Odisha news

ମୁକ୍ତି ସଂଗ୍ରାମରେ ଓଡିଆ ନାରୀ ଓ ରମାଦେବୀ

0

ହିମାଂଶୁ ଶେଖର ଆ·ର୍ଯ୍ୟ  : ଭାରତର ମୁକ୍ତି ସଂଗ୍ରାମ ଅନେକ ତ୍ୟାଗ, ବଳିଦାନ ଓ ବୀରତ୍ୱର କଥା କହେ । ଦେଶ ମାତୃକାର ସ୍ୱାଧୀନତା ପାଇଁ ବହୁ ସଂଗ୍ରାମୀ ଲାଠିମାଡ଼ ଖାଇଛନ୍ତି, କାରାବରଣ କରିଛନ୍ତି ଓ ସହିଦ୍ ହୋଇଛନ୍ତି । ୧୮୫୭ ମସିହା ସିପାହୀ ବିଦ୍ରୋହ ଠାରୁ ୧୯୪୨ ମସିହା ଭାରତ ଛାଡ଼ ଆନେ୍ଦାଳନ ପର୍ଯ୍ୟନ୍ତ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଭିତରେ ବହୁ ବିପ୍ଳବୀ ଅଭୁତପୂର୍ବ ଆତ୍ମୋତ୍ସର୍ଗ ଓ ଦେଶପ୍ରେମର ବିରଳ ଦୃଷ୍ଟାନ୍ତ ରଖି ଯାଇଛନ୍ତି । ସେମାନଙ୍କ ସେହି ତ୍ୟାଗ ଚିରଦିନ ସ୍ମରଣୀୟ ହୋଇ ରହିବ । ଏହି ସ୍ୱାଧୀନତା ଆନେ୍ଦାଳନରେ ଅନ୍ୟ ରାଜ୍ୟ ଭଳି ଓଡ଼ିଶା ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।ବିଶେଷକରି ଏହି ଜାତୀୟ ଆନେ୍ଦାଳନରେ ଓଡିଆ ନାରୀ ମାନଙ୍କର ଭୂମିକା କୌଣସି ଗୁଣରେ କମ୍ ନ ଥିଲା । ଭାରତୀୟ ମୁକ୍ତି ସଂଗ୍ରାମରେ ପୁରୁଷମାନଙ୍କ ସହ ପାଦ ମିଳାଇ ଏହି ନାରୀନେତ୍ରୀ ମାନଙ୍କର ଯୋଗଦାନ ଏବଂ ଅବଦାନ ଭାରତର କ୍ରାନ୍ତି ସଂଗ୍ରାମକୁ ଆହୁରି ସାର୍ବଜନୀନ ଓ ଶକ୍ତିଶାଳୀ କରିବାରେ ଏକ ଉଲ୍ଲେଖନୀୟ ଭୂମିକା ଥିଲା ।
ସରଳା ଦେବୀ

ସ୍ୱାଧୀନତା ସଂଗ୍ରାମରେ ଭାଗନେଇ କାରାବରଣ କରିଥିବା ପ୍ରଥମ ଓଡିଆ ନାରୀ ହେଉଛନ୍ତି ସରଳା ଦେବୀ । ୧୯୦୪ ମସିହାରେ ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ୧୪ ବର୍ଷ ବୟସରେ ସ୍ୱାଧୀନତା ସଂଗ୍ରାମୀ ଭାଗିରଥୀ ମହାପାତ୍ରଙ୍କ ସହ ତାଙ୍କର ବିବାହ ହୋଇଥିଲା । ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ବିଶେଷ ଭାବେ ପ୍ରଭାବିତ ସରଳା ଦେବୀ ସ୍ୱାମୀ ଭାଗିରଥୀ ମହାପାତ୍ରଙ୍କ ସହିତ ୧୯୨୦ ମସିହାରୁ ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭାବେ ଭାଗ ନେଇଥିଲେ । ୧୯୨୧ ମସିହାରେ ଅସହଯୋଗ ଆନେ୍ଦାଳନ ଓ ୧୯୩୦ ମସିହାରେ ଆଇନ ଅମାନ୍ୟ ଆନେ୍ଦାଳନରେ ମଧ୍ୟ ସେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ୧୯୩୭ ରୁ ୧୯୪୪ ମସିହା ଯାଏଁ ସେ ଓଡିÿଶା ବିଧାନସଭାର ସଦସ୍ୟ ରହିଥିଲେ । ୧୯୮୬ରେ ତାଙ୍କର ମୃତୁ୍ୟ ହୋଇଥିଲା ।

