Odisha news

ସାଲେପୁର : ଚୋରା ମଦ ସହ ଛାତ୍ର ନେତା ଗିରଫ, କାର୍ ଜବତ

0

ସାଲେପୁର, ୨ ।୫- ଗୁରୁବାର ବିଳମ୍ବିତ ରାତିରେ ସାଲେପୁର ପୁଲିସ ଜଣେ ଛାତ୍ର ନେତାଠାରୁ ଦାମିକିଆ ବିଦେଶୀ ମଦ ସହ ଦାମୀ କାର୍ ଜବତ କରିବା ସହ ତାକୁ ଗିରଫ କରିବା ଘଟଣା ସାଲେପୁର ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଖବରରୁ ପ୍ରକାଶ ଯେ ଗୁରୁବାର ବିଳମ୍ବିତ ରାତ୍ରିରେ ସାଲେପୁର ଥାନାରୋଡ୍ରେ ରହୁଥିବା ଚିତ୍ତରଂଜନ ଦାସଙ୍କ ପୁତ୍ର ମିହିର କୁମାର ଦାସ (ବଣ୍ଟି) ନିଜ ଏକ୍ସୟୁଭି କାର୍ ନଂ-ଓ.ଡି.୦୫ଏ.କୁ୍ୟ୦୩୨୯ରେ ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଦାମୀ ବିଦେଶୀ ମଦ ଆଣି ସାଲେପୁର ଅଞ୍ଚଳରେ ଚୋରାରେ ବିକ୍ରି କରିବାକୁ ନେଉଥିବାବେଳେ ସାଲେପୁର ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତାକୁ ସାଲେପୁର ବଜାରର କୁଆଁପାଳ ଛକ ନିକଟରେ ଅଟକାଇ ଗାଡ଼ିକୁ ତନଖି କରିବାରୁ ଗାଡ଼ିରୁ ବ୍ୟାପକ ପରିମାଣର ବିଦେଶୀ ମଦ ମିଳିଥିଲା ।

ଏହି ଘଟଣାରେ ପୁଲିସ ସାଲେପୁର ଥାନାରେ କେଶ୍ ନଂ୧୫୭/୨୦୨୦ରେ ଦଫା-୨୬୯, ୨୬୮, ଆଇ.ପି.ସି. ଏବଂ ୫୨ଏ ଅବକାରୀ ଅଧିନିୟମରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିବା ସହ ବ୍ୟବହୃତ ଗାଡ଼ି ଓ ଚୋରା ବିକ୍ରୟ ପାଇଁ ନେଉଥିବା ମଦକୁ ଜବତ କରିଥିଲେ । ପରେ ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ବେଲ୍ବଣ୍ଡରେ ଛାଡିଦେଇଥିବା ଜଣାଯାଇଛି । ଅପର ପକ୍ଷରେ ଏହି ଚୋରା ମଦ ସହ ଗିରଫ ହେବା ଖବର ସାଲେପୁର ଅଞ୍ଚଳରେ ପ୍ରଚାରିତ ହେବାପରେ ମିହିର ଦାସଙ୍କୁ ନେଇ ରାଜନୀତି ସରଗରମ୍ ହୋଇଛି । ସୋସିଆଲ୍ ମିଡ଼ିଆରେ କେତେକ ବ୍ୟକ୍ତି ମିହିର ଦାସ ଛାତ୍ର ବିଜୁ ଜନତା ଦଳର ସଂପାଦକ ଭାବେ କାର୍ଯ୍ୟ କରୁଥିବା ଭାଇରାଲ୍ ହୋଇଥିବାବେଳେ ଅନ୍ୟ କେତେକ ଛାତ୍ର ବିଜୁ ଜନତା ଦଳର ମହାସଚିବ ବୋଲି ଭିଡ଼ିଓ ମଧ୍ୟ ଭାଇରାଲ୍ ହୋଇଛି ।

ଏ ସଂପର୍କରେ ଆମ ପ୍ରତିନିଧି ସାଲେପୁର ବ୍ଲକ୍ ବିଜୁ ଛାତ୍ର ଜନତା ଦଳର ସଭାପତି ଶୁଭମ୍ ଦାଶଙ୍କୁ ପଚାରିବାରୁ ସେ କହିଲେ ଯେ ମିହିର ପୂର୍ବରୁ ଛାତ୍ରଜନତା ଦଳରେ କାର୍ଯ୍ୟକରୁଥିଲେ । କିନ୍ତୁ ଦଳ ବିରୋଧୀ କାର୍ଯ୍ୟ କରିବାରୁ ଗତ ୧ମାସ ତଳେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଅପର ପକ୍ଷରେ ମିହିରର ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ ଥିବା ଫଟୋଚିତ୍ର ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଘଟଣା ଏବେ ସାଲେପୁର ଅଞ୍ଚଳରେ ରାଜ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply