Odisha news

ଡମ୍ବରୁଡହର ସଙ୍ଗରୋଧ କେନ୍ଦ୍ର ଅନ୍ତେଃବାସୀଙ୍କ ଆତ୍ମହତ୍ୟା ଘଟଣା : ବାରୁଣୀରେ ଶବ ଦାହ , ସାନ ଭାଈ ଦେଲେ ମୁଖାଗ୍ନି

0

ବେତନଟୀ, ୧୬/୫ : ବେତନଟୀ ବ୍ଲକର ଡମ୍ବରୁଡହର ସଙ୍ଗରୋଧ କେନ୍ଦ୍ରରେ ଥିବା ଅନ୍ତେଃବାସୀ ରାଇକମାର ଜଗନ୍ନାଥ ବେହେରାଙ୍କ ମଧ୍ୟମ ପୁତ୍ର ସୁରେନ୍ଦ୍ର ବେହେରା ଗତକାଲି କେନ୍ଦ୍ରରୁ ବାହାରି ପାଖରେ ଥିବା ଏକ ମହୁଲ ଗଛରେ ନିଜ ଲୁଙ୍ଗିରେ ଫାଶି ଲଗାଇ ଆତ୍ମହତ୍ୟା କରି ଥିଲେ । ଏହି ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ବେଳେ ଆଜି ସୁରେନ୍ଦ୍ରଙ୍କ ସାନଭାଈ ନରେନ୍ଦ୍ର ଗଣ ମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି । ଗୋଟିଏ ପଟେ ସଙ୍ଗରୋଧରେ ଥିବା ଅନ୍ୟ ଲୋକଙ୍କ ମଧ୍ୟରୁ ସୁରେନ୍ଦ୍ରଙ୍କୁ ତିନି ଜଣ ବ୍ୟକ୍ତି ମାନସିକ ସ୍ତରରେ ଅତ୍ୟାଚାର କରି ଥିଲେ ଓ ସେଥିପାଇଁ ସୁରେନ୍ଦ୍ର ଆତ୍ମହତ୍ୟା କରି ଥିବାର କହିଛନ୍ତି । ଅନ୍ୟ ପକ୍ଷରେ ସରକାରୀ ହେପାଜାତରେ ତାଙ୍କ ଭାଈ ଥିବା ବେଳେ ଏପର୍ଯ୍ୟନ୍ତ ଦାୟୀତ୍ୱରେ ଥିବା କର୍ମଚାରୀ ମାନଙ୍କ ବିରୁଦ୍ଧରେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ ।

ତଳିଆ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଲେ ତାହା ଆଗକୁ ବରିଷ୍ଠ ଅଧିକାରୀ ମାନଙ୍କ ଗୁମର ଖୋଲିବ ବୋଲି ଏବେ ଅଁଳା ପଞ୍ଚାୟତରେ ସାଧାରଣରେ ଆଲୋଚନା ହେଉଛି । ତେବେ ଗତକାଲି ଏହି ଆତ୍ମହତ୍ୟା ଘଟଣା ଘଟିବା ପରେ ବେତନଟୀ ଏସଡିପିଓ ଲଳିତ କୁମାର ପଟ୍ଟନାୟକ, ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁ, ବେତନଟୀ ଥାନା ଆଇଆଇସି ଅଶୋକ କୁମାର ନାୟକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଥିଲେ । ଶେଷରେ ଶବ ପଞ୍ଚନାମା କରି ଏଏସଆଇ ସୁଶାନ୍ତ କୁମାର ମହାକୁଡ ଶବକୁ ବ୍ୟବଚ୍ଛେଦ ପାଇଁ ବାରିପଦା ଚାଲାଣ କରି ଥିଲେ । ଗତକାଲି ଶବ ବାରିପଦା ବ୍ୟବଚ୍ଛେଦ କେନ୍ଦ୍ରରେ ଦିବା ୩ଟା ୪୫ ମିନିଟରେ ପହଞ୍ଚି ଥିଲେ ମଧ୍ୟ ତାହା ବ୍ୟବଚ୍ଛେଦ ହୋଇ ନଥିଲା ।

ଶବ ସହିତ ଥିବା ସୁରେନ୍ଦ୍ରଙ୍କ ସାନ ଭାଈ ନରେନ୍ଦ୍ର ବେହେରାଙ୍କୁ ସଂପୃକ୍ତ ଡାକ୍ତର ଏହି ବ୍ୟକ୍ତି ବାବଦରେ କୋଭିଡ ରିପୋର୍ଟ ନଆସିଲେ ବ୍ୟବଚ୍ଛେଦ ହୋଇ ପାରିବ ନାହିଁ ବୋଲି କହି ଥିଲେ । ଶବ ବାରିପଦାରେ ପଡି ରହି ଥିଲା । ଆଜି ସୁରେନ୍ଦ୍ରଙ୍କ କକା ଚନ୍ଦ୍ରକାନ୍ତ ବେହେରା, ସାନଭାଈ ନରେନ୍ଦ୍ର ବେହେରା, ଜ୍ୱାଇଁ ଭାଗିରଥୀ ପାଲ, ଶଳା କର୍ଣ୍ଣ ବେହେରା, ଶ୍ୱଶୁର ଉମେଶଚନ୍ଦ୍ର ବେହେରା ପ୍ରମୁଖ ବେତନଟୀ ବିଡିଓ ସ୍ମୃତିରଞ୍ଜନ ମଲ୍ଲିକଙ୍କୁ ଭେଟି ଗତକାଲି ପାଖରୁ ଶବ ବ୍ୟବଚ୍ଚେଦ ହୋଇ ନଥିବା ଘଟଣା ପ୍ରକାଶ କରି ଥିଲେ । ଶେଷରେ ଜରୁରୀ କାଳୀନ ପାଣ୍ଠିରୁ ଏହି ପରିବାରକୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରା ଯାଇଛି ।