ମାଳତୀ ଚୌଧୁରୀ (ନୁମା)
୧୯୦୪ ମସିହାରେ କଲିକତାର ବିଶିଷ୍ଟ ଓକିଲ କୁମୁଦନାଥ ସେନ୍ ଓ ସ୍ନେହଲତାଙ୍କ ଗର୍ଭରୁ ଜନ୍ମ ନେଇଥିବା ଏହି ବହ୍ନିକନ୍ୟା ଓଡିÿଆ ଘରର ବୋହୂ ହୋଇ ସମଗ୍ର ଓଡିÿଶାର ପ୍ରିୟ ହୋଇପାରିବେ ଏକଥା ହୁଏତ କେହି ଦିନେ ଚିନ୍ତା କରିନଥିବେ । ଛାତ୍ରୀ ଜୀବନରୁ ମହାତ୍ମା ଗାନ୍ଧୀଙ୍କ ପ୍ରେରଣାରେ ଉଦ୍ବୁଦ୍ଧ ହୋଇ ସ୍ୱାଧୀନତା ଆନେ୍ଦାଳନରେ ସାମିଲ ହୋଇ ନିଜର ଜ୍ୱାଳାମୟୀ ଭାଷଣ ଦ୍ୱାରା ଅନ୍ୟମାନଙ୍କୁ ମଧ୍ୟ ଏଥିରେ ଭାଗନେବା ପାଇଁ ପ୍ରବର୍ତ୍ତାଇ ପାରୁଥିଲେ । ୧୯୨୭ରେ ନବକୃଷ୍ଣ ଚୌଧୁରୀଙ୍କୁ ବିବାହ କରି ଓଡିÿଶା ଆସିବା ପରେ ଦେଢଶୁର ଗୋପବନ୍ଧୁ ଚୌଧୁରୀ ଓ ଯା’ ରମାଦେବୀଙ୍କ ସଂସ୍ପର୍ଶରେ ଆସି ଓଡ଼ିଶାର ଆଗଧାଡିର ନେତ୍ରୀ ହେବାକୁ ତାଙ୍କୁ ଖୁବ୍ କମ୍ ସମୟ ଲାଗିଥିଲା । ୧୯୩୦ ମସିହା ଲବଣ ସତ୍ୟାଗ୍ରହରେ ଭାଗ ନେଇ ଛ’ ମାସ ଜେଲ୍ଦଣ୍ଡ ଭୋଗ କରିଥିଲେ । ଓଡିÿଶାବାସୀଙ୍କ ପ୍ରିୟ ନୁମା ୧୯୯୮ ମସିହା ମାର୍ଚ୍ଚ ୧୫ ତାରିଖରେ ଅନୁଗୁଳ ଠାରେ ଥିବା ବାଜି ରାଉତ ଛାତ୍ରାବାସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ଅନ୍ନପୂର୍ଣ୍ଣା ମହାରଣା (ଚୁନି ଅପା)
ଗୋପବନ୍ଧୁ ଚୌଧୁରୀଙ୍କ ଦ୍ୱିତୀୟ ସନ୍ତାନ ଅନ୍ନପୂର୍ଣ୍ଣା ମହାରଣା (ଚୁନି ଅପା) ଭାରତର ମୁକ୍ତି ସଂଗ୍ରାମରେ ଗୁଣ୍ଡୁଚି ମୂଷା ଭଳି କାର୍ଯ୍ୟ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ପରିବାରରେ ଜନ୍ମ ହେବା ହିଁ ତାଙ୍କ ପାଇଁ ଥିଲା ଆଶୀର୍ବାଦ । ପିତାମାତାଙ୍କ ପଥ ଅନୁସରଣ କରି ଭାରତର ସ୍ୱାଧୀନତା ସଂଗ୍ରାମରେ ସେ ମଧ୍ୟ କୁଦି ପଡିଥିଲେ ମାତ୍ର ୧୪ ବର୍ଷ ବୟସରେ । ୧୯୩୪ ମସିହାରେ ମହାତ୍ମା ଗାନ୍ଧୀଙ୍କ ଓଡିଶାର ପୁରୀଠାରେ ଭଦ୍ରକ ‘ହରିଜନ ପଦଯାତ୍ରା’ରେ ଭାଗ ନେଇଥିଲେ । ୨୦୧୨, ଡିସେମ୍ବର ୩୧ରେ ଓଡିଶାର ଏହି ସୁଯୋଗ୍ୟ କନ୍ୟା ଅନ୍ନପୂର୍ଣ୍ଣା ମହାରଣା ଓଡିÿଶାବାସୀଙ୍କୁ ଦୁଃଖ ସାଗରରେ ଭସାଇ ଇହଲୀଳା ସମ୍ବରଣ କରିଥିଲେ ।

