ରାଜକନିକା : ଚଳିତ ବନ୍ୟାର ବିଭୀଷିକାରେ ରାଜକନିକା ବ୍ଲକ ୨୯ ପଂଚାୟତରୁ ୨୦ ପଂଚାୟତର ଜନଗଣ ଆଉଟୁପାଉଟୁ ହେଉଥିବା ବେଳେ ଏହା ସାଧାରଣ ନଜରରେ ୨୦୧୧ ବନ୍ୟାକୁ ଟପିଯାଇଥିବା କୁହାଯାଇଛି । ତେବେ ଆଳି ତଟବନ୍ଧ ବିଭାବର ରାଜକନିକା ଉପଖଣ୍ଡର ଅଧୀନ ସମସ୍ତ ୮୪ କିମି ବନ୍ଧରେ ୨୦୧୧ ବନ୍ୟାର ପରେ ପରେ ମରାମତି ଓ ରକ୍ଷଣାବେକ୍ଷଣ କରାଯାଇ ଥିବାରୁ ବନ୍ୟାର ପ୍ରକୋପ ରହିଥିଲେ ମଧ୍ୟ ବନ୍ଧବାଡ କ୍ଷତି ହୋଇ ନ ଥିବା ଜଳସଂପଦ ବିଭାଗ ପକ୍ଷରୁ ଦାବୀ କରାଯାଇଛି ।
ବିଶେଷକରି ୪୭ କିମିର ରିଂ ବନ୍ଧକୁ ସଂପୂର୍ଣ୍ଣଭାବେ ନଜରରେ ରଖାଯାଇ କାମ କରାଯାଇଥିବା ଏବଂ ଚଳିତ ବନ୍ୟାରେ କେତେକ ସ୍ଲୁଇସ ଓ ଗଳିଆକୁ ସଠିକ ଢଙ୍ଗରେ ମରାମତି କରିବାରେ ସକ୍ଷମ ଥିବାରୁ ସାଧାରଣ ଜନଜୀବନରେ ବନ୍ୟାର ବିଭୀଷିକା ରହିଥିବା ବେଳେ କୌଣସି ଗୋଟିଏ ବି ସ୍ଥାନରେ ଘାଇ ହେବାର ଆଶା ନ ଥିବାରୁ ଆଶ୍ୱସ୍ତି ପ୍ରକାଶ ପାଇଛି । ୨୦୧୧ ବନ୍ୟାପରେ ଜଳର ସ୍ତରକୁ ଅନୁଧ୍ୟାନ ରଖାଯାଇ ବନ୍ଧବାଡ ସଶକ୍ତ ରହିଥିବା ବେଳେ ୨୦୧୧ ବନ୍ୟାରେ ଯେଉଁ କେତେକ ଅଂଚଳକୁ ବନ୍ୟା ପ୍ରବେଶ କରି ନ ଥିଲା ସେସବୁ ଅଂଚଳରେ ବନ୍ୟା ବିଭିଷିକା ଖେଳାଇ ଦେଇଛି ।
୩ ଦିନ ଧରି ଖରସୋ୍ରତା,ବ୍ରାହ୍ମଣୀ,ବୈତରଣୀର ନଦୀ ମଧ୍ୟ ଦେଇ ଉପର ମୁଣ୍ଡର ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ତଳମୁଣ୍ଡର ସମୁଦ୍ର ଜୁଆର ବନ୍ୟାର ପ୍ରକୋପକୁ ଧରିବାରେ ସକ୍ଷମ ହୋଇଛି । ରାଜକନିକା ବ୍ଲକର ୧୭ ଟି ପଂଚାୟତ ପ୍ରଭାବିତ ହୋଇଥିବା କଥା ସରକାରୀ ଭାବରେ କୁହାଯାଇଥିବା ବେଳେ ୨୦ ପଂଚାୟତ ଚଳିତ ବନ୍ୟାରେ ପ୍ରଭାବିତ ହୋଇଛି । ଧୋୟାଂଚଳ ଭାବେ ବିଦିତ ରାଜକନିକାର ସବୁ ତଳିଆ ଅଂଚଳରେ ବନ୍ୟାପାଣି ବୀଭିଷିକା ଖେଳାଇ ଥିବାରୁ ଉଦ୍ଧାର ଓ ଥଇଥାନକାମର ଯଥେଷ୍ଟ ଆବଶ୍ୟକତା ରହିଥିବା ବେଳେ ୭ ହଜାରରୁ କଚ୍ଚାଘର ପ୍ରତି ବିପଦ ଦେଖା ଦେଇଛି । ବହୁ ଲୋକ ପାଣିଘେରେ ରହିଥିବା ବେଳେ ଦୈନିକ ଆବଶ୍ୟକତା ପାଇଁ ଘରୁ ବାହାରକୁ ବାହାରିବାକୁ କଦଳୀଭେଳା ର ଆଶ୍ରୟ ନେଇଛନ୍ତି । ଅନେକ ଗାଁର ଆଶ୍ରୟସ୍ଥଳୀ ଗୁଡିକ ପାଣିଘେରେ ଥିବାରୁ ସମସ୍ୟା ବି ବଢିଯାଇଛି ।
ବ୍ଲକର ପ୍ରଭାବିତ ପଂଚାୟତର ୫ ହଜାରରୁ ଅଧିକ ଶାରଦ ଧାନ ଫସଲ ବନ୍ୟାରେ ବୁଡି ରହିଥିବା ବ୍ଲକ କୃଷିବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ବ୍ଲକର ୩୬୧ଟି ନଳକୂପ ବୁଡି ରହିଥିବା ବେଳେ ପଧାନପଡା,ବାଲିସାହି,ବଡହଳୁପଡା,କନପୁର,ଗୁଂଠଳ,ମାନପୁର ଗାଁକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଥିବା ବେଳେ ପର୍ଯ୍ୟାପ୍ତ ପରିମାଣରେ ସମସ୍ତ ଅଂଚଳକୁ ପାଣିପାଉଚ ଦିଆଯାଇଥିବା କୁହାଯାଇଛି । ସେହିପରି ଅଧିକ ପ୍ରଭାବିତ ୫ଟି ପଂଚାୟତର ପମ୍ପହାଉସ ଗୁଡିକ ପାଣିରେ ବୁଡିଥିବା ସହ ବନ୍ୟାର ବିଜୁଳିକାଟ ଯୋଗୁ ପମ୍ପହାଉସ ଚାଲୁ ନ ଥିବା ଅଭିଯୋଗ ହୋଇଛି । ବ୍ଲକ ପ୍ରଶାସନ ପକ୍ଷରୁ ୨୫୦ କୁଇଂଟାଲ ଚୂଡା,୧୦୦ ଚକ ଗୁଡି, ୫ଟି ପଂଚାୟତକୁ ୫୦୦ କୁଇଂଟାଲ ଗୋଖାଦ୍ୟ,ମହମବତୀ,ଦିଅସିଲି,ଗୋଖାଦ୍ୟ ଯୋଗାଇ ଦିଆଯିବା ସହ ପଧାନପଡାରେ ୧୨୦୦,ଚରପଡାରେ ୬୦୦,ବାରହାଦୋମଣ୍ଡାରେ ୩୯୯ଙ୍କୁ ରନ୍ଧାଖାଦ୍ୟ ଯୋଗା ଦିଆଯିବା ସହ ସିକୋ ତ୍ରେଲୋକ୍ୟପୁର,ଭାରିଗଦା,କାଟଣାବଣିଆଁ ପଂଚାୟତରେ ରନ୍ଧାଖାଦ୍ୟ ଦିଆଯାଇଥିବା କୁହାଯାଇଛି ।
ଆଜି ଅପରାହ୍ନ ସୁଦ୍ଧା ଜଳସଂପଦ ବିଭାଗର ସୂଚନା ମୁତାବକ ଉପରମୁଣ୍ଡର ବନ୍ୟା କମିଥିଲେ ହେଁ ରାଜକନିକାର ସମସ୍ତ ନଦୀ ଉଚ୍ଚ ଜୁଆର ବନ୍ୟା କମିବାରେ ବାଧକ ସାଜିଥିବା ଏବଂ ଆଗକୁ ପୂର୍ଣ୍ଣମୀ ଥିବାରୁ ରାଜକନିକାରେ ଆହୁରି ଅଧିକ ଏକ ସପ୍ତାହ ପାଇଁ ବନ୍ୟା ପ୍ରକୋପ ରହିବା ପୁରୁଖା ଲୋକ କହିଛନ୍ତି । ରାଜକନିକାର ବନ୍ୟା ଦାଉରେ ପ୍ରଥମ ଶିକାର ହେଉଥିବା କଟକ-ଚାନ୍ଦବାଲି ରାସ୍ତା ପ୍ରଶସ୍ତୀକରଣରେ ଉଚ୍ଚ ହେବା ପରେ ରାଜକନିକା ବାହ୍ୟ ଜଗତରୁ ବିଛିନ୍ନ ହେବାରୁ ମୁକ୍ତ ରହିଥିଲେ ମଧ୍ୟ କଣ୍ଡିଆ-ରାଜକନିକା ରାସ୍ତା ସିହୋପଡା ଠାରେ ବୁଡି ଯାଇଥିବାରୁ ପଶ୍ଚିମ କନିକା ବାହ୍ୟଜଗତରୁ ବିଚ୍ଛିନ୍ନ ରହିଛି । ପ୍ରଭାବିତ ରହିଥିବା ପଧାନପଡା,ପଣସଗଣ୍ଡ,ଚରପଡା,ପାରିନୂଆପଡା ହାବଳଗଣ୍ଡ,ସିହୋପଡା,ହାଟସାହି,ନମତରା,ଦେଉଳତରା,ଭାରିଗଦ.ବରୁଣାଡିହା,ବରୁଣା,ନହୁଣୀ.ପେଗରପଡା,ଓଳାଭର,ବଳରାମପୁର ଆଦି ପଂଚାୟତରେ ବନ୍ୟା ସ୍ଥିତି ଉଦବେଗ ଜନକ ରହିଛି