ଆଜି ଅପରାହ୍ନ ୪ଟା ସମୟରେ ତଦନ୍ତକାରୀ ଅଧିକାରୀ ସୁଶାନ୍ତ କୁମାର ମହାକୁଡଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ହୋଇ ଥିଲା । ସୁରେନ୍ଦ୍ରଙ୍କ ମୃତ ଦେହକୁ ସ୍ଥାନୀୟ ବାରୁଣୀ ଘାଟକୁ ନେଇ ଦାହ ସଂସ୍କାର କରା ଯାଇ ଥିଲା । ସାନଭାଈ ନରେନ୍ଦ୍ର ମୁଖାଗ୍ନି ଦେଇ ଥିଲେ । ପରିବାରକୁ ମିଳିଥିବା ଜରୁରୀ ସହାୟତା ରାଶିରେ ସାନଭାଈ ଓ ପରିବାରର ସଦସ୍ୟମାନେ ସମସ୍ତ ଖର୍ଚ୍ଚ ବହନ କରି ଥିଲେ । ସରକାରୀ ହେପାଜାତରେ ଥାଇ ଦେହାନ୍ତ ହୋଇ ଥିବା ବେଳେ ପ୍ରଶାସନ ତରଫରୁ କୌଣସି ସ୍ୱତନ୍ତ୍ର ସହାୟତା କରା ଯାଇ ନଥିବାର ସୂଚନା ମିଳିଛି । ବଡ ଭାଈର ଶବ ଦାହ କରି ସାନ ଭାଈ ଘରକୁ ଫେରିବା ପରେ ସୁରେନ୍ଦ୍ରଙ୍କ ଏକମାତ୍ର ପୁତ୍ର ସମୀର କୁମାରର ଅବସ୍ଥା ତାଙ୍କୁ ବିଚଳିତ କରିଛି ।

ସୁରେନ୍ଦ୍ରଙ୍କ ବଡଭାଈ ଉପେନ୍ଦ୍ର କର୍ଣ୍ଣାଟକରେ ଅଛନ୍ତି । ଭାଈର ଏପରି ମୃତ୍ୟୁ ହୋଇ ଥିବା ଖବର ପାଇ ଥିଲେ ମଧ୍ୟ ସଂପ୍ରତି ପରିସ୍ଥିତିରେ ସେ ଫେରି ପାରି ନାହାଁନ୍ତି । ମୃତ ସୁରେନ୍ଦ୍ରଙ୍କ ପିତା ଜଗନ୍ନାଥ ବେହେରାଙ୍କ ଦେହାନ୍ତ ହୋଇ ଯାଇ ଥିଲା ହେଲେ ତାଙ୍କ ମାତା ବାସନ୍ତୀ ଜୀବିତ ଅଛନ୍ତି । ନିଜ ପୁତ୍ରର ଏପରି ଅଚାନକ ଦେହାନ୍ତ ତାଙ୍କୁ ମର୍ମାହତ କରିଛି । ଅନ୍ୟ ପକ୍ଷରେ ସୁରେନ୍ଦ୍ରଙ୍କ ପନôୀ ପଦ୍ମାବତୀ ସେହି ଡମ୍ବରୁଡହର ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି । ସ୍ୱାମୀଙ୍କ ମର ଶରୀର କିପରି ଦାହ ସଂସ୍କାର ହେଲା ସେ ବାବଦରେ ଅବଗତ ହୋଇ ପାରି ନାହାଁନ୍ତି । ଗତକାଲି ଅଁଳା ସରପଞ୍ଚଙ୍କ ସହିତ ଯୋଗାଯୋଗ କରି ହରିଶ୍ଚନ୍ଦ୍ର ପାଣ୍ଠିରୁ ସହାୟତା ବାବଦରେ ଅନୁରୋଧ କରା ଯାଇ ଥିଲେ ମଧ୍ୟ ଖବର ଲେଖା ଯିବା ପର୍ଯ୍ୟନ୍ତ ହରିଶ୍ଚନ୍ଦ୍ର ପାଣ୍ଠିର ସହାୟତା ପରିବାର ନିକଟରେ ପହଞ୍ଚି ନଥିଲା ବୋଲି ସାନଭାଈ ନରେନ୍ଦ୍ର ସୂଚନା ପ୍ରଦାନ କରିଛନ୍ତି ।

Leave A Reply