ପ୍ରଭାବତୀ ଦେବୀ
ପଶ୍ଚିମ ଓଡିଶାର ଯେଉଁ କେତେଜଣ ନାରୀ ସ୍ୱାଧୀନତା ସଂଗ୍ରାମରେ ନେତୃତ୍ୱ ନେବାର କ୍ଷମତା ରଖିଥିଲେ ସେମାନଙ୍କ ମଧ୍ୟରେ ପ୍ରଭାବତୀ ଦେବୀ ଅନ୍ୟତମ । ବାଲ୍ୟବିଧବା ରୂପେ କଠୋର ସାମାଜିକ ବନ୍ଧନ ଭିତରେ ଥିବା ପ୍ରଭାବତୀ ଦେବୀ ପ୍ରତିକୂଳ ପରିବେଶରୁ ନିଜକୁ ଦେଶସେବା ପ୍ରତି ଢଳାଇ ନେଇଥିଲେ । ୧୯୪୦ ମସିହାରେ ସେ ପାର୍ବତୀ ଗିରିଙ୍କ ସହ ମିଶି ସମ୍ବଲପୁରରେ ଆନେ୍ଦାଳନର ନେତୃତ୍ୱ ନେଇଥିଲେ । ୧୯୪୨ ମସିହାରେ ଭାରତଛାଡ ଆନେ୍ଦାଳନ ସମୟରେ ପ୍ରଚାରପତ୍ର ବାଣ୍ଟି ଜେଲ୍ବରଣ କରିଥିଲେ । ଏମାନଙ୍କ ବ୍ୟତୀତ କୋକିଳା ଦେବୀ, ନିର୍ମଳା ଦେବୀ, ଜାହ୍ନଭୀ ଦେବୀ, କ୍ଷେତ୍ରମଣୀ ଦେବୀ, ସୁଲୋଚନା ଦେବୀ, ପି୍ରୟମ୍ବଦା ଦେବୀ, ଶଶୀବାଳା କାନୁନଗୋ, ସକୁନ୍ତଳା ଦେବୀ, ରତ୍ନମାଳୀ ଜେମା, ନିଶାମଣୀ ଦେବୀ, ରାଧାମଣୀ ଦେବୀ , ଚମ୍ପା ଦେବୀ, ଗୁଣମଞ୍ଜରୀ ଦେବୀ ଓ ଆହୁରୀ ଅନେକ । ଏମାନଙ୍କ ତାଲିକା ବେଶ୍ ଦୀର୍ଘ ।

