Odisha news

ଅଶୋକାଷ୍ଟମୀ

0

Bhubaneswar:ବୈଦିକଯୁଗରୁ ଶିବଙ୍କ ଉପାସନାର ପ୍ରମାଣ ବିଭିନ୍ନ ଶାସ୍ତ୍ରପୁରାଣାଦିରୁ ଦେଖାଯାଏ । ଋକବେଦରେ ରୁଦ୍ରଙ୍କର ବର୍ଣ୍ଣନାମାନ ଉପଲବ୍ଧ । ‘ଶିବ’ଶବ୍ଦ ଏକ ସାର୍ବଭୋମ ଈଶ୍ୱରୀୟ ସତ୍ତାର ଗୁଣବାଚକ ନାମ । ‘ଶିବ’ଅର୍ଥ କଲ୍ୟାଣକାରୀ ।’ଶିବ!ଏହି ଦୁଇଟି ଅକ୍ଷର ସଂସାରର ସାର । ଯିଏ ଏହି ଦୁଇ ନାମକୁ ବିଶ୍ୱାସ ଓ ଭରସା କରିଛି,ସେ ଏ ଭବ ସାଗରରୁ ପାର ପାଇଯାଇଛି । ଶିବ ନାମକ ନୈାକାରେ ଅରୋହଣ କରିଥିବା ବ୍ୟକ୍ତି ଜନ୍ମମୃତ୍ୟୁ ଚକ୍ରରୁ ବାହାରି ଯାଏ । ଓଡ଼ିଶାର ଅଧ୍ୟାତ୍ମ ଜାଗରଣର ଦୁଇ ପ୍ରମୁଖ ସ୍ଥାନ ଶ୍ରୀକ୍ଷେତ୍ର ଏବଂ ଏକାମ୍ରକାନନ । ଶ୍ରୀକ୍ଷେତ୍ରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ଯାତ୍ରାଭଳି ପ୍ରଭୁ ଏକାମ୍ରକାନନର ପ୍ରଭୁ ଲିଙ୍ଗରାଜଙ୍କର ମଧ୍ୟ ବହୁଯାତ୍ରା ଅନୁଷ୍ଠିତ ହୋଇଥାଏ ।

ତନ୍ମଧ୍ୟରୁ ଶିବରାତ୍ରି,ଚନ୍ଦନଯାତ୍ରା,ଶିବପାର୍ବତୀ ବିବାହ ଆଦି ଉତ୍ସବ ପାଳିତ ହେଉଥିବାବେଳେ ମହାପ୍ରଭୁ ଲିଙ୍ଗରାଜଙ୍କର ବହିପରିକ୍ରମା ମଧ୍ୟ ବିଧାନ ଅଛି । ପ୍ରଥମାଷ୍ଟମୀରେ ଲିଙ୍ଗରାଜ ମିତ୍ରେଶ୍ୱର ମନ୍ଦିରକୁ ଗମନ କରନ୍ତି କାରଣ ଲୋକିକ ପରମ୍ପରା ଅନୁସାରେ ମିତ୍ରେଶ୍ୱର ଲିଙ୍ଗରାଜଙ୍କର ମାମୁଁ ଅଟନ୍ତି । ଚନ୍ଦନଯାତ୍ରାରେ ଲିଙ୍ଗରାଜଙ୍କର ଚଳନ୍ତି ପ୍ରତିମା ଚାପ ଖେଳନ୍ତି ବିନ୍ଦୁସରୋବରରେ । ମାଘଶୁକ୍ଳ ୭ମୀରେ ଭାସ୍କରେଶ୍ୱର ମନ୍ଦିରକୁ ଗମନ କରନ୍ତି । ମଦନଭଞ୍ଜିକା ଉତ୍ସବରେ କୋଟି ତିର୍ଥେଶ୍ୱରକୁ ମନ୍ଦିରକୁ,ପର୍ଶୁରାମାଷ୍ଟମୀରେ ପର୍ଶୁରାମେଶ୍ୱର ମନ୍ଦିରକୁ,କାର୍ତ୍ତିକମାସରେ ଯମ୨ୟାରେ ଯମେଶ୍ୱର ମନ୍ଦିରକୁ ଗମନ କଲାପରି ଚୈତ୍ର ଅଶୋକାଷ୍ଟମୀରେ ରାମେଶ୍ୱର ମନ୍ଦିରକୁ ରଥରେ ଗମନ କରନ୍ତି ଯାହାକୁ ଋକୁଣା ରଥ ଯାତ୍ରା ବୋଲି କୁହାଯାଇଥାଏ । ଜନ୍ମାଷ୍ଟମୀ, ଗୋଷ୍ଟାଷ୍ଟମୀ,ପ୍ରଥମାଷ୍ଟମୀ,ମୂଳାଷ୍ଟମୀ,ରାଧାଷ୍ଟମୀ ଏହିପରି ଅଷ୍ଟମୀ ତିଥିମାନଙ୍କ ମଧ୍ୟରେ ଅଶୋକାଷ୍ଟମୀ ଶୈବ ସମ୍ପର୍କିତ ଏକ ମହାନ ଅଷ୍ଟମୀ ଯାହା କେବଳ ଲିଙ୍ଗରାଜଙ୍କର ରଥଯାତ୍ରା ଭାବେ ପରିପାଳିତ । ଏହି ଯାତ୍ରାକୁ ଦେଖିଲେ ଏବଂ ରଥ ଉପରେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ ବ୍ରହ୍ମହତ୍ୟାପରି ମହାପାତକ ନାଶ ହୋଇଥାଏ ଓ ଏପରିକି ନୀଚଜାତି ମଧ୍ୟ ପାତକ ଶୂନ୍ୟ ହୋଇଥାଏ ।
ରଥନିର୍ମାଣ ପରମ୍ପରା ଅନୁଯାୟୀ ବିଷ୍ଣୁଙ୍କର ରଥର ନାମ ନନ୍ଦିଘୋଷ,ଶିବଙ୍କ ରଥର ନାମ ଅମୋଘ,ଗଣେଶଙ୍କ ରଥରନାମ ଖଦିର,ସୂର୍ଯ୍ୟଙ୍କ ରଥର ନାମ ହିରଣ୍ୟରେତସ ଓ ଦୁର୍ଗାଙ୍କ ରଥର ନାମ ରୁକ୍ମଣୀ । ମହାପ୍ରଭୁ ଲିଙ୍ଗରାଜ ତାଙ୍କ ଅମୋଘ ରଥରେ ଯାତ୍ରା ନକରି ଋକ୍ମଣୀ ରଥରେ ଯାତ୍ରା ସମ୍ପାଦନା କରୁଥିବାରୁ ଏହାକୁ ରୁକୁଣାରଥ ବୋଲି ବୋଧେ କୁହାଯାଇଛି । ସମ୍ଭବତଃ ଶୈବ ଏବଂ ବୈଷ୍ଣବ ଧର୍ମ ମଧ୍ୟରେ ସମନ୍ୱୟ ଆଣିବା ନିମନ୍ତେ ଏପରି ପଦକ୍ଷେପ ନିଆଯାଇଛି । ଶୈବ ଓ ବୈଷ୍ଣବଙ୍କ ମଧ୍ୟରେ ଅଭେଦ ପରିକଳ୍ପନା କରାଯାଇ ସମନ୍ୱୟ ଆସିଲା ସେତେବେଳେ ଲିଙ୍ଗରାଜ ହରିହରରେ ପରିଣତ ହୋଇ ତୁଳସୀ,ବେଲପତ୍ର,ତ୍ରିଶୂଳ ସହ ଅ୍ର୍ଧଚନ୍ଦ୍ର ଓ ବୃଷଭସହ ଗରୁଡ଼ ମଣ୍ଡିତ ହେଲେ । ଏହି ଅଭେଦତ୍ୱର ପ୍ରମାଣ ମଧ୍ୟ ଶ୍ରୀମନ୍ଦିରରେ ଦୁର୍ଗାମାଧବ ଉପାସନା ଓ ହରିହର