କଣିହାଁ: କଣିହାଁ ଥାନା ଡେରଙ୍ଗ ଗ୍ରାମରେ ମୋବାଇଲ ଚୋରୀକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ କଳି ହେବା ସହ ମାଡପିଟ ହୋଇଛି । ମୋବାଇଲ ଚୋରୀ ହୋଇଥିବା ଅନନ୍ତ ସାହୁର ସ୍ତ୍ରୀ ଲିଲି ସାହୁଙ୍କୁ ସେହି ଗ୍ରାମରେ ରହୁଥିବା ଆନନ୍ଦ ଧୀର ଏକ ରଡ ସାହାଯ୍ୟରେ ଲିଲିର ଛାତିକୁ ଭୁଷି ଦେଇଥିଲା । ଏଥିରେ ଲିଲି ସାହୁ ଆହତ ହୋଇଥିବା ନେଇ ଲିଲିର ସ୍ୱାମୀ ଅନନ୍ତ ଗୁରୁବାର କଣିହାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗକୁ ଭିତି କରି କଣିହାଁ ପୁଲିସ ଏକ ମୋକଦ୍ଦମା ରୁଜୁ କରି ଅଭିଯୁକ୍ତ ଆନନ୍ଦକୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛନ୍ତି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗୁରୁବାର ଅପରାହ୍ନରେ ଅନନ୍ତ ନିଜର ବାଇକ ଉପରେ ଏକ ମୋବାଇଲ ରଖିଥିଲେ । ସେହି ସମୟରେ ତାଙ୍କ ଘରକୁ ଆନନ୍ଦ ଧୀର ବୁଲି ଆସିଥିଲେ । ମାତ୍ର ପରେ ବାଇକ ଉପରେ ମୋବାଇଲ ନଥିବା ଦେଖି ସନେ୍ଦହ କରି ଆନନ୍ଦକୁ ପଚାରିଥିଲେ । ଫଳରେ ଆନନ୍ଦ ଅନନ୍ତକୁ ପାଟିତୁଣ୍ଡ କରିଥିଲା ।
ଉକ୍ତ ଘଟଣାର ସ୍ୱାମୀ ଠାରୁ ଅନନ୍ତର ସ୍ତ୍ରୀ ଲିଲି ଆନନ୍ଦର ଘରକୁ ଯାଇ ଆନନ୍ଦ ଓ ତାର ସ୍ତ୍ରୀ ରୁନୁ ସହ କଳି ଲାଗିଥିଲା । ଏଥିରେ ଆନନ୍ଦ ରାଗିଯାଇ ଅନନ୍ତର ସ୍ତ୍ରୀ ଲିଲିକୁ ଏକ ଲୁହା ରଡରେ ଆକ୍ରମଣ କରିଥିଲା । ଶୁକ୍ରବାର ଆନନ୍ଦର ସ୍ତ୍ରୀ ରୁନୁ ଧୀର ମଧ୍ୟ ଅପରପକ୍ଷରେ ଅନନ୍ତ ଓ ତାଙ୍କର ସ୍ତ୍ରୀ ଲିଲି ଆମ ଘରକୁ ଆସି ଗଣ୍ଡଗୋଳ କରି ମାଡପିଟ କରିଥିବା କଥା ଥାନାରେ ଲିଖିତ ଅଭିଯୋଗ କରିଛି । ପୁଲିସ ଏଥି ନେଇ ଅନ୍ୟ ଏକ ମୋକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛି ।