Odisha news

ଶ୍ରୀମନ୍ଦିରରେ ରାମନବମୀ

0

Bhubaneswar 30.03.2020: ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ଯାତ୍ରା ମାନଙ୍କ ମଧ୍ୟରୁ ସର୍ବାଧିକ ଯାତ୍ରା ବିଷ୍ଣୁକୈନ୍ଦ୍ରୀକ । ବିଷ୍ଣୁକୈନ୍ଦ୍ରୀକ ଯାତ୍ରାମାନଙ୍କ ମଧ୍ୟରୁ ରାମକୈନ୍ଦ୍ରୀକ,କୃଷ୍ଣକୈନ୍ଦ୍ରୀକ ଏବଂ ନୃସିଂହକୈନ୍ଦ୍ରୀକ ଯାତ୍ରା ପ୍ରଧାନ । ବିଷ୍ଣୁକୈନ୍ଦ୍ରୀକ ଯାତ୍ରା ମଧ୍ୟରୁ ରାମନବମୀ ଅନ୍ୟତମ । ଯଦିଓ କୃଷ୍ଣ ପରମ୍ପରାର ପ୍ରଭାବ ଶ୍ରୀମନ୍ଦିରରେ ବିଶେଷ ଭାବରେ ପରିଦୃଷ୍ଟ ହୁଏ ତଥାପି ଶ୍ରୀମନ୍ଦିର ଅନ୍ୟଗୋଷ୍ଠୀର ପୂଜା ଓ ଉତ୍ସବରୁ ବିଚୁ୍ୟତ ହୋଇନାହିଁ । ବୈଷ୍ଣବ ମାନଙ୍କ ମଧ୍ୟରୁ ରାମାନୁଜ ଓ ରାମାନନ୍ଦୀ ଗୋଷ୍ଠୀର ସୁହାଇଲା ଭଳି ସେବାପୂଜା ଶ୍ରୀମନ୍ଦିରରେ ପ୍ରଚଳିତ ଅଛି ।
ରାମନବମୀ ଉତ୍ସବ ଚୈତ୍ରଶୁକ୍ଳ ନବମୀର ରାମଜନ୍ମକୁ କେନ୍ଦ୍ରକରି ପାଳିତ ହୋଇଥାଏ ।ଏଥିପାଇଁ ଚୈତ୍ର ଶୁକ୍ଳ ସମ୍ପୂର୍ଣ୍ଣା ନବମୀ ତିଥି ପୁନର୍ବସୁ ନକ୍ଷତ୍ରଯୁକ୍ତା ଥେôଲ ପ୍ରଶସ୍ତତମା ବୋଲି ବିବେଚିତ ହେଉଥେôଲ ମଧ୍ୟ ନକ୍ଷତ୍ରହୀନ ହେଲେ ଶ୍ରୀରାମଙ୍କର ଜନ୍ମତିଥି ରୂପେ ପାଳିତ ହେବାର ବାଧା ରହେନାହିଁ । ଖଣ୍ଡିତା ବା ବିଦ୍ଧା ନବମୀ ଦଶମୀ ସଂଯୁକ୍ତା ହେଲେ ମଧ୍ୟ ଉତ୍ସବ ପାଳନ ହୋଇଥାଏ । ଏହାଛଡ଼ା ନବମୀତିଥି ଭୋଗ ହେଉଥେôଲ ସେହିଦିନ ହିଁ ଉତ୍ସବ ଅନୁଷ୍ଠିତ ହୁଏ । ନବମୀ କ୍ଷୟା ଥେôଲ ଅଷ୍ଟମୀ ବିଦ୍ଧାଭାବେ ପାଳିତ ହୁଏ ।ଏହି ନବମୀତିଥିରେ ପୂର୍ବଦିନ ସନ୍ଧ୍ୟାଧୂପ ସରିଲେ ଭିତରେ ପାଣିପଡ଼ି ଧୋପଖାଳ ହୁଏ । ଭୋଗ ନିମନ୍ତେ ଥାଳିପଡ଼ି ଟେରା ବନ୍ଧାଗଲେ ରୋଷକୁ ଭୋଗ ଡକାଯାଏ ।ଏହି ଭୋଗ ଠାକୁରଙ୍କ ସମ୍ମୁଖକୁ ଆସିଲେ ନିର୍ଦ୍ଦିଷ୍ଟ ସେବକଙ୍କ ଦ୍ୱାରା ପ୍ରସାଦ ଲାଗି ବଢେ । ପଞ୍ଚୋପଚାର ବିଧିରେ ପୂଜା ଶେଷ ହେଲେ ନିର୍ଦ୍ଦିଷ୍ଟ ସେବକମାନେ ତିନି ବାଡ଼ର ବନ୍ଦାପନା କରନ୍ତି । ଗର୍ଭୋଦକ ନିମନ୍ତେ ଶ୍ରୀଜିଉଙ୍କର ବାଡ଼ରେ ଅଧିକ ବନ୍ଦାପନା ବଢିଲେ ମନ୍ଦିରର ଅନ୍ୟାନ ଦୈନିକ ନୀତିମାନ ପାଳିତ ହୋଇଥାଏ ।


ରାମନବମୀ ତିଥିର ସକାଳ ଧୂପ ପରେ ମହାସ୍ନାନ ଓ ବେଶଲାଗି ବଢି ଛେକ ଉଠିଲେ ଜୟବିଜୟ ଦ୍ୱାର ବନ୍ଦ କରାଯାଏ । ଭଣ୍ଡାରଘର ଦୁଆର ଆଗ ପୋଛାପୋଛି ସରିଲେ ପଞ୍ଚବର୍ଣ୍ଣ ମୁରୁଜରେ ନିର୍ଦ୍ଦିଷ୍ଟ ସେବକ ଜନ୍ମମଣ୍ଡଳ କାଟନ୍ତି । ମଧ୍ୟାହ୍ନ ଧୂପ ଶେଷରେ ଦକ୍ଷିଣଘର ଠାକୁରମାନଙ୍କର ଭୋଗ ବଢିଲେ ରାମବିଗ୍ରହଙ୍କୁ ଭିତର ସିଂହାସନକୁ ବିଜେ କରାଯାଏ । ସେଠାରେ ନିର୍ଦ୍ଦିଷ୍ଟ ସେବକ ଧଣ୍ଡିପ୍ରସାଦ ଲାଗିକରି ପ୍ରସାଦ ଉଲାଗି କଲା ଉତ୍ତାରେ ରାମବିଗ୍ରହଙ୍କୁ ଆଜ୍ଞାମାଳ ଦିଆଯାଇ ମଣ୍ଡଳ ଉପରକୁ ଅଣାଯାଏ । ଏଠାରେ ନିର୍ଦ୍ଦିଷ୍ଟ ସେବକ ଦୁଇଜଣ ଦଶରଥ ଓ କୋ÷÷ଶଲ୍ୟା ରୂପରେ ଉପସ୍ଥିତ ରହି ଖଣ୍ଡୁଆ ଘୋଡ଼ାଇ ଜନ୍ମବିଧି ପାଳନ କରନ୍ତି । କର୍ପୂର ଆଳତି ବନ୍ଦାପନା ସରିବା ପରେ ଗଣ୍ଡୁଷମସଲା ଓ କ୍ଷୀର ମଣୋହି ବଢେ । ପୂଜକ ଜନ୍ମବିଧି ବଢାଇ ପଇତାଲାଗି କଲାପରେ ଶୀତଳ ଭୋଗ ମଣୋହି କରାନ୍ତି । ଅନ୍ୟ ନିର୍ଦ୍ଦିଷ୍ଟ ସେବକ ଜୟବିଜୟ ଦ୍ୱାରଠାରେ ଚରୁଅନ୍ନ ମଣୋହି କରାଇବା ଉତ୍ତାରେ ଦେବ ବିଗ୍ରହ ଦକ୍ଷିଣ ଘରକୁ ବାହୁଡ଼ା ବିଜେ କରନ୍ତି । ଏହାପରେ ମନ୍ଦିରର ଦୈନନ୍ଦିନ ନୀତି ବଢିଥାଏ ।
