ନାଟ୍ୟସାରଥି ଅଭୟ କୁମାର ଦାସ : ତାମିଲ ସିନେମାରୁ ଅଭିନୟ ଆରମ୍ଭ କରି ଭାରତୀୟ ଚଳଚ୍ଚିତ୍ର ଦୁନିଆର ଏକ ଉଜ୍ଜ୍ୱଳ ତାରକା ପାଲଟିଥିବା ଖ୍ୟାତନାମା ଚଳଚ୍ଚିତ୍ର ଅଭିନେତା ରଜନୀକାନ୍ତ ୨୦୧୯ ମସିହା ପାଇଁ ସିନେ ଜଗତର ସର୍ବଶ୍ରେଷ୍ଠ ସମ୍ମାନ ୫୧ତମ ଦାଦା ସାହେବ ଫାଲ୍କେ ସମ୍ମାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହା ନିଃସନେ୍ଦହ ରଜନୀକାନ୍ତ ଭାରତୀୟ ସିନେମା ଇତିହାସର ଜଣେ ଶ୍ରେଷ୍ଠ ଅଭିନେତା ସାଙ୍ଗକୁ ସିନେ ପ୍ରଯୋଜକ ଏବଂ ପ୍ରଚ୍ଛଦପଟ ଲେଖକ ହିସାବରେ ଅବିସ୍ମରଣୀୟ ଜାଭଡେକର କହିଛନ୍ତି । ସୂଚନାଥାଉକି ଏହି ସମ୍ମାନର ଚୟନ କମିଟି ସଦସ୍ୟ ଥିଲେ ଖ୍ୟାତନାମା କଣ୍ଠଶିଳ୍ପୀ ଆଶା ଭୋନ୍ସଲେ, ମୋହନଲାଲ, ସୁଭାଷ ଘାଇ, ବିଶ୍ୱଜିତ୍ ଚାଟର୍ଜୀ ଓ ଶଙ୍କର ମହାଦେବନ୍ ।
ରଜନୀକାନ୍ତ ମଧ୍ୟ ଗଣମାଧ୍ୟମରେ ଏଥିପାଇଁ କୃତଜ୍ଞତା ଜଣାଇବା ସହ ତାଙ୍କର ଏହି ବିରଳ କୃତିତ୍ୱର ଶ୍ରେୟ, ଅତୀତରେ ସେ ବସ୍ କଣ୍ଡକ୍ଟର ଥିଲାବେଳେ ତାଙ୍କ ଅଭିନୟ ଚାତୁରୀକୁ ଠଉରେଇ ପାରିଥିବା ବସ୍ ଚାଳକ, ବନ୍ଧୁ ରାଜ ବାହାଦୂର ଏବଂ ତାଙ୍କ ସଂଘର୍ଷମୟ ଦାରିଦ୍ର୍ୟ ବେଳେ ଅନେକ କିଛି ଉତ୍ସର୍ଗ କରିଥିବା ଭାଇ ସତ୍ୟ ନାରାୟଣ ରାଓ ଗାଇକ୍ୱାଡ଼ଙ୍କୁ ଦେଇଛନ୍ତି । ସେହିପରି ତାଙ୍କୁ ଜଣେ ଦକ୍ଷ ଅଭିନେତା ଭାବେ ପ୍ରତିଷ୍ଠିତ କରାଇଥିବା ଗୁରୁ କେ. ବାଲଚନ୍ଦରଙ୍କ ସମେତ ବିଭିନ୍ନ ପ୍ରଯୋଜକ, ନିଦେ୍ର୍ଦଶକ, ବିତରକ, ଗଣମାଧ୍ୟମ ଓ ତାମିଲ ଲୋକଙ୍କୁ ସେ ବଧେଇ ଜଣେଇଛନ୍ତି । ସ୍ମରଣଯୋଗ୍ୟ ୧୯୭୫ ମସିହାରେ କେ.ବାଲଚନ୍ଦରଙ୍କ ତାମିଲ ସିନେମା ଅପୂର୍ବ ରାଗାଙ୍ଗଲରେ ପ୍ରଥମେ ପଦାର୍ପଣ କରିଥିବା ରଜନୀକାନ୍ତ ପରେ ନିଜ ବଳିଷ୍ଠ ଅଭିନୟ କଳାରେ ହିନ୍ଦୀ ସିନେମାର ସୁପରଷ୍ଟାର ପାଲଟି ଯାଇଥିଲେ । ତାଙ୍କ ଅଭିନୟ ଜୀବନ ଭିତରେ ସେ ତାମିଲନାଡୁ ରାଜ୍ୟ ଚଳଚ୍ଚିତ୍ର ସମ୍ମାନ, ୨୦୦୦ରେ ପଦ୍ମଭୂଷଣ ଏବଂ ୨୦୧୬ ମସିହାରେ ପଦ୍ମବିଭୂଷଣ ସମ୍ମାନ ପ୍ରାପ୍ତ ହୋଇଥିଲେ । ଏଥି ସହିତ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବର ୪୫ ତମ ସଂସ୍କରଣରେ ସେ ଶ୍ରେଷ୍ଠ ଭାରତୀୟ ଅଭିନେତା ଭାବେ ଶତବାର୍ଷିକୀ ସମ୍ମାନ ଲାଭ କରିଥିଲେ ।
କନ୍ନଡରେ ପୌରାଣିକ କଥାବସ୍ତୁ ଧାରାବାହିକରୁ ସେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।
ପ୍ରଥମେ ପ୍ରଥମେ ସେ ଦୁର୍ଯେ୍ୟାଧନ ଭଳି ଖଳନାୟକ ଚରିତ୍ରରେ ଅଭିନୟ କରିଥିଲେ । ତେବେ ଏସ୍ପି ମୁଥୁରାମନଙ୍କ “ଭୁବନା ଓରୁ କେଲ୍ଭିକ୍କୁରି’ ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ ସକାରାତ୍ମକ ଭୂମିକାରେ ନଜର ଆସିଥିଲେ । ସେହିଭଳି “ମୋଣ୍ଡୁ ମୋଗାମ୍’ ଚଳଚ୍ଚିତ୍ରରେ ଏକ ସମୟରେ ତିନିଟି ଭୂମିକାରେ ଅଭିନୟ କରି ତାମିଲନାଡୁ ସରକାରଙ୍କ ପାଖରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ । ଟି ରାମାରାଓଙ୍କ “ଅନ୍ଧା କାନୁନ୍’ ଚଳଚ୍ଚିତ୍ରରୁ ସେ ବଲିଉଡରେ ପ୍ରବେଶ କରିଥିବା ବେଳେ ୧୯୮୮ରେ ହଲିଉଡ ଜଗତରେ ପାଦ ଥାପିଥିଲେ । ବ୍ଲଡଷ୍ଟୋନ ହେଉଛି ରଜନୀକାନ୍ତଙ୍କର ଏକମାତ୍ର ଅଭିନୀତ ହଲିଉଡ ଚଳଚ୍ଚିତ୍ର । ୧୯୯୫ରେ ବାସା ଚଳଚ୍ଚିତ୍ରରୁ ରଜନୀଙ୍କ କ୍ୟାରିୟରର ଅଗ୍ରଗତି ହୋଇଥିଲା । ଏହାପରେ ସେ ତାମିଲ, ହିନ୍ଦୀ, ମାଲାୟାଲମ୍, କନ୍ନଡ, ତେଲୁଗୁ ସମେତ ବେଙ୍ଗଲୀ ଚଳଚ୍ଚିତ୍ର “ଭାଗ୍ୟ ଦେବତା’ରେ ମଧ୍ୟ ଅଭିନୟ କରିଥିଲେ । ସେହିଭଳି ମୀନା ହେଉଛନ୍ତି ଏକମାତ୍ର ଅଭିନେତ୍ରୀ ଯିଏ ରଜନୀଙ୍କ ସହ ଉଭୟ ଶିଶୁ କଳାକାର ଓ ଅଭିନେତ୍ରୀ ଭାବେ ଅଭିନୟ କରିଛନ୍ତି ।
ଭାରତୀୟ ସିନେ ଜଗତର ସର୍ବୋଚ୍ଚ ସମ୍ମାନ ୫୧ ତମ “ଦାଦା ସାହେବ ଫାଲ୍କେ ପୁରସ୍କାର’ ପାଇଁ ଚଳଚ୍ଚିତ୍ର ଜଗତର ଅପ୍ରତିଦ୍ୱନ୍ଦ୍ୱୀ ଅଭିନେତା ରଜନୀକାନ୍ତଙ୍କ ନାମ ଘୋଷଣା ହୋଇଛି । ଏହି ଅବସରରେ ସୁପରଷ୍ଟାର ରଜନୀକାନ୍ତ ପୁରସ୍କାରର ସମସ୍ତ ଶ୍ରେୟ ଭାଇ ସତ୍ୟନାରାୟଣ ରାଓ ଗାୟକୱାଡ଼ଙ୍କ ଠାରୁ ଆରମ୍ଭ କରି ତାମିଲ ଚଳଚ୍ଚିତ୍ର ନିଦେ୍ର୍ଦଶକ ତଥା ତାଙ୍କ ପରାମର୍ଶଦାତା କେ. ବାଲାଚନ୍ଦରଙ୍କୁ ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସମସ୍ତ ନାଁ ଭିତରେ ରାଜନୀକାନ୍ତ ତାଙ୍କ ପୁରୁଣା ସାଙ୍ଗ ବସ୍ଚାଳକ ରାଜ ବାହାଦୂରଙ୍କୁ ଭୁଲି ନାହାନ୍ତି । ୭୦ ଦଶକରେ ରଜନୀକାନ୍ତ ଯେତେବେଳେ ବେଙ୍ଗାଲୁରୁରେ ବସ୍ର ରୁଟ ୧୦ ଓ ୧୦ “ଏ’ର ଶ୍ରୀନଗରରୁ ମାଜେଷ୍ଟିକ୍ ପର୍ଯ୍ୟନ୍ତ କଣ୍ଡକ୍ଟର ଭାବେ କାମ କରୁଥିଲେ ସେତେବେଳେ ବସ ଚାଳକ ରାଜ ବାହାଦୂରଙ୍କ ସହ ତାଙ୍କର ପରିଚୟ ହୋଇଥିଲା ।
କିଛି ବର୍ଷର ମିଳାମିଶା ମଧ୍ୟରେ ବାହାଦୂର ବନ୍ଧୁ ରଜନୀକାନ୍ତଙ୍କର ଅଭିନୟ କରିବାର ଇଛା ବିଷୟରେ ଜାଣିଥିଲେ । ଏହା ପରଠୁ ସେ ରଜନୀଙ୍କୁ ଅଭିନୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଏକ ପ୍ରେରଣାର ଉତ୍ସ ହୋଇଥିଲେ । ସେ ରଜନୀଙ୍କୁ ଚେନ୍ନାଇସ୍ଥିତ ଅଦ୍ୟାର ଫିଲ୍ମ ଇନ୍ଷ୍ଟିଚୁ୍ୟଟକୁ ପାଠ ପଢ଼ିବା ପାଇଁ ପଠାଇଥିଲେ । ଏପରିକି ତାଙ୍କର ଦୁଇବର୍ଷର କୋର୍ସ ଫି ପାଇଁ ବାହାଦୂର ତାଙ୍କ ଦୁଗ୍ଧଫ୍ୟାକ୍ଟିରୁ ହେଉଥିବା ଆୟକୁ ରଜନୀକାନ୍ତଙ୍କୁ ଦେଇଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ନିଜର ପ୍ରତିଟି ଫିଲ୍ମ ମୁକ୍ତିଲାଭ କରିବା ପରେ ରଜନୀକାନ୍ତ ବାହାଦୂରଙ୍କ ଘରକୁ ଆସି ତାଙ୍କୁ ଦେଖା କରନ୍ତି । ଭାରତୀୟ ତଥା ତାମିଲ ଜଗତର ମହାନ କଳାକାର ରଜନୀକାନ୍ତଙ୍କ ସଫଳତା ଯେମିତି ଆକାଶଛୁଅାଁ, ପୁରସ୍କାରର ଫର୍ଦ୍ଦ ବି ସେତିକି ଅଧିକ । ତାଙ୍କ ନାମରେ ରହିଛି ଭାରତର ଦୁଇ ଦୁଇଟି ବେସାମରିକ ସମ୍ମାନ “ପଦ୍ମ ବିଭୂଷଣ’ ଓ “ପଦ୍ମ ଭୂଷଣ’ ।
ଏଥିସହ ଚାରିଟି ତାମିଲନାଡୁ ରାଜ୍ୟ ଚଳଚ୍ଚିତ୍ର ଶ୍ରେଷ୍ଠ ଅଭିନେତା ସମ୍ମାନ, ଗୋଟିଏ ଫିଲ୍ମ ଫେୟାର ଶ୍ରେଷ୍ଠ ତାମିଲ ଅଭିନେତା ସମ୍ମାନ । ଏହା ବ୍ୟତୀତ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସେ ଅନେକ ପୁରସ୍କାରର ହକ୍ଦାର ହୋଇଛନ୍ତି । ଏଥିସହ ଦିଗ୍ଗଜ ଅଭିନେତା ଏମ୍.