ଉପାସନାରେ ଦେଖିବାକୁ ମିଳେ । ଦୁର୍ଗାଙ୍କ ସହିତ ମାଧବ ରୁନ୍ଧାହୋଇ ଶ୍ରୀମନ୍ଦିରରୁ ନାରାୟଣୀ ମନ୍ଦିରକୁ ବିଜେକଲାପରି ଶ୍ରୀକୃଷ୍ଣଙ୍କ ପାଟରାଣୀ ଋକ୍ମଣୀ ଦୋଳଗୋବିନ୍ଦ ଓ ଲିଙ୍ଗରାଜଙ୍କ ବିଜେ ପ୍ରତିମା ଚନ୍ଦ୍ରଶେଖର ରଥଯାତ୍ରା କରନ୍ତି ବିଜେପଡିଆ ସ୍ଥିତ ରାମେଶ୍ୱର ମନ୍ଦିରକୁ । ରୁକୁଣା ରଥର ଉଚ୍ଚତା ୩୫ ଫୁଟ ପ୍ରସ୍ଥ ପ୍ରାୟ ୨୦ଫୁଟ ହେବ । ଏହି ଚାରିଚକ ବିଶିଷ୍ଟ ରଥରନିର୍ମାଣ ସରସ୍ୱତୀ ପୂଜାଠାରୁ ଆରମ୍ଭ ହୋଇଥାଏ ।


ଏକାମ୍ର ପୁରାଣ ବର୍ଣ୍ଣନାନୁସାରେ ୧୪ ବର୍ଷ ବନବାସ କାଳରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଏହି ଏକାମ୍ରବନରେ ବାସ କରିଥିଲେ । ଶିବଙ୍କ ପରାମର୍ଶକ୍ରମେ ରାମଚନ୍ଦ୍ର ଏଠାରେ ରାମେଶ୍ୱର,ଲକ୍ଷ୍ମଣେଶ୍ୱର,ଶତ୍ରୁଘ୍ନେଶ୍ୱର ଏବଂ ଭରତେଶ୍ୱର ନାମକ ଲିଙ୍ଗ ସ୍ଥାପନ କରିଥିଲେ । କିମ୍ବଦନ୍ତୀ ଅନୁସାରେ ଚୈତ୍ର ଅଶୋକାଷ୍ଟମୀ ତିଥିରେ ରାମେଶ୍ୱର ମନ୍ଦିର ପ୍ରତିଷ୍ଠା ହୋଇଥିଲା ଓ ଏହି ପ୍ରତିଷ୍ଠାତ୍ସବରେ ମହାପ୍ରଭୁ ଲିଙ୍ଗରାଜ ଯୋଗଦେଇଥିଲେ । ଏଣୁ ଏହାର ସ୍ମାରକୀ ସ୍ୱରୂପ ଅଶୋକାଷ୍ଟମୀରେ ରଥଯାତ୍ରା ବିଧାନ ପ୍ରଚଳିତ । ଅଶୋକାଷ୍ଟମୀ ଏକ ସାଂସ୍କୃତିକ ଦିବସ ରୂପେ ମଧ୍ୟ ପରିପାଳିିତ କାରଣ ଏହିଦିନ ଦେବୀ ଦୁର୍ଗାଙ୍କ ବାସନ୍ତୀକ ମହାଷ୍ଟମୀ ପୂଜା ତଥା ନାରୀମାନେ ଅଶୋକ କଳିକା ୮ଟି ଭକ୍ଷଣ କରି ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରନ୍ତି ।
ଅଶୋକାଷ୍ଟମୀ ପ୍ରଭାତରୁ ମୁକ୍ତେଶ୍ୱର ମନ୍ଦିର ନିକଟରେ ଥିବା ବୋଦ୍ଧଦେବୀ ମରୀଚିକୁଣ୍ଡରୁ ପୁଣ୍ୟଜଳ ସଂଗ୍ରହ କରାଯାଇ ଋକୁଣାରଥ ମାର୍ଜନା କରାଯାଏ । ପରେ ଅନ୍ୟ ବନ୍ଧ୍ୟାନାରୀ ଅଥବା ମଡିଚୀ(ସନ୍ତାନ ସୃଷ୍ଟିହୋଇ ମରିଯାଉଥିବା)ନାରୀମାନେ ସ୍ନାନକରି ସନ୍ତାନ କାମନା କରିଥାନ୍ତି । କେହିକେହି ଏହି କୁଣ୍ଡକୁ ମରୀଚି ଋଷିଙ୍କ ନାମରେ ନାମିତ କରୁଥିବା ବେଳେ ସମ୍ଭବତଃ ଏହା ବୋଦ୍ଧ ତାନ୍ତ୍ରିକ ଦେବୀ ମରିଚୀ । ଏହାର ପରଦିନ ଶ୍ରୀରାମନବମୀ ପାଳିତ ହୋଇଥାଏ । ରଥମାର୍ଜନାପରେ ଉପରବେଳା ଲିଙ୍ଗରାଜଙ୍କ ପ୍ରତିନିଧି ଚନ୍ଦ୍ରଶେଖର,ଋକ୍ମଣୀ ଓ ବାସୁଦେବଙ୍କୁ ମନ୍ଦିର ମଧ୍ୟରୁ ସୁସଜ୍ଜିତ ବିମାନରେ ଶୋଭାଯାତ୍ରାରେ ଅଣାଯାଇ ରଥରେ ବିଜେ କରାଯାଏ । ରଥର ଚାଳକ ବୃଷଭ ଓ ସାରଥୀ ବ୍ରହ୍ମା ରଥଚାଳନା କରନ୍ତି । ଡାହୁକର ବୋଲି ମଧ୍ୟରେ ଲକ୍ଷଲକ୍ଷ ଭକ୍ତ ରଥର ଦଉଡ଼ିକୁ ଶ୍ରଦ୍ଧା ଓ ଭକ୍ତିରେ ଆଗକୁ ଟାଣିନିଅନ୍ତି । ମଝିରେ ଅଶୁରିଆ କିଆରୀ ନିକଟରେ ମୁଆଁଭୋଗ ଲାଗିହୁଏ । ରଥଯାଇ ଅଟକେ ରାମେଶ୍ୱର ମନ୍ଦିର ନିକଟରେ । ୫ଦିନ ସେଠାରେ ଦିଅଁମାନେ ଅବସ୍ଥାନ କଲାପରେ ବାହୁଡି ଆସନ୍ତି ଲିଙ୍ଗରାଜଙ୍କ ମନ୍ଦିରକୁ । ରଥକୁ ବୁଲା ନଯାଇ ଆସ୍ଥାନ ଆଗପଟରେ ସ୍ଥାପନ କରାଯାଏ । ଲୋକକଥାନୁସାରେ ଋକ୍ମଣୀର ଭାଇ ଋକ୍ମଣ କୃଷ୍ଣଙ୍କ ଉପରେ ପ୍ରତିଶୋଧ ନେବାଲାଗି ଉଦ୍ୟମକରି ଆଉ ଫେରିନଥିଲେ । ଭୁବନେଶ୍ୱରଠାରେ ଶିଶୁପାଳଗଡ଼ ଥିବାରୁ ଋକ୍ମଣୀଙ୍କ ନାମରେ ବୈଷ୍ଣବ ଧର୍ମ ପ୍ରଭାବରେ ରଥରନାମ ଋକୁଣାରଥ ହୋଇଛି । ମାତ୍ର ବୋଦ୍ଧଦେବୀ ମରିଚୀଙ୍କ ନାମାନୁସାରେ ମରିଚୀକୁଣ୍ଡ,ରାମେଶ୍ୱରମନ୍ଦିରସ୍ଥ ଅଶୋକଝର ଆଦିର ବର୍ଣ୍ଣନ ଫାହିୟାନଙ୍କ ବିବରଣୀରେ ଉଲ୍ଲେଖିତ ।
।ା ଜୟ ଜଗନ୍ନାଥ ।ା

Leave A Reply