ରାମନବମୀ ଦିନ ଶ୍ରୀରାମଙ୍କର ଜନ୍ମୋତ୍ସବ ପରେ ଏହି ଲୀଳା ବନ୍ଦ ନହୋଇ ପରବର୍ତ୍ତୀ ଦଶମୀ,ଏକାଦଶୀ, ଦ୍ୱାଦଶୀ, ଚତୁର୍ଦ୍ଦଶୀ,ପୂର୍ଣ୍ଣିମା,ବୈଶାଖ କୃଷ୍ଣ ପ୍ରତିପଦ୍ ଓ ଦ୍ୱତୀୟା ତିଥି ମାନଙ୍କରେ ଯଥାକ୍ରମେ ଯଜ୍ଞରକ୍ଷା,ସୀତାବିବାହ,ବନବାସ,ମାୟାମୃଗ ବଧ,ଲଙ୍କା ପୋଡ଼ି,ସେତୁବନ୍ଧ ଓ ରାବଣ ବଧର ସ୍ମାରକୀ ଉତ୍ସବ ପାଳନ ନିମନ୍ତେ ଶ୍ରୀଜୀଉଙ୍କର ସନ୍ଧ୍ୟା ଧୂପ ବଢି ଦକ୍ଷିଣଘର ଭୋଗ ଶେଷରେ ଚଳନ୍ତି ପ୍ରତିମା ହାତରେ ରନô ସିଂହାସନକୁ ବିଜେ ହୋଇଯାଇ ଆଜ୍ଞାମାଳ ପାଆନ୍ତି ଓ ପରେ ହାତରେ ବିଜେ ହୋଇ ଆସି ବଟ ମୂଳରେ ଥିବା ପାଲିଙ୍କିରେ ବିଜେ କରନ୍ତି । ଘଣ୍ଟ,ଛତା,କାହାଳି ସହ ପାଲିଙ୍କି ଜଗନ୍ନାଥବଲ୍ଲଭ ମଠକୁ ନିଆଯାଏ । ସେଠାରେ ସାହିର ଯାନିଯାତ୍ରା ଓ ଶୀତଳ ଭୋଗପରେ ଠାକୁର ବାହୁଡ଼ି ଦକ୍ଷିଣଘରେ ବିଜେ କରନ୍ତି । ଏହି ଯାତ୍ରା ନିମନ୍ତେ ଭିନ୍ନଭିନ୍ନ ସମୟରେ ଭିନ୍ନଭିନ୍ନ ଚଳନ୍ତି ପ୍ରତିମାମାନ ବିଜେ କରିଥାନ୍ତି ।
ସର୍ବଶେଷରେ ରାମାଭିଷେକ ପରେ ଏହି ଯାତ୍ରା ପରି ସମାପ୍ତି ହୋଇଥାଏ । ଏହି ଉତ୍ସବ ପୁଷ୍ୟାନକ୍ଷତ୍ର ଓ କର୍କଟରାଶି ଥାଇ ଶ୍ରୀଜୀଉଙ୍କର ତାରାଶୁଦ୍ଧି ଥିବା ଦିବସରେ ଅନୁଷ୍ଠିତ ହୁଏ ।ଏହିଦିନ ସନ୍ଧ୍ୟା ଆଳତି ସରି ଦକ୍ଷିଣଘର ଭୋଗ ସରିଲେ ରାମ,ଲକ୍ଷ୍ମଣ,ସୀତା ଓ ହନୁମାନ ସିଂହାସନକୁ ବିଜେହୋଇ ଆଜ୍ଞାମାଳ ପାଇଲେ ବଟମୂଳେ ଥିବା ରଥରେ ବିଜେ ହୁଅନ୍ତି । ରଥକୁ ସେଠାରୁ ଜଗନ୍ନାଥବଲ୍ଲଭ ମଠକୁ ନିଆଯାଇଥାଏ । ସନ୍ଧ୍ୟାଧୂପ ପୂଜା ବସିଥିବା ବେଳେ ଗୋ÷÷ଡ଼ବାଡ଼ ସାହିରୁ ଦୁଇଜଣ ବ୍ୟକ୍ତି ଭରତ ଓ ଶତ୍ରୁଘ୍ନ ବେଶରେ ମନ୍ଦିରକୁ ଆସି ମନ୍ଦିର ଭଣ୍ଡାରରୁ ପାଦୁକା ନେଇ ଘଣ୍ଟ,ଛତା,କାହାଳି ସହ ଅଭିଷେକ ନିମନ୍ତେ ଜଗନ୍ନାଥବଲ୍ଲଭ ମଠରେ ପହଞ୍ଚନ୍ତି ଓ ସେଠାରୁ ଘଣ୍ଟ,ଛତା ଓ କାହାଳାଦି ସହ ରାମଚନ୍ଦ୍ର,ସୀତା,ଲକ୍ଷ୍ମଣ ଓ ହନୁମାନ ରଥରେ ଆସି ଲକ୍ଷ୍ମୀ ମନ୍ଦିର ଜଗମୋହନ ଖଟ ଉପରେ ଭଦ୍ରାସନରେ ବିଜେ କରନ୍ତି । ଏହାପରେ ମହାସ୍ନାନ ବଢି ମାଳଫୁଲ ଲାଗିହୋଇ ବେଶ ସରିଲେ ପାଣିପଡ଼ି ରୋଷକୁ ଭୋଗ ଡକରା ଯାଏ । ଭୋଗ ଆସିଲେ ନିର୍ଦ୍ଦିଷ୍ଟ ସେବକ ଦ୍ୱାରା ପ୍ରସାଦଲାଗି ବଢେ । ପୂଜକ ପଞ୍ଚୋପଚାରରେ ପୂଜା ସାରିଲେ ବନ୍ଦାପନା ହୁଏ । ଏହାପରେ ଚାରିଠାକୁର ହାତରେ ବିଜେହୋଇ ଆସି ଦକ୍ଷିଣଘରକୁ ଗଲେ ମନ୍ଦିରର ଅବଶିଷ୍ଟ ଦୈନିକ ନୀତି ଗୁଡ଼ିକ ସମାପ୍ତ ହୋଇଥାଏ । ଏହିଯାତ୍ରା କାଳରେ ଦେବଦର୍ଶନ ଅତୀବ ପୁଣ୍ୟପ୍ରଦ । ବାମଦେବ ସଂହିତାରେ ଉଲ୍ଲେଖ ଅଛି-
“ଯଃ ପଶ୍ୟେତ୍ ରାମଜନନଂ ସତୁ ପାପାତ୍ ବିଶୁଦ୍ଧ୍ୟତି ।”
ସର୍ବପାପ ବିନାଶକ ଭଗବାନ ଶ୍ରୀରାମଙ୍କର ଜନ୍ମୋତ୍ସବ ଦର୍ଶନ କରି ନିଜକୁ ଧନ୍ୟ କରିବା ଉଚିତ । ଶ୍ରୀକ୍ଷେତ୍ରରେ ବାରମାସରେ ତେର ଯାତରା ଅନୁଷ୍ଠିତ ହୋଇଥାଏ । ‘ଯାତ୍ରା ଭାଗବତ’ ଅନୁସାରେ ଶ୍ରୀମନ୍ଦିରରେ ଦ୍ୱାଦଶ ଯାତ୍ରା ପ୍ରଧାନ । ଏହି ଦ୍ୱାଦଶ ଯାତ୍ରା ବ୍ୟତୀତ ଆଉ କିଛି ଉପଯାତ୍ରା ମଧ୍ୟ ଏଠାରେ ପାଳିତ ହୋଇଥାଏ । ଶ୍ରୀମନ୍ଦିର ପଞ୍ଚ ଦେବତା ପୂଜାର ଏକ ସମନ୍ୱୟ ପୀଠ ହୋଇଥିବାରୁ ଭାରତବର୍ଷର ପୂଜିତ ହେଉଥିବା ପଞ୍ଚ ଦେବତା ପୂଜାର ସମସ୍ତ ଯାନିଯାତ୍ରା ଶ୍ରୀମନ୍ଦିରରେ ପ୍ରଚଳିତ । ସମସ୍ତ ମତକୁ ଶ୍ରୀମନ୍ଦିର ସମାନ ଭାବରେ ଗ୍ରହଣ କରି ଉପଯୁକ୍ତ ମର୍ଯ୍ୟାଦା ଦେଉଥିବାରୁ ଶ୍ରୀମନ୍ଦିର ବିଶ୍ୱର ଏକ ଆଦର୍ଶ ସ୍ଥାନ ଲାଭ କରିଛିା
ସହାୟକ ଗ୍ରନ୍ଥ-ବାମଦେବ ସଂହିତା,ଶ୍ରୀଜଗନ୍ନାଥ ସଂସ୍କୃତି ଓ ଐତିହ୍ୟ,ଶ୍ରୀମନ୍ଦିରରେ ଦ୍ୱାଦଶ ଯାତ୍ରା ଓ ପର୍ବପର୍ବାଣୀ

Leave A Reply