ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନସିଙ୍ଗ ଜରିଆରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ.ୟେଦୁରପ୍ପା ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ.ଜଗନମୋହନ ରେଡ୍ଡୀଙ୍କ ସହିତ ଉଭୟ ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କ ଫେରିବା ସମ୍ପର୍କରେ ଆଲୋଚନା
ଭୁବନେଶ୍ୱର: ଲକ ଡାଉନ ସମୟରେ ଉଭୟ ରାଜ୍ୟ ସରକାର ସେଠାରେ ରହିଥିବା ଓଡ଼ିଆମାନଙ୍କର ଉପଯୁକ୍ତ ଯତ୍ନ ନେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ.ୟେଦୁରପ୍ପା ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ.ଜଗନମୋହନ ରେଡ୍ଡୀଙ୍କୁ ଧନ୍ୟବାଦ ଜଣାଇଥିଲେ | ଓଡିଶାକୁ ଫେରିବାକୁ ଚାହୁଁଥିବା ଓଡ଼ିଆ ଲୋକମାନେ ଯେପରି ସୁବିଧାରେ ଫେରି ଆସି ପାରିବେ ସେଥିରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ | ଆଲୋଚନା ସମୟରେ ଉଭୟ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ଯେ ସେମାନଙ୍କ ରାଜ୍ୟ ସରକାର ଇତି ମଧ୍ୟରେ ଅନେକ କାର୍ଯ୍ୟ ଆରମ୍ଭ କରିଲେଣି | ତେଣୁ ଯେଉଁମାନେ ଚାହିଁବେ ସେମାନେ ସେଠାରେ ରହି ମଧ୍ୟ କାମ କରିପାରିବେ | ଯେଉଁମାନେ ସେମାନଙ୍କ ରାଜ୍ୟକୁ ଫେରିବାକୁ ଚାହାନ୍ତି ସେମାନଙ୍କୁ ସବୁ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ ବୋଲି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ |ଏହି ବୈଠକରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭିଡ଼ିଓ କନଫରେନସିଙ୍ଗ ଜରିଆରେ ଯୋଗ ଦେଇଥିଲେ |
ଯେଉଁମାନେ ଓଡ଼ିଶା ଫେରିବାକୁ ଆଗ୍ରହୀ ସେମାନଙ୍କୁ ଯେପରି ସେଠାରୁ ଓଡ଼ିଶା ସରକାରଙ୍କ ଅନଲାଇନ ପୋର୍ଟାଲରେ ପଞ୍ଜିକରଣ କରିପାରିବେ ସେଥିପାଇଁ ସହଯୋଗ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ |
ଓଡ଼ିଶା ଫେରିବାକୁ ଚାହୁଁଥିବା ଓଡ଼ିଆ ଲୋକଙ୍କର ସ୍କ୍ରିନିଂ, ରେଜିଷ୍ଟ୍ରସନ ଏବଂ ଯାତ୍ରା ସମ୍ପର୍କିତ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଏକ ବିଧିବଦ୍ଧ ପ୍ରଟୋକଲ ପ୍ରସ୍ତୁତି ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା | ବୈଠକରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର. ବାଲକ୍ରିଷ୍ଣନ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ |