ଉକ୍ରଳାନନ୍ଦ ଅଜୟ କୁମାର ବେହେରା : ରଜ ପର୍ବ କେବଳ ଓଡ଼ିଶାରେ ପାଳିତ ହେଉଥିବାରୁ ଏହାକୁ ଓଡ଼ିଶାର ନିଜପର୍ବ ଓଡ଼ିଆ ପର୍ବ । ପର୍ବ କହିଲେ ବିଷ୍ଣୁ ପୁରାଣ ଅନୁସାରେ “ଚତୁର୍ଦ୍ଦଶ୍ୟାଷ୍ଟମୀ ଚୈବ ଅମାବାସ୍ୟାଥ ପୂର୍ଣ୍ଣିମା ପର୍ବଣ୍ୟେ-ତାନି ରାଜେନ୍ଦ୍ର ! ରବି ସଂକ୍ରାନ୍ତି ରେବଚ’ – ଚତୁର୍ଦ୍ଦଶୀ, ଅଷ୍ଟମୀ, ଅମାବାସ୍ୟା, ପୂର୍ଣ୍ଣିମା ଓ ରବି ସଂକ୍ରମଣ ବା ସଂକ୍ରାନ୍ତି – ଏହି ପାଞ୍ଚ ପାଞ୍ଚଗୋଟି ହିଁ “ପଞ୍ଚପର୍ବ’ ନାମରେ ପ୍ରସିଦ୍ଧ । “ରଜ’ ଉତ୍ସବ ମିଥୁନ ସଂକ୍ରାନ୍ତିକୁ ନେଇ ଅନୁଷ୍ଠିତ ହେଉଥିବାରୁ – ଏହାକୁ “ପର୍ବ’ ବୋଲି କହିବାରେ ଶାସ୍ତ୍ରୀୟ ସମର୍ଥନ ରହିଛି ।
ଯସ୍ୟାଂ ସମୁଦ୍ର ଉତ ସିନ୍ଧୁରାପୋ
ଯସ୍ୟା ମନ୍ନଂ କୃଷ୍ଟୟଃ ସଂବଭୂବୁଃ ।
ଯସ୍ୟାମିଦଂ ଜିନ୍ୱତି ପ୍ରାଣଦେଜତ୍
ସା ନୋ ଭୂମିଃ ପୂର୍ବପେୟେ ଦଧାତୁ ।
ଯେଉଁ ପୃଥିବୀ ଉପରେ ସମୁଦ୍ର, ନଦୀ ଓ ଜଳ ରହିଛନ୍ତି, ଯେଉଁଥିରେ ଅନ୍ନ ଓ ମାନବସୃଷ୍ଟିର ସତ୍ତା ରହିଛି, ଯେଉଁଠାରେ ସମସ୍ତେ ଆନନ୍ଦିତ ହୁଅନ୍ତି, ଶ୍ୱାସ ପ୍ରଶ୍ୱାସ ନିଅନ୍ତି, ତାହା ବିଚରଣ କରନ୍ତି, ସେହି ଭୂମିକୁ ଆମେ ପ୍ରଥମ ସମ୍ମାନ ଦେବା ।
ପୃଥିବୀ ପ୍ରତି ଏହି ସମ୍ମାନବୋଧ, କୃତଜ୍ଞତା ଓ ଚେତନତ୍ୱର ଆରୋପ ହିଁ ରଜ ଉତ୍ସବର ମୂଳତତ୍ତ୍ୱ । ଆମର ବାସଭୂମି ପୃଥିବୀ ଏକ ନିଷ୍ପ୍ରଣ ମୃତ୍ତିକାପିଣ୍ଡ ନୁହେଁ । ଏହାର ପ୍ରାଣ ଅଛି । ଏହା ଆମକୁ ଧରା ହୋଇ ଧରି ରଖିଛି ଏବଂ କ୍ଷମା ଭାବରେ ସବୁ ସହି ଭୂତଧାତ୍ରୀ ପରି ପାଳନ କରୁଛି । ପୃଥିବୀଠାରେ ଏହି ମାତୃଚେତନା ବା ମାଟି ପ୍ରତି ମମତା ହିଁ କୃତଜ୍ଞ ମନୁଷ୍ୟକୁ ରଜପର୍ବରେ ତିନିଦିନ ପାଇଁ କର୍ଷଣ କରିବାରୁ ନିବୃତ୍ତ କରିଛି ।
ଜ୍ୟୋତିଶଶାସ୍ତ୍ର ଅନୁସାରେ ସୂର୍ଯ୍ୟ ବାର ଭାଗରେ ବିଭକ୍ତ ରାଶିଚକ୍ରରେ ୬୦୦ ବା ବୃଷରାଶିକୁ ତ୍ୟାଗକରି ଯେତେବେଳେ ମିଥୁନ ରାଶିରେ ପ୍ରବେଶ କରିବେ, ସେହିଦିନ ସୂର୍ଯ୍ୟଙ୍କର ମିଥୁନ ସଂକ୍ରମଣ ମିଥୁନ ରାଶି ପ୍ରବେଶ ହୁଏ ଏବଂ ଉକ୍ତ ଦିନଟିକୁ ମିଥୁନ ସଂକ୍ରାନ୍ତି କୁହାଯାଏ । ମିଥୁନ ରାଶି ଅର୍ଥାତ୍ ରାଶିଚକ୍ରର ୬୦ ଡିଗ୍ରୀ ଠାରୁ ୯୦ ଡିଗ୍ରୀ ପର୍ଯ୍ୟନ୍ତ ବ୍ୟାପ୍ତ ଅଂଶରେ ସୂର୍ଯ୍ୟ ଏକମାସ ରହନ୍ତି ଏବଂ ଏହି ମାସଟିକୁ ମିଥୁନ ସୌର ମାସ କୁହାଯାଏ । ଏକ ଗଦାଧାରୀ ପୁରୁଷ ଓ ବୀଣାଧାରିଣୀ ସ୍ତ୍ରୀଙ୍କର ଯୁଗ୍ମ ବିଗ୍ରହ ଭାବରେ ମିଥୁନ ରାଶିଟିର କଳ୍ପନା ହୋଇଛି ।
ପ୍ରଶ୍ନୋପନିଷଦ୍ରେ କୁହାଯାଇଛି –
ସଃ ମିଥୁନମ୍ ଉତ୍ପାଦୟତେ, ଚୟିଂ ଚ ପ୍ରାଣଂ ଚ ଇତି । ଏତୌ ମେ ବହୁଧା ପ୍ରଜାଃ କରିଷ୍ୟତ ଇତି । ଆଦିତ୍ୟୋ ହବୈ ପ୍ରାଣୋ ରୟିରେବ ଚନ୍ଦ୍ରମାଃ । ଏଠାରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ମିଥୁନଙ୍କୁ ପ୍ରାଣ ଓ ଅନ୍ନ କହି ସେମାନଙ୍କ ଗତିରୁ ହେଉଥିବା ଦିନ ଓ ରାତି, ଋତୁ ଓ ମାସ ତଥା ନବବର୍ଷ ହିଁ ଅଭିଲକ୍ଷିତ । ମୃଗଶିରା ନକ୍ଷତ୍ରର ଦୁଇପାଦ, ଆର୍ଦ୍ରାର ଚାରିପାଦ ଓ ପୁନର୍ବସୁ ନକ୍ଷତ୍ରର ତିନିପାଦକୁ ନେଇ ମିଥୁନରାଶି ହୋଇଛି । ଏହି ତିନି ନକ୍ଷତ୍ରରେ ସେହି ଏକ ମିଥୁନତତ୍ତ୍ୱ ବି ପରିଲକ୍ଷିତ ହୁଏ । ଐତରେୟ ବ୍ରାହ୍ମଣ ଅନୁସାରେ ପ୍ରଜାପତି ବ୍ରହ୍ମା ସ୍ୱୀୟ କନ୍ୟା ରୋହିଣୀ ପ୍ରତି କାମାସକ୍ତ ହେବାରୁ ରୋହିଣୀ ଲଜ୍ଜା ଓ ଭୟରେ ମୃଗ ରୂପରେ ପଳାୟନ କଲେ । ବ୍ରହ୍ମା ମଧ୍ୟ ମୃଗ ରୂପରେ ମୃଗୀରୂପା ରୋହିଣୀଙ୍କର ଅନୁଧାବନ କରିବାରୁ ଦେବତାମାନେ ସେମାନଙ୍କର ରୌଦ୍ରଅଂଶରୁ ଭୂତବାନଙ୍କୁ ସୃଷ୍ଟି କଲେ ଏବଂ ସେହି ଭୂତବାନ ଭୂତପତି ମୃଗରୂପୀ ବ୍ରହ୍ମାଙ୍କର ଶିରଚ୍ଛେଦ କରି ଆକାଶରେ ସ୍ଥାପନ କଲେ । ଏହାହିଁ ହେଉଛି ଆମର ମୃଗଶିରା ନକ୍ଷତ୍ର ପ୍ରାଚୀନ କାଳରେ ମୃଗଶିରା ନକ୍ଷତ୍ରରେ ହିଁ ବାସନ୍ତକ୍ରାନ୍ତିପାତ ଘଟୁଥିଲା ଏବଂ ଏହିଠାରୁ ହିଁ ବର୍ଷାରମ୍ଭ ହେଉଥିଲା ।
ରଜର ତିନି ଦିନ ଅର୍ଥାତ୍ ପହିଲି ରଜ, ସଂକ୍ରାନ୍ତି ଓ ଭୂମି ଦହନ – ଏହି ତିନି ଦିନ ପାଳନ କରିବା ସକାଶେ ଓଡ଼ିଶାର ଝିଅ ବୋହୂମାନେ ସବୁକାମ ସାରି ସଜ ହୁଅନ୍ତି । ନୂଆଲୁଗା ପିନ୍ଧି ବିଭିନ୍ନ ସ୍ଥାନ ଦେଖିବାକୁ ଦଳ ଦଳ ହୋଇ ବୁଲି ବାହାରନ୍ତି, ଦୋଳି ବାନ୍ଧି “ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ’ – ବୋଲି ଗୀତ ଗାଇ ଆନନ୍ଦରେ ଝୁଲନ୍ତି ।
ଏହି ତିନି ଦିନ ସେମାନେ ରନ୍ଧାବଢ଼ା ଓ କଟାବଟା ଇତ୍ୟାଦି ଗୃହକର୍ମ ନକରି ସଂପୂର୍ଣ୍ଣ ବିଶ୍ରାମ ନିଅନ୍ତି । ସତତ କର୍ମରତ ଗୃହବଧୂ ଓ କନ୍ୟାମାନଙ୍କର କୃଷି କର୍ମରେ କଠୋର ପ୍ରବୃତ୍ତି ସକାଶେ ଏ ତିନି ଦିନ ଯେପରି ପ୍ରସ୍ତୁତି ବିଶ୍ରାମ । ପୃଥିବୀ ରଜସ୍ୱଳା ପାଳନ ବିଧିରେ ଝିଅ ବୋହୂମାନଙ୍କୁ ଶିକ୍ଷା ଦେବା ଉଦେ୍ଦଶ୍ୟରେ ଏହି ଯେଉଁ ପର୍ବର କଳ୍ପନା ସେଥିରେ ଶରୀର ସକାଶେ ବିଶ୍ରାମ, ମନ ପାଇଁ ଆନନ୍ଦ ଓ ଭବିଷ୍ୟତ ସକାଶେ ସ୍ୱପ୍ନ ଥିଲେ ହିଁ ପୃଥିବୀ ଯେପରି ଶସ୍ୟ ଶ୍ୟାମଳା ହେବ ମଣିଷର ସାଂସାରିକ ଜୀବନଯାପନ ସକାଶେ ସେପରି ସ୍ୱଚ୍ଛଳ ହେବ ବୋଲି ନିଦେ୍ର୍ଦଶ ରହିଛି । ରବି ରଜାର ମିଥୁନ ବା ମିଳନରେ ଯେତେ ଆନନ୍ଦ, ଯେତେ ଉନ୍ମାଦନା – ସବୁ ରାଜସ ବିଳାସ, ସତେ ଯେପରି ଆମରି ମଧ୍ୟରେ ଅବତରଣ କରିଛି – ଏଇ ଫଳପ୍ରସ୍ୱ ମାଟିର ଉର୍ବରତା ଦ୍ୟୋତକ ରୁଜ – ପର୍ବର ମନ ମତାଣିଆ ମଉଚ୍ଛବ ବା ମହୋତ୍ସବରେ ।
ବସୁମତୀ ସ୍ନାନ ରଜ ପର୍ବର ଅନ୍ୟତମ ଦିବସ । ଏହା ବସୁମାତାଙ୍କ ଶୁଦ୍ଧ ସ୍ନାନ । ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ ଓ ଶୁଦ୍ଧ ସ୍ନାନ ନାମରେ ଏହା ଲୋକପ୍ରିୟ । ମାର୍ଗଶୀର ଶେଷ ଗୁରୁବାର ବନ୍ଦ ହୋଇଥିବା ମହାଲକ୍ଷ୍ମୀ ପେଡ଼ି ଏହି ଦିନ ଲେଖାଯାଏ । ରଜସ୍ୱଳା ନାରୀ ସଦୃଶ ତିନିଦିନ ଅସ୍ପୃଶ୍ୟ ହୋଇ ରହିବା ପରେ ଚତୁର୍ଥ ଦିନ ପ୍ରାତଃକାଳରେ ଧରିତ୍ରୀ ମା’ର ଶୁଦ୍ଧ ସ୍ନାନ ପର୍ବ ପାଳନ କରାଯାଏ । ଏହି ଦିନ ଆନନ୍ଦ ଉଲ୍ଲାସ ପରିବର୍ତ୍ତେ ଆଧ୍ୟାତ୍ମିକତା ସ୍ଥାନ ନେଇଥାଏ । ବସୁମତୀ ସ୍ନାନରେ ଧରଣୀ ମାତାକୁ ଭକ୍ତି ଭାବର ସହ ପୂଜା କରାଯାଏ । ଶୁଦ୍ଧସ୍ନାନ ପରେ ଧରଣୀ ସଶ୍ୟବୀଜ ଧାରଣ କରିପାରେ ।
Comments are closed.