Odisha news

ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ଝଲସିଲେ ରଥାରୂଢ଼ ବିଗ୍ରହ ମାନେ

0
ପୁରୀ: ଆଷାଢ଼ ମାସ ଶୁକ୍ଳ ହରିଶୟନ ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ରଥାରୂଢ଼ ବିଗ୍ରହମାନଙ୍କର ଦୁର୍ଲଭ ସୁନା ବେଶ ବା ବଡ଼ତଢାଉ ବେଶ ଆଜି ଅନୁଷ୍ଠିତ ହୋଇଛି। ସନ୍ଧ୍ୟା ଆଳତି ପରେ ରଥାରୂଢ଼ ବିଗ୍ରହ ମାନଙ୍କର ସୁନା ବେଶ ଅନୁଷ୍ଠିତ ହୋଇ ଥିଲା। ଅପରାହ୍ନ ୪ ଟା ୧୦ ମିନିଟରେ ସୁନା ବେଶ ଆରମ୍ଭ ହୋଇ ସନ୍ଧ୍ୟା ୫ ଟା ୧୦ ମିନିଟରେ ଶେଷ ହୋଇ ଥିଲା। ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ଆଭୁଷିତ ହୋଇ ବିଗ୍ରହ ମାନେ ସୁନା ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତୀ। ଉଜ୍ବଳ ଆଲୋକର ଆଲୋକରେ ଝଲସି ଉଠି ଥିଲେ ସ୍ୱର୍ଣ୍ଣ ଅଳଙ୍କାରରେ ଆଭୂଷିତ ହୋଇଥବା ବିଗ୍ରହ ମାନେ। ସେହିପରି ଉଜ୍ବଳ ଆଲୋକରେ ଝଲସି ଉଠି ଥିଲା ତିନି ରଥ । ଯାହା ଅତ୍ୟନ୍ତ ଆକର୍ଷଣୀୟ ଓ ମନୋରମ ଦୃଶ୍ୟ ହୋଇ ଥିଲା। ବିଗ୍ରହ ମାନଙ୍କର ଦିବ୍ୟ ସୁନା ବେଶ ଦର୍ଶନ କରି ଅପାର ଆନନ୍ଦ ଅନୁଭବ କରିଛନ୍ତି ଭକ୍ତମାନେ।
ବିଗ୍ରହ ମାନଙ୍କର ସୁନା ବେଶ ଦେଖିବା ପାଇଁ ପୁରୀରେ ଆଜି ପନ୍ଦର ଲକ୍ଷରୁ ଉର୍ଦ୍ଧ ଭକ୍ତଙ୍କ ଭିଡ଼ ଜମି ଥିବା ଅନୁମାନ କରାଯାଇଛି। ମେଡ଼ିକାଲ ଛକ ଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ବଡଦାଣ୍ଡ ଏକ ଜନ ସମୁଦ୍ରରେ ପରିଣତ ହୋଇ ଥିବା ଦେଖିବାକୁ ମିଳି ଥିଲା। ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୋଲିସ ପକ୍ଷରୁ ମାର୍କେଟ ଛକ ଠାରୁ ସିଂହ ଦ୍ୱାର ପର୍ଯ୍ୟନ୍ତ ରାସ୍ତାରେ ବ୍ୟାରିକେଡ଼ କରା ଯାଇ ଥିଲା। ଭକ୍ତ ମାନେ ବ୍ୟାରିକେଡ଼ ଦେଇ ସିଂହଦ୍ଵାର ସମ୍ମୁଖ ଆସି ସେଠାରେ ତିନି ରଥ ତଳେ ଛିଡା ହୋଇ ରଥାରୁଢ଼ ବିଗ୍ରହ ମାନଙ୍କର ସୁନା ବେଶ ଦର୍ଶନ କରି ଛନ୍ତି। ସୁନା ବେଶ ଉପଲକ୍ଷେ ରଥାରୂଢ଼ ବିଗ୍ରହମାନଙ୍କର ସମସ୍ତ ନୀତି କାନ୍ତି ଆଜି ସଅଳ ହୋଇ ଥିଲା। ସନ୍ଧ୍ୟା ଆଳତି ପରେ ଅପରାହ୍ନରେ ତିନି ଠାକୁରଙ୍କର ବେଶ ଆରମ୍ଭ ହୋଇ ଥିଲା। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର ଭଣ୍ଡାରଘରୁ ପାଳିଆ ମେକାପ, ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ, ପୋଲିସ ଫୋର୍ସ ଓ ମନ୍ଦିର କର୍ମଚାରୀଙ୍କ ଉପସ୍ଥିତିରେ ବିଗ୍ରହ ମାନଙ୍କର ସ୍ୱର୍ଣ୍ଣ ଅଳଙ୍କାର ତିନି ରଥ ନିକଟକୁ ଆସି ଥିଲା। ସେଠାରେ ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଛ, ଭିତରର୍ଚ୍ଛ ପ୍ରଭୁତି ସେବକ ମାନେ ବିଗ୍ରହ ମାନଙ୍କୁ ସ୍ୱର୍ଣ୍ଣ ଅଳଙ୍କାରରେ ବେଶ କରି ଥିଲେ। ଶ୍ରୀ ମନ୍ଦିର ପରମ୍ପରା
 ଅନୁଯାୟୀ ବର୍ଷକୁ ପାଞ୍ଚ ଥର ବିଗ୍ରହ ମାନେ ସୁନା ବେଶ ହୋଇ ଥାଆନ୍ତି। ବର୍ଷକୁ ୪ ଥର ମନ୍ଦିର ଭିତରେ ହୋଇ ଥିବା ବେଳେ ବାହୁଡା଼ ଯାତ୍ରା ପରଦିନ ଏକାଦଶୀ ତିଥିରେ ରଥ ଉପରେ ସୁନା ବେଶ ଅନୁଷ୍ଠିତ ହୋଇ ଥାଏ। ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା, ଦଶହରା, କାର୍ତ୍ତିକ ପୂର୍ଣ୍ଣିମା ଦିନ ମନ୍ଦିର ଭିତରେ ଓ ଆଷାଢ଼ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ରଥ ଉପରେ ସୁନା ବେଶ ଅନୁଷ୍ଠିତ ହୋଇ ଥାଏ।
ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଆଜି ବଡ଼ ଠାକୁର ବଳଭଦ୍ର ସୁନାରେ ତିଆରି ଶ୍ରୀପୟର, ଶ୍ରିଭୂଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ର ସୂର୍ଯ୍ୟ, ଆଡକାନି, ଘାଗଡା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠୀ,  ହଳ ଓ ମୁଷଳ( ଆୟୁଧ), ବାଘଡା ମାଳି, ବାଘ ନଖ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା, କମର ପଟ୍ଟିରେ ଆଭୂଷଣ ହୋଇ ଥିଲେ। ଦେବୀ ସୁଭଦ୍ରା କିରଟ ଓଡ଼ିଆଣୀ, କାନ, ଚନ୍ଦ୍ର ସୂର୍ଯ୍ୟ, ଘାଗଡା ମାଳି, କଦମ୍ବ ମାଳି, ୨ ଟି ତଗଡି ଓ ସେବତୀ ମାଳି ଆଦି ଅଳଙ୍କାରରେ ଆଭୂଷିତ ହୋଇ ଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ କିରଟ, ଶ୍ରୀଭୂଜ, ଶ୍ରୀପୟର ଓଡ଼ିଆଣୀ, ଚନ୍ଦ୍ର ସୂର୍ଯ୍ୟ, ଆଡକାନି, ଘାଗଡା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି , ସ୍ୱର୍ଣ୍ଣ ଚକ୍ର, ରୌପ୍ୟ ଶଙ୍ଖ, ହରିଡା, କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତ୍ରୀଖଣ୍ଡିକା କମର ପଟି ଆଦି ଅଳଙ୍କାରରେ ଆଭୂଷିତ ହୋଇ ଥିଲେ। ଅପରାହ୍ନରୁ ଦର୍ଶନ ଆରମ୍ଭ ହୋଇ ରାତ୍ର ୧୧ ଟା ପର୍ଯ୍ୟନ୍ତ ଚାଲି ଥିଲା। ସୁନା ବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଆଜି ଭକ୍ତଙ୍କ ପ୍ରବଳ ଭିଡ଼ ଜମି ଥିବା ଦେଖିବାକୁ ମିଳିଛି । ବିଗ୍ରହ ମାନଙ୍କର ଶୃଙ୍ଖଳିତ ନୀତି କାନ୍ତି ଓ  ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ,  ଜିଲ୍ଲାପାଳ ସମର୍ଥ ବର୍ମା, ଜିଲ୍ଲା ଏସପି ଡକ୍ଟର କୱାର ବିଶାଲ ସିଂ, ପୋଲିସ ଡିଜି ସୁନିଲ କୁମାର ବନଶଲ୍,  ଅତିରିକ୍ତ ପୋଲିସ ଡିଜି ଆଇନ ଶୃଙ୍ଖଳା ଶ୍ରୀ ଆର କେ ଶର୍ମା, କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ନରସିଂହ ଚରଣ ଭୋଳଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଫିସର ଓ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ। ସେହିପରି ବାହାରୁ ଆସୁଥିବା ଯାନ ବାହନ ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ନିମନ୍ତେ ବ୍ୟାପକ ସୁବନ୍ଦୋବସ୍ତ କରା ଯାଇଥିଲା।
Leave A Reply