ରମାଦେବୀ –
କୁଳବୃଦ୍ଧ ମଧୁସୂଦନ ଦାସଙ୍କ କନିଷ୍ଠ ଭ୍ରାତା ଗୋପାଳ ବଲ୍ଲଭ ଦାସ ଓ ତାଙ୍କ ପନôୀ ବସନ୍ତ କୁମାରୀଙ୍କ ଅଲିଅଳି କନ୍ୟା ରୂପେ ୧୮୯୯ ଡିସେମ୍ବର ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଓଡିଆ ଘରର ରକ୍ଷଣଶୀଳ ପରିବାରରେ କମ୍ ବୟସରେ ଝିଅମାନଙ୍କ ବିବାହ ହେବା ସ୍ୱାଭାବିକ ଥିଲା । ତେଣୁ ମାତ୍ର ୧୫ ବର୍ଷ ବୟସରେ ରମାଦେବୀଙ୍କ ବିବାହ ହୋଇଥିଲା ବିଖ୍ୟାତ ଚୌଧୁରୀ ପରିବାରର ଗୋପବନ୍ଧୁ ଚୌଧୁରୀଙ୍କ ସହ । ୧୯୨୧ରେ ଗୋପବନ୍ଧୁ ଚୌଧୁରୀ ଚାକିରିରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗଦେଲେ । ସେହି ବର୍ଷ ମାର୍ଚ୍ଚ ୨୧ରେ କାଠଯୋଡି ବାଲିରେ ମହାତ୍ମା ଗାନ୍ଧୀଙ୍କ ଅଭିଭାଷଣ ତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ସେବେଠାରୁ ସେ ପୂର୍ଣ୍ଣମାତ୍ରାରେ ସ୍ୱାଧୀନତା ସଂଗ୍ରାମରେ ମାତି ଉଠିଥିଲେ । ୧୯୩୦ରେ ଇଞ୍ଚୁଡିଠାରେ ହୋଇଥିବା ଲବଣ ସତ୍ୟାଗ୍ରହରେ ଅଗ୍ରଣୀ ଭୂମିକା ନେଇ ଶହଶହ ଲୋକଙ୍କୁ ଇଂରେଜ ସରକାରଙ୍କ ବିରୋଧରେ ଏକତ୍ର କରିପାରିଥିଲେ । ଏଥିପାଇଁ ତାଙ୍କୁ ଭାଗଲପୁର ଜେଲରେ ଆଠ ମାସ କଟାଇବାକୁ ପଡିଥିଲା । ୧୯୩୦ ରୁ ୧୯୪୨ ମଧ୍ୟରେ ରମାଦେବୀ ଇଂରେଜ ଶାସନ ବିରୋଧରେ ସଂଗ୍ରାମ କରି ବହୁବାର କାରାବରଣ କରିଥିଲେ । ଗାନ୍ଧୀଙ୍କ ପରାମର୍ଶରେ ବରୀରେ ଏକ ଆଶ୍ରମ ପ୍ରତିଷ୍ଟା କରି ଦେଶ ସ୍ୱାଧୀନ ଯାଏ ଏହାକୁ କର୍ମସ୍ଥଳୀ ରୂପେ ବାଛି ନେଇଥିଲେ । ମହିୟସୀ ନାରୀ ରମାଦେବୀଙ୍କର ୧୯୮୫ ମସିହା ଜୁଲାଇ ୨୨ରେ ଦେହାନ୍ତ ହୋଇଥିଲା । ଏହି ଅବସରରେ ସେମାନଙ୍କର କଥା ଓ ଗାଥାକୁ ଉତ୍ତର ପିଢି ପାଖରେ ପହଞ୍ଚାଇବାର ଆବଶ୍ୟକତା ରହିଛି । ଏହାହିଁ ଏହି ଆଲେଖ୍ୟର ମୁଖ୍ୟ ଉଦେ୍ଦଶ୍ୟ ।

Leave A Reply