ପୁରୀ,୯ା୮: ସମବାୟ ଆନେ୍ଦାଳନର ପ୍ରବକ୍ତା,ପୁରୀ ଜିଲ୍ଲା ଲେଖକ ସହଯୋଗ ସମିତିର ପ୍ରତିଷ୍ଠାତା ବିଶିଷ୍ଟ ସାହିତି୍ୟକ ପ୍ରସନ୍ନ କୁମାର ମିଶ୍ରଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧାଞ୍ଜଳି ସଭାରେ ସଭାପତିତ୍ୱ କରିଥିଲେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରୀସ୍କାର ପ୍ରାପ୍ତ ଶିଶୁ ସାହିତି୍ୟକ ବୀରେନ୍ଦ୍ର ମହାନ୍ତି । ସ୍ୱର୍ଗତ ମିଶ୍ର ଜଣେ ସୁସାହିତି୍ୟକ, ସଂସ୍କୃତି ପ୍ରେମୀ, ବିଶିଷ୍ଟ ସମବାୟବିତ୍, ଦକ୍ଷ ସଂଗଠକ ଓ ଭାଷାପ୍ରେମୀ ଥିଲେ । ସାହିତ୍ୟ ଓ ସଂସ୍କୃତିର ପ୍ରସାରରେ ତାଙ୍କର ଅତୁଳନୀୟ ଅବଦାନ ଥିଲା ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ ।
ଭାଷାବିତ୍ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ସାହିତି୍ୟକ ମାନସ ମହାପାତ୍ର, ଡକ୍ଟର ହେମନ୍ତ କୁମାର ଛୋଟରାୟ, କବୟିତ୍ରୀ ଶୈଳବାବଳା ମହାପାତ୍ର, କ୍ରିଷ୍ଣା ମହାପାତ୍ର, କବି ବିପିନ ବିହାରୀ ଦଳାଇ, ଶ୍ୟାମ ପ୍ରକାଶ ସେନାପତି, ସଙ୍ଗୀତକାର ପ୍ରକାଶ ଚନ୍ଦ୍ର ରଥ, ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସଂସଦର ସମ୍ପାଦକ ମହେନ୍ଦ୍ର ବିଶୋଇ, ଶିଶୁ ସାହିତି୍ୟକ ରମେଶ ଚନ୍ଦ୍ର ଦାସ, ମିନତୀ ପଟ୍ଟନାୟକ, ଲକ୍ଷ୍ମୀଧର ମାଝୀ, ଆଡ଼ଭୋକେଟ ଦେବାଶିଷ ଦାସ, ସର୍ବେଶ୍ୱର ନନ୍ଦ ଓ ଶିବରାମ ପ୍ରଧାନ ପ୍ରମୁଖ ସ୍ୱର୍ଗତ ମିଶ୍ରଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ମିଶ୍ରଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସଙ୍ଗେ ସଙ୍ଗେ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ମିଶ୍ରଙ୍କ ବିଧବା ପତ୍ନୀ, ପୁଅ, ବୋହୁ ଓ ଆତ୍ମୀୟ ସ୍ୱଜନମାନେ ସ୍ମୃତିଚାରଣ ସଭାରେ ଉପସ୍ଥିତ ଥିଲେ ।