ଧର୍ମଶାଳା : ଚଳିତ ବନ୍ୟାରେ ବ୍ରାହ୍ମଣୀ ନଦୀର ଶାଖା କେଲୁଅ ନଦୀର ଧର୍ମଶାଳା-କଦମପାଳ ରାସ୍ତାର ରମାପୁରଠାରେ ଏକ ଘାଇ ସୃଷ୍ଟି ହୋଇଛି । ଯାହାକୁ ନେଇ ବିବାଦ ଦେଖାଦେଇଛି । ଏପରିକି ଏହି ଘାଇ ମନୁଷ୍ୟକୃତ ବୋଲି ଚର୍ଚ୍ଚା ହେଉଛି । ଆଜି ସଂଧ୍ୟାରେ ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ ଏହି ଘାଇସ୍ଥଳ ପରିଦର୍ଶନ କରିଛନ୍ତି । ଯୋଜନାବଦ୍ଧ ଭାବେ ଏହି ଘାଇ ସୃଷ୍ଟି କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ଥାନାରେ ମାମଲା ରୁଜୁ ହୋଇଛି । ଏହାର ବିଧିବଦ୍ଧ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ଶ୍ରୀ ନାୟକ ଦାବି କରିଛନ୍ତି ।
ସେହିପରି ବନ୍ୟା ଦ୍ୱାରା ରାଜ୍ୟରେ ମୋଟ ୩୬ଟି ଘାଇ ସୃଷ୍ଟି ହୋଇଥିବା ବେଳେ ଯାଜପୁର ଜିଲ୍ଲାରେ ୩୦ଟି ଘାଇ ସୃଷ୍ଟି ହୋଇଛି । ସେଥିମଧ୍ୟରୁ ୧୫ଟି ଘାଇ ମନୁଷ୍ୟକୃତ ବୋଲି ଗୁରୁତର ଅଭିଯୋଗ ଆଣିଛନ୍ତି । ଏନେଇ ଆଗାମୀ ବିଧାନସଭା କାଳରେ ଏହାକୁ ମୁଖ୍ୟ ପ୍ରସଙ୍ଗ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶ୍ରୀ ନାୟକଙ୍କ ଏହି ଗସ୍ତ ସମୟରେ ଜିଲ୍ଲା ବିଜେପି ସଭାପତି ଗୈାତମ ରାୟ, ଧର୍ମଶାଳା ବିଜେପି ନେତା ରମେଶ ଚନ୍ଦ୍ର ପରିଡା, ପବିତ୍ରମୋହନ ଦାଶ, ବିଜେପି ମହିଳା ସଭାନେତ୍ରୀ ମୋନାଲିସା ଦାଶ, ଇଶ୍ୱର ଚନ୍ଦ୍ର ପ୍ରଧାନ, ସୀତାକାନ୍ତ ଶତପଥୀ, ପ୍ରମୋଦ ଦାସ, ମହେନ୍ଦ୍ର ପଣ୍ଡା, ମନୋଜ ରାଉଳ, ଚନ୍ଦ୍ରମଣି ପଣ୍ଡିତ, ଶରତ ଓଝା ପ୍ରମୁଖ ସାମିଲ ଥିଲେ ।