ଭୁବନେଶ୍ୱର, ୦୧ ସେପ୍ଟେମ୍ବର – ପଶ୍ଚିମବଙ୍ଗ ଏବଂ ଏହାର ନିକଟବର୍ତୀ ଅଂଚଳ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାରେ ଆସନ୍ତା ୪୮ ଘଂଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ସୂଚନା ଅନୁଯାୟୀ ଆସନ୍ତା ୨୪ ଘଂଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଅନୁଗୁଳ ଏବଂ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଢେ଼ଙ୍କାନାଳ, ଗଜପତି, ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, ବୌଦ୍ଧ, କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି ।
ଅଗଷ୍ଟ ୩ ତାରିଖ ଅପରାହ୍ନ ସୁଦ୍ଧା ଓଡିଶାର ଜିଲ୍ଲାମାନଙ୍କର ଅନେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି । ଏହି ସମୟ ମଧ୍ୟରେ ସୋନପୁର, ସମ୍ବଲପୁର, ବଲାଙ୍ଗୀର ଏବଂ ବରଗଡ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଝାରସୁଗୁଡା, ସୁନ୍ଦରଗଡ, କଳାହାଣ୍ଡି, ଏବଂ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୪୮ ଘଂଟା ପାଇଁ ଏହି ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
Next Post