ନୂଆଦିଲ୍ଲୀ : ଦେଶର ପ୍ରଥମ ସିଡିଏସ୍ ବିପିନ ରାୱତ, ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୩ ମୃତକଙ୍କ ମରଶରୀର ଗୁରୁବାର ଦିନ ତାମିଲନାଡ଼ୁରୁ ଆସି ଦିଲ୍ଲୀରେ ପହଞ୍ଚିଛି। ତାମିଲନାଡ଼ୁର କୋଏମ୍ବାଟୁରରୁ ବାୟୁସେନା ବିମାନ ‘ସି-୧୩୦ଜେ’ ଯୋଗେ ମରଶରୀରଗୁଡ଼ିକ ଗୁରୁବାର ରାତି ପ୍ରାୟ ୭ଟା ୩୫ ମିନିଟରେ ପାଲମ ବିମାନବନ୍ଦରରେ ପହଞ୍ଚିଥିଲା। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସ୍ଥଳସେନା, ନୌସେନା ଏବଂ ବାୟୁସେନା ମୁଖ୍ୟ ପ୍ରମୁଖ ଜେନେରାଲ ରାୱତ, ପତ୍ନୀ ମଧୁଲିକା ରାୱତ ଓ ଅନ୍ୟମାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।
ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଓ ଏନଏସଏ ମୃତ ବୀର ଯୋଦ୍ଧାମାନଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି।
ହେଲିକପ୍ଟର ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କେବଳ ୪ଜଣଙ୍କ ମରଶରୀର ଚିହ୍ନଟ ହୋଇଛି। ସେମାନେ ହେଲେ ଜେନେରାଲ ରାୱତ, ପତ୍ନୀ ମଧୁଲିକା ରାୱତ, ବ୍ରିଗେଡିୟର ଏଲ୍ଏସ୍ ଲିଡର ଏବଂ ଲାନ୍ସ ନାଏକ ବିବେକ କୁମାର। ଚିହ୍ନଟ ହୋଇଥିବା ଅଧିକାରୀଙ୍କ ମରଶରୀରକୁ ହିଁ କେବଳ ସେମାନଙ୍କ ସଂପର୍କୀୟଙ୍କୁ ହସ୍ତାନ୍ତର କରାଯିବ। ଚିହ୍ନଟ ହେବା ପର୍ଯ୍ୟନ୍ତ ଅନ୍ୟ ବୀର ଯୋଦ୍ଧାଙ୍କ ମରଶରୀରକୁ ଦିଲ୍ଳୀ ଆର୍ମି ବେସ୍ ହସ୍ପିଟାଲରେ ରଖାଯିବ।
ଜେନେରାଲ ରାୱତଙ୍କ ମରଶରୀରକୁ ତାଙ୍କ କରଜ ମାର୍ଗ ବାସଭବନକୁ ନିଆଯିବ। ଶୁକ୍ରବାର ସକାଳ ୧୧ଟାରୁ ମଧ୍ୟାହ୍ନ ୧୨ଟା ୩୦ ମିନିଟ ପର୍ଯ୍ୟନ୍ତ ସାଧାରଣ ଲୋକ ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇପାରିବେ। ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ଣ ୧ଟା ୩୦ ମିନିଟ ପର୍ଯ୍ୟନ୍ତ ସାମରିକ ଅଧିକାରୀମାନେ ଶ୍ରଦ୍ଧାଞ୍ଜଳି ଜଣାଇବେ। ଏହାପରେ ତାଙ୍କ ମରଶରୀରକୁ ଗନ୍ କ୍ୟାରେଜ୍ରେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ବ୍ରାର ସ୍କୋୟର ନିଆଯିବ। ଶେଷକୃତ୍ୟ ଶୋଭାଯାତ୍ରା ଅପରାହ୍ଣ ୨ଟାରେ ଆରମ୍ଭ ହେବ। ବ୍ରାର ସ୍କୋୟାର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହେବ।