ମାହାଙ୍ଗା ୨/୦୫ : ମାହାଙ୍ଗା ବ୍ଲକ୍ରେ ଅଦିନିଆ ବର୍ଷା ଯୋଗୁ ଶହ ଶହ ଏକର ମୁଗ ଓ ବିରି ଫସଲ ଅମଳ ହୋଇନପାରି ବିଲରେ ନଷ୍ଟ ହୋଇଯାଇଛି । ଗତ ବର୍ଷ ବାତ୍ୟା ଫନିରେ ମାହାଙ୍ଗା ଅଂଚଳରେ ମୁଗ ଓ ବିରି ଫସଲ ନଷ୍ଟ ହୋଇଯାଇଥିଲା । ଏପର୍ଯ୍ୟନ୍ତ ଚାଷୀମାନେ ସରକାରୀ ସହାୟତା ପାଇନଥିବା ବେଳେ ବର୍ତମାନ ମୁଗ ଓ ବିରି ଫସଲ ନଷ୍ଟ ହୋଇଯିବା ଯୋଗୁ ମାହାଙ୍ଗା ଅଂଚଳର ଚାଷୀମାନଙ୍କୁ ଦୁଃଖ ଦ୍ୱିଗୁଣିତ ହୋଇଯାଇଛି । କେବଳ ମୁଗ ଓ ବିରି ଚାଷ ନୁହେଁ ପରିବା ଚାଷୀମାନେ ମଧ୍ୟ ମୁଣ୍ଡରେ ହାତ ଦେଇ ବସିଛନ୍ତି ।
ବର୍ଷା ଯୋଗୁ ପରିବା ଚାଷୀଙ୍କ ସମସ୍ୟା ନକହିଲେ ଭଲ । ବାଇଗଣ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଲକଡାଉନ ସମୟରେ ଚାଷୀମାନେ ନିଜ ପନିପରିବା ଉଚିତ୍ ଦରରେ ବିକ୍ରୟ ପାରି ନଥିଲେ ଯାହା ଫଳରେ ହାଜର ହଜାର ଟଙ୍କାର କ୍ଷତି ଚାଷୀମାନଙ୍କୁ ସହିବାକୁ ପଡିଥିଲା । ବର୍ତମାନର ଅଦିନିଆ ବର୍ଷା ଯୋଗୁ ମାହାଙ୍ଗା ଅଂଚଳର ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ରାଜ୍ୟସରକାର ତୁରନ୍ତ ଚାଷୀମାନଙ୍କ ସମସ୍ୟାକୁ ସମାଧାନ କରିବା ସହିତ ସେମାନଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ବେଲେଶ୍ୱରୀ କୃଷକ ସଂଗଠନର ସମ୍ପାଦକ ପ୍ରଦୀପ ସାମଲ ଦାବୀ ଜଣାଇଛନ୍ତି ।
