ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ବୈଠକ
ଜେଟିପି ସହ ମୃତୟନ ହେବେ ଓଡ଼ିଶା ପୋଲିସ, ୧୩୫ ଟି ସିସି ଟିଭି କ୍ୟାମେରା ଲାଗିବ
ପୁରୀ: ଗୁରୁବାର ସଂଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମନ୍ଦିର ସୁରକ୍ଷା ସମ୍ପର୍କିତ ଏକ ଗୁରୁତ୍ଵ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।
ଶ୍ରୀମନ୍ଦିର ରୋଷ ଶାଳା ଚୁଲି ଦୁର୍ବୁତ୍ତ ଭାଙ୍ଗି ଜେଲ୍ ଯିବା ପରେ ଏବେ ମନ୍ଦିର ପ୍ରଶାସନର ସୁରକ୍ଷା ନେଇ ଚେତା ପଶିଛି। ବୈଠକରେ ଅନେକ ବିଷୟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ଆଭ୍ୟନ୍ତରୀଣରେ ଅଚଳ ଥିବା ସିସିଟିଭି ଗୁଡିକ ସଚଳ କରାଯିବା ସହ ସମୁଦାୟ ୧୩୫ ଟି ସିସିଟିଭି ଲଗାଯିବ।
ଏଣିକି ଶ୍ରୀମନ୍ଦିର ଭିତରେ ଶ୍ରୀଜଗନ୍ନାଥ ଟେମ୍ପୁଲ ପୋଲିସ ସହ ଓଡିଶା ପୋଲିସର ସୁରକ୍ଷା କର୍ମୀମାନେ ମୁତୟନ ରହିବା ସହ ଶ୍ରୀମନ୍ଦିରକୁ ଶୋଧ କରିବେ। ତେବେ ଶ୍ରୀମନ୍ଦିରରେ ଜେଟିପି ଓ କର୍ମଚାରୀଙ୍କ ଖାଲି ପଡିଥିବା ସ୍ଥାନକୁ ପୁରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ। ଆଗକୁ ଶ୍ରୀମନ୍ଦିର ସୁରକ୍ଷା ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖି ପ୍ରତି ସପ୍ତାହରେ ବୈଠକ କରାଯାଇ ସମସ୍ତ ବ୍ୟବସ୍ଥର ତର୍ଜମା କରାଯିବ। ରୋଷ ଶାଳାରେ ଚୂଲି ଭଙ୍ଗା ଘଟଣାରେ ଦାୟିତ୍ୱରେ ଥିବା ଚାରିଜଣ ଜେଟିପି କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଛନ୍ତି। ଏହାକୁ ତର୍ଜମା କରିବା ପରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଆଜି ସନ୍ଧ୍ୟାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ,ଏସପି, ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀ ଓ ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ।