ଧର୍ମଶାଳା : ବ୍ରାହ୍ମଣୀ ଓ ଏହାର ଶାଖା କେଲୁଅ, ଖରସ୍ରୋତା ନଦୀରେ ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି ହୋଇଛି । ଜାରକା ଜଳସେଚନ ଡିଭିଜନ ଅଧିନରେ ଚଳିତ ଥର ସର୍ବାଧିକ ୨୧ଟି ଘାଇ ହୋଇଛି । ଏହି ଘାଇ ମରାମତି ପାଇଁ ୨୦କୋଟି ଟଙ୍କା ବ୍ୟୟ ଅଟ୍ଟକଳ ପ୍ରସ୍ତୁତ କରାଯାଇ ସର୍ବୋଚ ଯନ୍ତ୍ରୀଙ୍କୁ ଅବଗତ କରାଯାଇଛି । ଚଳିତ ବର୍ଷ ବ୍ରାହ୍ମଣଭୀ ନଦୀର ଜେନାପୁର ଠାରେ ବିପଦ ସଂଇକେତ ୬୭ଫୁଟ ଠାରୁ ୫ଫୁଟ ଉପରେ ବନ୍ୟାଜଳ ପ୍ରବାହିତ ହୋଇଥିଲା ।
ଫଳରେ ଧର୍ମଶାଳା ବ୍ଲକ କେଲୁଅ ନଦୀରେ ୩ଟି, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ବରୀ ଓ ଯାଜପୁରରେ ୧୮ଟି ଘାଇ ମୋଟ ୨୧ଟି ଘାଇ ସୃଷ୍ଟି ହୋଇଛି । ଏହି ଘାଇକୁ ତୁରନ୍ତ ମରାମତି ପାଇଁ ୧୩କୋଟି ଓ ସଂପୂର୍ଣ୍ଣ ମରାମତି ପାଇଁ ୨୦କୋଟି ଟଙ୍କାର ବ୍ୟୟ ଅଟ୍ଟକଳ ପ୍ରସ୍ତୁତ ହୋଇଥିବା ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ଦେବାଶିଷ ପଟ୍ଟନାୟକ ସୂଚନା ଦେଇଛନ୍ତି । କେତେକ ଘାଇରେ ବନ୍ୟାଜଳ ଏବେ ବି ଛାଡି ନାହିଁ । ବନ୍ୟାଜଳ କମିଲେ ଘାଇ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି ।