ପୁରୀ,୯ା୮: ପୁରୀ ଜିଲ୍ଲାରେ ବଣ୍ଟନ କରାଯିବ ୩୦ହଜାର ନଡ଼ିଆ ଚାରା । “ଉନ୍ନତ ଶ୍ରୀଫଳ ଅଭିଯାନ” ପକ୍ଷରୁ ଶ୍ରୀମନ୍ଦିର ସମ୍ମୁଖରେ ନଡ଼ିଆ ଚାରା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଓ ଭଲୁ୍ୟଣ୍ଟାରୀ ଏଜେନ୍ସି ଫର ସୋସିଆଲ ଆକ୍ସନର ମିଳିତ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଷୀ ମହାପାତ୍ର ମହାପ୍ରଭୁଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ ।
ମହାପ୍ରଭୁଙ୍କ ଫୁଲମାଳ ସିଂହଦ୍ୱାର ସମ୍ମୁଖକୁ ଅଣାଯାଇ ୭ଟି ନଡ଼ିଆ ଗଛ ସମର୍ପଣ କରାଯାଇଥିଲା । ଆଗାମୀ ଜନ୍ମାଷ୍ଟମୀ ଦିନ ପୁରୀ ଗୋବର୍ଦ୍ଧନ ପୀଠରେ ନଡ଼ିଆ ଚାରା ରୋପଣର ଶୁଭାରମ୍ଭ କରାଯିବ । ଏହି କାର୍ଯ୍ୟକ୍ରମରେ ସେବାୟତ ନୀଳମଣି ଗୁରୁ, ଭଗବାନ ସୁଆର, ନାରୀକେଳ ବୋର୍ଡ଼ର ସଦସ୍ୟ ବିଶ୍ୱନାଥ ରଥ, ଶରତ ଜୟସିଂ, ସାମାଜିକ କର୍ମୀ ଲଲାଟେନ୍ଦୁ ମିଶ୍ର, ସୌମେନ୍ଦ୍ର ଦାସ, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀପ୍ରସାଦ ମହାନ୍ତି, କମଳ କୁମାର ଦାସ ଓ ଇତିଶ୍ରୀ ସୁନ୍ଦରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।