Odisha news

ପୋଲସରା :ରାଣିପଡା କମଳା ପାଟଣା ଛକରେ ବୋମାମାଡ କାରଣ ଅସ୍ପଷ୍ଟ

0
ପୋଲସରା ୧୮/୦୪/୨୦୨୦ (Pragati Bandhu Das) :ଶୁକ୍ରବାର ଦିନ ପୋଲସରା ରେ ପୁଣି ବୋମାମାଡ ଘଟଣା ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଶୁକ୍ରବାର ଦିନ ରାତ୍ରି ପ୍ରାୟ ଆଠ ଘଣ୍ଟା ଠାରୁ ସାଢେ଼ ଆଠଟା ମଧ୍ୟରେ ରାଣିପଡା ର କମଳା ପାଟଣା ମୂଖ୍ୟ ସଡକ କୁ ସଂଯୋଗ କରୁଥିବା ସ୍ଥାନରେ ଦୁଇଟି ବୋମା ମାଡ ହୋଇଛି। ତେବେ ଏହି ବୋମାମାଡ ଘଟଣାରେ କେହି ମୃତାହତ ହୋଇ ନାହାନ୍ତି କି ଏ ସମ୍ପର୍କରେ ଥାନାରେ ଏତଲା ମଧ୍ୟ ହୋଇନଥିବା ଥାନା ପକ୍ଷରୁ ଜଣାପଡିଛି। ଏହା ବ୍ୟତୀତ ମଥୁରା ପଞ୍ଚାୟତ ଅନ୍ତର୍ଗତ ଢଉମାଳ ଗ୍ରାମ ନିକଟରେ ମଧ୍ୟ ବୋମା ଫୁଟିଥିବା ସୂଚନା ମିଳିଛି। ଏଣୁ କେହି ଦୁର୍ବୃତ୍ତ ପୋଲସରା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିବା ପାଇଁ ଉବ୍ଦେଶ୍ୟ ମୂଳକ ଭାବେ ଏଭଳି ବୋମାମାଡ କରୁଥିବା ଅନୁମାନ କରାଯାଉଛି। କାରଣ ଗତବର୍ଷ ଅକ୍ଟୋବର ମାସ ୨୬ ତାରିଖ ଦିନ ରାତି ପ୍ରାୟ ସାଢେ଼ ଆଠ ଘଣ୍ଟ ସମୟରେ ପୋଲସରା ମୂଖ୍ୟ ସଡକ ର ପାଞ୍ଚଟି ସ୍ଥାନରେ ବୋମାମାଡ ହୋଇଥିଲା । ଏଣୁ ଆତଙ୍କ ସୃଷ୍ଟି କରିବା ପାଇଁ ଏଭଳି ବୋମା ମାଡ଼ ହେଉଥିବା ଏଠାରେ ଆଲୋଚନା ହେଉଛି। କରୋନା ମହାମାରୀ କୁ ରୋକିବା ପାଇଁ ଗତମାସ ୧୭ ତାରିଖ ଠାରୁ ରାଜ୍ୟରେ ତାଲାବନ୍ଦି ଚାଲିଛି ଫଳରେ ଲୋକ ମାନେ ତାଲାବନ୍ଦି ସମୟରେ ବାହାର କୁ ନ ବାହାରିବା ପାଇଁ ପୋଲିସ କୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡୁଛି। ଏପରି ସ୍ଥଳେ ଏହି ବୋମାମାଡ ଘଟଣା ପୋଲିସ କୁ ବୋଝ ଉପରେ ନଳିତା ବିଡା ପରି ହୋଇଛି।
Leave A Reply