜି ତିନି ରଥରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ ଚତୁର୍ଦ୍ଧା ମୂର୍ତ୍ତୀ : ସକାଳ ୮ ଟା ୩୦ ମିନିଟରେ ପହଣ୍ଡି ଆରମ୍ଭ, ଅପରାହ୍ନ ୪ ଟା ରେ ରଥ ଟଣା
ପୁରୀ: ଆସନ୍ତା କାଲି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା । ରଥ ଯାତ୍ରା ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ପୁରୀ।
ରଥ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କରୋନାର ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେଉଛି ରଥ ଯାତ୍ରା। ରଥ ଯାତ୍ରା ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ସମାଗମ ହୋଇଛନ୍ତି ଲକ୍ଷାଧିକ ଭକ୍ତ। ଦକ୍ଷିଣ ମୋଡ଼ ହୋଇ ସିଂହ ଦ୍ଵାରରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଦଣ୍ଡାୟମାନ ହୋଇ ପ୍ରସ୍ତୁତ ରହିଛନ୍ତି ତିନି ରଥ । ତିନି ରଥରେ ଲାଗି ଥିବା ରଙ୍ଗୀନ କନା ଅତ୍ୟନ୍ତ ମନୋରମ ଓ ଆକର୍ଷଣୀୟ ଦେଖା ଯାଇଛି।
ରଥ ଯାତ୍ରା ପାଇଁ ବଡଦାଣ୍ଡ ପ୍ରସ୍ତୁତ ହୋଇଛି । ଆସନ୍ତା କାଲି ସକାଳେ ନୀଳକନ୍ଦରରୁ ବାହାରି ଜନ୍ମବେଦୀକୁ ନଵଦିନାତ୍ମକ ଘୋଷଯାତ୍ରାରେ ଯିବେ ମହାପ୍ରଭୁ ଚତୁର୍ଦ୍ଧା ମୂର୍ତ୍ତୀ । ତିନିରଥ ଅପେକ୍ଷା କରିଛି ପ୍ରଭୁଙ୍କ ଆଗମନୀକୁ। ରଥ ଯାତ୍ରା ପାଇଁ ନୀତିକାନ୍ତି ମଧ୍ୟ ଚୂଡାନ୍ତ ହୋଇସାରିଛି। ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ଭକ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି।ସମଗ୍ର ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇପଡିଛି। ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ଓ ଜଗନ୍ନାଥମୟ ପରିବେଶ। ଗୁରୁବାର ରାତିରେ ମହାପ୍ରଭୁଙ୍କ ସେନାପଟା ଓ ବାହୁଟକଣ୍ଟ କରାଯିବ। ସକାଳ ୮ଟାରେ ରଥପ୍ରତିଷ୍ଠା ହେବାପରେ ମଙ୍ଗଳାର୍ପଣ ହୋଇ ୮ ଟା ୩୦ ରେ ପହଣ୍ଡି ଆରମ୍ଭ ହେବ।
ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ଏହି ଘୋଷଯାତ୍ରା ପାଇଁ ସମସ୍ତେ ବ୍ୟାକୁଳତାର ସହ ଅପେକ୍ଷା କରିଛନ୍ତି। ସମସ୍ତ ଭକ୍ତ ମାସ୍କ ପିନ୍ଧି ରଥଯାତ୍ରାରେ ସାମିଲ ହେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
