ବେତନଟୀ/ବୈଶିଙ୍ଗା : ପ୍ରାୟ ଦୁଇ ସପ୍ତାହ ଧରି ଲଘୁଚାପ ଜନିତ ବର୍ଷା ପାଇଁ ବାଉଁଶ ନଦୀର ବନ୍ୟାଜଳ ମେର୍ଦ୍ଦା ଓ ରଘୁପୁର ପଞ୍ଚାୟତର ଶହ ଶହ ଏକର ଚାଷ କୁ ଦୀର୍ଘ ଦିନ ଧରି ଜଳମଗ୍ନ କରି ରଖିଥିବା ଦେଖା ଯାଇଛି। ଫଳରେ ପନ୍ଦର ଦିନ ପୂର୍ବରୁ ଧାନ ତଳି ରୁଆ ହୋଇଥିବା ଚାଷ ଜମି ଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇ ଥିବାର ଜଣାଯାଇଛି। ବନ୍ୟାଜଳ ଛାଡି ଯିବା ପରେ ଆଉ ଥରେ ଧାନ ତଳି ପକାଇ ଦ୍ୱିତୀୟ ବାର ତଳି ରୁଇବା ସମ୍ଭବପର ନୁହେଁ। ଏଣୁ ଶତାଧିକ ଚାଷୀ ବର୍ଷକର ଖାଦ୍ୟ ହରାଇବା ନିଶ୍ଚିତ ହୋଇଯାଇଛି। ବାଉଁଶ ନଦୀର ଅବବାହିକା ଅଞ୍ଚଳ ବୈଦିପୁର, ବର୍ତ୍ତନା, ଆଳଦିଆ, ଡାହିସାହି, ସାତପୌଟିଆ ଆଦି ଗ୍ରାମର ଗ୍ରାମବାସୀ ମାନଙ୍କ ମଧ୍ୟରୁ ରସାନନ୍ଦ ସାହୁ, ରବୀନ୍ଦ୍ର ସାହୁ,ତ୍ରୀଲୋଚନ ସାହୁ, ଦନାର୍ଦ୍ଦନ ସାହୁ, ନନ୍ଦକିଶୋର ସେଠୀ, ସତ୍ୟଜିତ୍ ସାହୁ, ଜନ୍ମେଜୟ ସେଠୀ, ତପନ କୁମାର ସେଠୀ, ମନୋରଞ୍ଜନ ସାହୁ,ସତ୍ୟ ରଞ୍ଜନ ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି। ବନ୍ୟା ଜଳ ଛାଡି ଯିବା ପରେ ବିଭାଗୀୟ ଅଧିକାରୀ ଏହି କ୍ଷୟ କ୍ଷତିର ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।