Odisha news

୪୦ ଗ୍ରାମ ବ୍ରାଉନ୍ ସୁଗାର ଜବତ,୩ ଗିରଫ : କାର୍,ଆକ୍ଟିଭା ଓ ୫ଟି ମୋବାଇଲ୍ ଜବତ

ପୁରୀ : ବ୍ରାଉନ୍ ସୁଗାର ଚୋରା କାରବାରରେ ସମ୍ପୃକ୍ତ ତିନିଜଣ ଅଭଯୁକ୍ତଙ୍କୁ ସଦରଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଭୁବନେଶ୍ୱର ଇମ୍ଫୋସିସ୍ ଥାନା ଅନ୍ତର୍ଗତ ପ୍ରଶାନ୍ତିବିହାରରେ ରହୁଥିବା ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ରାଇଚକ୍ରଧରପୁରର ଦେବ ପ୍ରସାଦ ମିଶ୍ର (୩୪),ଭୁବନେଶ୍ୱର ଇମ୍ଫୋସିସ୍ ଥାନା ଅନ୍ତର୍ଗତ ପଟିଆ ଶିଖରଚଣ୍ଡି ନଗରର ଏସ୍ କେ କରିମ୍ ଉଲ୍ଲହା(୩୮) ଓ ଶିଖରଚଣ୍ଡି ନଗରରେ ରହୁଥିବା ନୟାଗଡ଼ ଟାଉନ୍ଥାନା ଅନ୍ତର୍ଗତ ସିନ୍ଦୁରିଆ ଗ୍ରାମର ଏସ୍ କେ ଅନୁ(୩୪) । ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ୪୦ଗ୍ରାମ ବ୍ରାଉନ୍ ସୁଗାର, ଓଡ଼ି ୩୩ଏବି ୨୯୦୯ନମ୍ବର ବିଶିଷ୍ଟ ସୁଇପ୍ଟ ଡ଼ିଜାର କାର୍, ଓଡ଼ି୦୨ଏକେ ୨୩୭୧ ନମ୍ବର ବିଶିଷ୍ଟ ହୋଣ୍ଡା ଡ଼ିଓ ସ୍କୁଟି,୫ଟି ମୋବାଇଲ ଫୋନ୍ ,ଏକ ଛୋଟ ଓଜନ ଯନ୍ତ୍ର ଓ ୧୦ଟି ଛୋଟ ପଲିଥିନ୍ ପ୍ୟାକେଟ୍ ଜବତ କରାଯାଇଥିବା ଅତିରିକ୍ତ ଏସ୍ପି ମିହିର ପଣ୍ଡା କହିଛନ୍ତି । ଟାଉନ୍ ଥାନା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘଟଣା ସମ୍ପର୍କରେ ସୂଚନା ଦେଇ ଅତିରିକ୍ତ ଏସ୍ପି ଶ୍ରୀପଣ୍ଡା କହିଥିଲେ ଯେ,ଏକ ସରକାରୀ ଗାଡ଼ିରେ ଭୁବନେଶ୍ୱରରୁ ପୁରୀକୁ ବ୍ରାଉନ୍ ସୁଗାର ଆସୁଥିବା ଗତକାଲି ସନ୍ଧ୍ୟାସାଢେ ୫ଟାରେ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସଦରଥାନା ଆଇଆଇସି ସୁମତି କୁମାରୀ ମହାନ୍ତିଙ୍କୁ ସୂଚନା ମିଳିଥିଲା ।

ସୂଚନା ଆଧାରରେ ଅଭିଯୁକ୍ତମାନଙ୍କୁ ଧରିବାକୁ ଥାନାର ଅନ୍ୟକର୍ମଚାରୀ ଓ ଏକଜୁ୍ୟଟିଭ୍ ମାଜିଷ୍ଟ୍ରେଟ୍ଙ୍କ ସହିତ ଆଇଆଇସି ଭୁବେନେଶର -ପୁରୀ ଜାତୀୟ ରାଜପଥର ମାଳତୀପାଟପୁର ଠାରେ ଜଗି ରହିଥିଲେ । ସୁଇପ୍ଟ ଡ଼ିଜାର କାର୍ଟିକୁ ମାଳତୀପାଟପୁର ବସ୍ଷ୍ଟାଣ୍ଡ ନିକଟସ୍ଥ ରାଜପଥରେ ଅଟକାଇ ଏକଜୁ୍ୟଟିଭ୍ ମାଜିଷ୍ଟ୍ରେଟ୍ ଓ ସାକ୍ଷୀମାନଙ୍କ ଉପସ୍ଥିତିରେ ଯାଞ୍ଜ କରିବାରୁ ଗାଡ଼ିରୁ ବ୍ରାଉନ୍ ସୁଗାର ମିଳିଥିଲା । କାର୍ରେଥିବା ଅଭିଯୁକ୍ତଙ୍କୁ ପଚାର ଉଚରା ପରେ ସେମାନଙ୍କ ଅନ୍ୟତମ ସହଯୋଗୀକୁ ଧରିବା ସହିତ ସେ ବ୍ୟବହାର କରୁଥିବା ସ୍କୁଟିକୁ ଜବତ କରାଯାଇଥିଲା ।ଏସଂକ୍ରାନ୍ତରେ ସଦରଥାନାରେ ୩୫୩/୨୧ରେ ମାମଲା ରୁଜୁ କରାଯାଇଛି ।

ଜବତ ବ୍ରାଉନ୍ ସୁଗାରର ଅନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କା ହେବ । ଏହି ବ୍ରାଉନ ସୁଗାର ବାଲେଶ୍ୱରରୁ ଭୁବନେଶ୍ୱରକୁ ଆଣି ଖୁଚୁରା ବିକ୍ରେତାଙ୍କୁ ଦେବା ଲାଗି ଅଭିଯୁକ୍ତମାନେ ପୁରୀ ଆସୁଥିଲେ ବୋଲି ସେ ସୂଚନା ଦେଇଥିଲେ । ବ୍ରାଉନ୍ ସୁଗାରଭଳି ଚୋରା ମାଦକଦ୍ରବ୍ୟ କାରବାର ରୋକିବାକୁ ସପ୍ତାହକ ପୂର୍ବରୁ (ଏସ୍ଟିଏଫ୍)ସ୍ପେଶାଲ ଟାସ୍କ ଫୋର୍ସ ଗଠନ କରାଯାଇଛି । ଗତ ସପ୍ତାହକ ମଧ୍ୟରେ ଟାସ୍କଫୋର୍ସ ବେଆଇନ୍ ବ୍ରାଉନ୍ ସୁଗାର କାରବାରରେ ସମ୍ପୃକ୍ତ ୧୫ଜଣକୁ ଗିରଫ କରିଛି । ଏସଂକ୍ରାନ୍ତରେ ସହରର ପୃଥକ ଥାନାରେ ୬ଟି ମାମଲା ରୁଜୁ କରାଯାଇଥିବାବେଳ ୧୦୪ ଗ୍ରାମ ବାଉନ୍ ସୁଗାର ଜବତ ହୋଇଥିବା ଅତିରିକ୍ତ ଏସପି୍ ସୂଚନା ଦେଇଥିଲେ । ସହରକୁ ନିଶା କାରବାର ମୁକ୍ତ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ଦେଇ ଶ୍ରୀପଣ୍ଡା କହିଥିଲେ ଯେ, ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରୁଥିବା ଓ ସହରର ବିଭିନ୍ନ ସ୍ଥାନରେ ଆଡ଼ା ଜମାଉଥିବା ଅସାମାଜିକଙ୍କ ବିରୁଦ୍ଧରେ ମଧ୍ୟ ପୁଲିସ ପକ୍ଷରୁ କଠୋର ଅଭିମୁଖ୍ୟଗ୍ରହଣ କରାଯାଉଛି । ସାମ୍ବାଦିକ ସମ୍ମିଳନୀରେ ସିଟି ଡ଼ିଏସ୍ପି ଜନାର୍ଦ୍ଦନ ପାଢୀ ଓ ଟାଉନ୍ଥାନା ଆଇଆଇଆସି ଗୋକୁଳ ଚନ୍ଦ୍ର ଦାସ୍ ଉପସ୍ଥିତଥିଲେ ।

Ad2

Comments are closed.