Odisha news

ଭୟାବହ ଅଗ୍ନିକାଣ୍ଡ,୫ ବଖରା ଘର ଭସ୍ମୀଭୂତ

0
ରାଜକନିକା ୧/୩ : ରାଜକନିକା ବ୍ଲକ ଅନ୍ତର୍ଗତ ସିହୋପଡା ପଞ୍ଚାୟତ ଆଗପଡା ଗ୍ରାମର ବିଶ୍ବମ୍ବର ମଳିକଙ୍କ ୫ ବଖରା ଘର ଗତକାଲି ବିଳମ୍ବିତ ରାତିରେ ପୋଡି
ପାଉଁଶ ହୋଇଯାଇଛି।ଫଳରେ ଘର ମଧ୍ୟରେ ଥିବା ସମସ୍ତ ଜିନିଷପତ୍ର ପୋଡି ହୋଇଯାଇଛି।ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରରେ ହଠାତ୍ ବିଶ୍ବମ୍ବର ଙ୍କ ଘର ହୁତୁ ହୁତୁ ହୋଇ ଜଳୁଥିଵାର କିଛି ଲୋକ ଦେଖି ଚିତ୍କାର କରିଥିଲେ।ଏହା ଦେଖି ଘର ମଧ୍ୟରେ ଥିବା ଘରମାଲିକ ବିଶ୍ବମ୍ବର ଓ ତାଙ୍କ ପତ୍ନୀ କମଳିନୀ ସହାୟତା ପାଇଁ ଡାକ ପକାଇ ଥିଲେ। ନିଆଁର ପ୍ରକୋପ ଏତେ ଥିଲା ଯେ ପୋଖରୀରୁ ପାଣି ଆଣି ନିଆଁ କୁ ଆୟତ୍ତ କରିବା ସମ୍ଭବ ନ ଥିଲା।ତୁରନ୍ତ ରାଜକନିକା ଦମକଳ କେନ୍ଦ୍ରକୁ ଖବର ଦେବା ପରେ ଦମକଳ ଗାଡି ରାସ୍ତା ନ ପାଇ ବିଲ ମଧ୍ୟରେ ଢେର୍ ବିଳମ୍ବରେ ପହଞ୍ଚିଲା ବେଳକୁ ନିଆଁ ପ୍ରକୋପରେ ୫ ବଖରା ଘର ଭସ୍ମୀଭୂତ ହୋଇ ସାରିଥିଲା ବୋଲି କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ଜୟନ୍ତ କୁମାର ମଳିକ। ତେବେ ଦମକଳ ଗାଡି ଗ୍ରାମର ଅଣ ଓସାରିଆ ରାସ୍ତାରେ ଆସି ନ ପାରି ବିଲ ମଧ୍ୟରେ ଆସିଥିବାରୁ ବିଳମ୍ବ ହୋଇଛି ବୋଲି ଜଣା ପଡିଛି। ନିଆଁ କେମିତି ଲାଗିଲା ଜଣା ପଡି ନ ଥିଲେ ବି ସର୍ଟ ସର୍କିଟ ଯୋଗୁଁ ଲାଗିଥାଇ ପାରେ ବୋଲି ଅନୁମାନ କରାଯାଉଛି। ଅଗ୍ନିକାଣ୍ଡ ଫଳରେ ଘର ମଧ୍ୟରେ ଥିବା ସମସ୍ତ ଆସବାବପତ୍ର,୩୦ ବସ୍ତା ଧାନ,ପଲଙ୍କ,ଖଟ, କଂସା ବାସନ, ଗହଣାଗାଣ୍ଠି,ମଟର ସାଇକେଲ,ଦିଇଟା ଟିଭି,ସମସ୍ତ କାଗଜପତ୍ର ପୋଡି ହୋଇ ପାଉଁଶ ହୋଇ ଯାଇଛି।ତେବେ ଗୃହ ପାଳିତ ଗୋରୁ ଦୁଇଟି ରକ୍ଷା ପାଇଁ ଯାଇଥିଲେ ବି ପନ୍ଦରଟି କୁକୁଡ଼ା ପୋଡି ପାଉଁଶ ହୋଇଯାଇଛି।ଖବର ପାଇ ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ରାଉତ, ଉପାଧ୍ୟକ୍ଷ ତନ୍ମୟ
ରଞ୍ଜନ ଦାସ,ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟ,ତହସିଲଦାର ଅଶୋକ ଦେହୁରୀ, ସ୍ଥାନୀୟ ଆର୍ ଆଇ ଆର୍ଯ୍ୟକୁମାର ପ୍ରାଥମିକ ତଦନ୍ତ କରି ଫେରଯାଇଥିଲେ ବି ସରକାରୀ ନିୟମାନୁସାରେ ସମସ୍ତ ସହାୟତା ପ୍ରଦାନ କରା ଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ତେବେ ସ୍ଥାନୀୟ ଆର୍ ଆଇଙ୍କ ପକ୍ଷରୁ ବିପନ୍ନ ପରିବାରକୁ ପଲିଥିନ୍ ଯୋଗାଇ ଦିଆଯାଇଛି।ଏହା ବ୍ୟତୀତ ଅଗ୍ରଣି ସାମାଜିକ ଅନୁଷ୍ଠାନ ସଂଯୋଗ ଫାଉଣ୍ଡେସନର କର୍ମକର୍ତ୍ତାମାନେ ଘଟଣା  ସ୍ଥଳରେ ପହଞ୍ଚି ରାସନ୍ ସାମଗ୍ରୀ,ନଗଦ ଅର୍ଥରାଶି ପ୍ରଦାନ କରିଛନ୍ତି।ଏହା ବାଦ୍ ବିପନ୍ନଙ୍କୁ ସ୍ଥାନୀୟ କ୍ଲବଘରେ ରଖିବା ସହ ସେମାନଙ୍କ ପାଇଁ ରନ୍ଧା ଖାଦ୍ୟ ଦେବାକୁ ବିଡିଓ  ରବିନାରାୟଣ ଆଚାର୍ଯ୍ୟ ପଞ୍ଚାୟତ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇ ବିଶ୍ବମ୍ବର ଖୋଲା ଆକାଶ ତଳେ ପଡିଯିବାରୁ ତୁରନ୍ତ ସେମାନଙ୍କୁ ସହାୟତା ଯୋଗାଇ ଦେବା ଆବଶ୍ୟକ ହୋଇ ପଡ଼ିଛି।
Leave A Reply