ପୁରୀ: ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ଭାରତୀୟ ପ୍ରତ୍ନତୱ ବିଭାଗର ଏକ ତିନି ଜଣିଆ ବିଶେଷଜ୍ଞ ଟିମ୍ ପୁରୀ ଗସ୍ତରେ ଆସି ଜିଲ୍ଲା ପ୍ରଶାସନ ଉପସ୍ଥିତିରେ ଶ୍ରୀମନ୍ଦିର ଚତୁରପାର୍ଶ୍ୱରେ ଚାଲିଥିବା ନିର୍ମାଣ କାର୍ଯ୍ୟର ଯାଞ୍ଚ କରିଛି ।
ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଅନ୍ତର୍ଗତ ଯାତ୍ରୀ ପରିକ୍ରମା ନିର୍ମାଣ କାର୍ଯ୍ୟ ଯାଞ୍ଚ କରିଛି ଏଏସଆଇ ଟିମ୍। ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ହୋଇଥିବା କାର୍ଯ୍ୟ ତନ୍ନ ତନ୍ନ କରି ଯାଞ୍ଚ କରିବା ସହ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛି ଟିମ୍।ଆସନ୍ତା ୭ ତାରିଖ ସୁଦ୍ଧା ହାଇକୋର୍ଟରେ ରିପୋର୍ଟ ଦାଖଲ କରାଯିବ ବୋଲି କହିଛନ୍ତି ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ ଖମାରୀ ।
ଆଜି ସକାଳେ ପୁରୀ ଆସିଥିଲେ ଏଏସଆଇର ଏକ ୩ ଜଣିଆ ବିଶେଷଜ୍ଞ ଟିମ୍। ଟିମର ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ ଖମାରୀ,ସୁପରିଟେଡେଣ୍ଟ ଅରୁଣ ମଲ୍ଲିକ,ଆସିଷ୍ଟାଣ୍ଟ ସୁପରିଟେଡେଣ୍ଟ ଚିତ୍ତରଞ୍ଜନ ଦାଶଙ୍କ ନେତୃତ୍ବରେ ଏହି ଟିମ୍ ସକାଳେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।ଦର୍ଶନ ପରେ ପ୍ରଥମେ ଶ୍ରୀମନ୍ଦିର ଉତ୍ତର ଦ୍ଵାର ଓ ପରେ ପଶ୍ଚିମ,ଦକ୍ଷିଣ ଓ ଏମାର ମଠ ସ୍ଥାନରେ ହୋଇଥିବା କାର୍ଯ୍ୟର ଅନୁଧ୍ୟାନ କରିଥିଲେ।ଆସନ୍ତା ୭ ତାରିଖ ସୁଦ୍ଧା ଏଏସଆଇ ଟିମ୍ ହାଇକୋର୍ଟରେ ରିପୋର୍ଟ ଦାଖଲ କରିବ। ୯ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣୀ ହେବ। ଓବିସିସିର ଅଧିକାରୀ, ଟାଟା ପ୍ରୋଜେକ୍ଟ ଅଧିକାରୀଙ୍କ ସହ ମିଳିତ ଅନୁଧ୍ୟାନ କରିଛନ୍ତି । ଏବେ ଅନେକ ପ୍ରକଳ୍ପ ଦକ୍ଷିଣ ଦ୍ବାର, ପଶ୍ଚିମଦ୍ବାର ଓ ପୂର୍ବଦ୍ବାର, ଉତ୍ତରଦ୍ବାରରେ କରାଯାଇଛି। ମାଟି ଗଭୀରତା ମାପକ ଯନ୍ତ୍ର ବ୍ୟବହାର କରି କେତେ ଗଭୀର ଖୋଳାଯାଇ ଏ ସମସ୍ତ ନିର୍ମାଣ କରାଯାଉଛି, କେତେ ଚଉଡା ଓ ଲମ୍ବାରେ ପିଲାର କରାଯାଉଛି। କେତେ ଉଚ୍ଚତାରେ କରାଯାଇଛି। ଆହୁରି କଣ କଣ ଏହି ପ୍ରକଳ୍ପ ଅଧିନରେ ନିର୍ମାଣ କରାଯିବ ଏସବୁ ସମ୍ପର୍କରେ ଏସଆଇ ଟିମ ପୁରୀ ଜିଲା ପ୍ରଶାସନ ସହ ଆଲୋଚନା କରିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଧେଶ ଅନୁଯାୟୀ ଯୁଗ୍ମ ଯାଞ୍ଚ କରାଯାଇ ହାଇକୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ ଖମାରୀ କହିଛନ୍ତି ।
ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଯାତ୍ରୀ ପରିକ୍ରମା ମାର୍ଗର ଆଇନଗତ ଦିଗକୁ ନେଇ ପୁରୀର ଜଣେ ସୂଚନା ଅଧିକାର କର୍ମୀ ହାଇକୋର୍ଟରେ ଜନସ୍ଵାର୍ଥ ମାମଲା ରୁଜୁ କରିବା ପରେ ମାମଲା ହାଇକୋର୍ଟରେ ବିଚାରାଧୀନ ଅଛି। ଏନଏମଏ ବା ନ୍ୟାସନାଲ ମନୁମେଣ୍ଟ ଅଥରିଟୀର ଏନଓସି ପାଇବା ପରେ ଏହି ପ୍ରକଳ୍ପ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମାଣ କରାଯାଉଛି। ପରିକ୍ରମା ମାର୍ଗର ୭୫ ମିଟର ମଧ୍ୟରେ ସବୁଜିମା ବୃଦ୍ଧି, ଲକ୍ଷାଧିକ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପବ୍ଲିକ ଆମେନେଟିଜ୍ ଅନ୍ତର୍ଗତ ଶୌଚାଳୟ, କ୍ଲୋକ ରୁମ୍, ଆଶ୍ରୟସ୍ଥଳୀ, ପୋଲିସ କଣ୍ଟ୍ରୋଲ ରୁମ, ସୂଚନା ଓ ଆଶୁ ଚିକିତ୍ସା କେନ୍ଦ୍ର, ଜୋତା ଓ ସାମଗ୍ରୀ ରଖିବା ସ୍ଥାନ, ୨୪ ଘଣ୍ଟିଆ ପାଣି ଓ ବିଦ୍ୟୁତ ଯୋଗାଣ ଆଦି ବ୍ୟବସ୍ଥା ରହିବ ।ଅଧିଗ୍ରହଣ ହୋଇଥିବା ଜମିର ଅଧିକାଂଶ ସ୍ଥାନରେ କୌଣସି ନିର୍ମାଣ କାର୍ଯ୍ୟ କରାଯାଉ ନାହିଁ ଏବଂ କୌଣସି ନିର୍ମାଣ ମେଘନାଦ ପାଚେରୀ ଠାରୁ ଉଚ୍ଚ ହେଉ ନାହିଁ।ଏହି ଯାଞ୍ଚ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରାଯାଇଥିଲା ବୋଲି ଉପଜିଲ୍ଲାପାଳ କହିଛନ୍ତି ।
ଏଏସଆଇ ଟିମ୍ ଯାଞ୍ଚ ପରେ ହାଇକୋର୍ଟଙ୍କୁ କି ରିପୋର୍ଟ ଦେଉଛନ୍ତି ଓ ଆସନ୍ତା ୯ ତାରିଖ ଶୁଣାଣୀରେ ହାଇକୋର୍ଟ କଣ ଶୁଣାଣି କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର । ଆଜିର ଏହି ଯାଞ୍ଚ ସମୟରେ ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବ ତାରଣ ସାହୁଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।