ଜି ରାମଚନ୍ଦ୍ରନ୍ଙ୍କ ପରେ ତାମିଲ ଚଳଚ୍ଚିତ୍ର ଜଗତର ସବୁଠାରୁ ଦାମୀ ଅଭିନେତା ହେଉଛନ୍ତି ରଜନୀକାନ୍ତ । ୧୯୭୫ ମସିହାରେ ଅପୂର୍ବା ରାଗାଙ୍ଗଲ ଚଳଚ୍ଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିବା ରଜନୀକାନ୍ତ ଜୀବନରେ ବହୁ ଘାତପ୍ରତିଘାତ ସମ୍ମୁଖୀନ ହୋଇଛନ୍ତି । ସେ ବହୁ ଭାଷାରେ ଚଳଚ୍ଚିତ୍ର କରିଥିବାବେଳେ ୧୯୯୫ ମସିହାର ସୁେରେଶ କି୍ରଷ୍ଣାଙ୍କ ନିଦେ୍ର୍ଦଶିତ ଚଳଚ୍ଚିତ୍ର “ବାସା’ ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲା ।
ଏହା ବକ୍ସ ଅଫିସରେ ଧମାକା କରିଥିବା ବେଳେ ରଜନୀଙ୍କୁ ଏହି ଚଳଚ୍ଚିତ୍ର ତାମିଲ ଚଳଚ୍ଚିତ୍ର ଜଗତର ଭଗବାନ କରି ଦେଇଥିଲେ । ଏହାପରେ ୨୦୦୭ ମସିହାରେ “ଶିବାଜୀ’ ବହୁ ଚଳଚ୍ଚିତ୍ରର ରେକର୍ଡ଼ ଭାଙ୍ଗିବା ସହ ତୃତୀୟ ୧୦୦ କୋଟି ଟଙ୍କାରୁ ଉଦ୍ଧ୍ୱର୍ ଆୟ କରିଥିବା ଚଳଚ୍ଚିତ୍ରରେ ପରିଣତ ହୋଇଥିଲା । ରଜନୀକାନ୍ତ ନିଜ ସଂଳାପ ଓ ନିଆରାଶୈଳୀ ଯୋଗୁଁ ବେଶ ଲୋକପ୍ରିୟ । ଏଥିସହ ନିଜ ରାଜନୈତିକ ମନ୍ତବ୍ୟ ଓ ଲୋକପକାର ପାଇଁ ବି ସେତିକି ଚର୍ଚ୍ଚିତ । ତାମିଲନାଡୁକୁ କାବେରୀ ନଦୀ ପାଣି ନ ଛାଡ଼ିବାକୁ ନେଇ କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ୨୦୦୨ ମସିହାରେ ରଜନୀ ଦିନିକିଆ ଅନଶନରେ ବସିଥିଲେ ।
ଏଥିସହ ଭାରତୀୟ ନଦୀଗୁଡ଼ିକର ଅନ୍ତଃସଂଯୋଗ ଯୋଜନା ପାଇଁ ସେ ୧୦ ମିଲିଅନ୍ ଟଙ୍କାର ଅନୁଦାନ ରାଶି ବି ପ୍ରଦାନ କରିଥିଲେ । ଅନେକ ଜାଣିନଥିବେ ସିବିଏସ୍ସି ପାଠ୍ୟକ୍ରମରେ ସ୍ଥାନ ପାଇଥିବା ପ୍ରଥମ ଓ ଏକମାତ୍ର ଅଭିନେତା ହେଉଛନ୍ତି ରାଜନୀକାନ୍ତ । ସିିବିଏସ୍ସି ସିଲାବସ୍ରେ ଗୋଟିଏ ବିଷୟ ରହିଛି “ଫ୍ରମ୍ ବସ କଣ୍ଡକ୍ଟର ଟୁ ସୁପାରଷ୍ଟାର’ ଅର୍ଥାତ୍ “ବସ୍ କଣ୍ଡକ୍ଟରରୁ ସୁପରଷ୍ଟାର’ ଯାହାକି ରଜନୀକାନ୍ତଙ୍କ ଜୀବନୀ ଉପରେ ଆଧାରିତ । ଏଥିସହ ତାଙ୍କ ଦର୍ଶକୀୟ ଆଦୃତିକୁ ନେଇ ଚଳଚ୍ଚିତ୍ର “ଫର ଦ ଲଭ୍ ଅଫ୍ ଏ ମ୍ୟାନ’ର ପ୍ରିମିଅର ୭୧ତମ ଭେନିସ୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଥିଲା ।
Comments are closed.