Odisha news

୨୦୨୫-୨୬ରେ ଖଦି ଓ ଗ୍ରାମୋଦ୍ୟୋଗ କ୍ଷେତ୍ରରେ ରେକର୍ଡ ୧.୮୭ ଲକ୍ଷ କୋଟି ଟଙ୍କାର ବିକ୍ରୟ

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱ ଓ ମାର୍ଗଦର୍ଶନରେ ଖଦି ଓ ଗ୍ରାମୋଦ୍ୟୋଗ କ୍ଷେତ୍ର ଗତ ୧୨ ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଖଦି ଓ ଗ୍ରାମୋଦ୍ୟୋଗ ଉତ୍ପାଦର ମୋଟ ବିକ୍ରି ରେକର୍ଡ ୧,୮୭,୧୦୫ କୋଟି ଟଙ୍କାରେ ପହଞ୍ଚିଛି । ଏହା ଗ୍ରାମୀଣ ଉଦ୍ୟମିତା, ଆତ୍ମନିର୍ଭରତା ଏବଂ ଆର୍ଥିକ ସଶକ୍ତୀକରଣର ଏକ ଶକ୍ତିଶାଳୀ ପ୍ରମାଣ ଭାବେ ପରିଗଣିତ ହେଉଛି। ‘ଆତ୍ମନିର୍ଭର ଭାରତ’, ‘ଭୋକାଲ୍ ଫର୍ ଲୋକାଲ୍’ ଏବଂ ‘ଲୋକାଲ୍ ଟୁ ଗ୍ଲୋବାଲ୍’ ପରି ଜାତୀୟ ଅଭିଯାନରୁ ପ୍ରେରିତ ହୋଇ ଆଜି ଖଦି କେବଳ ଏକ ପାରମ୍ପରିକ ଉତ୍ପାଦ ହିସାବରେ ସୀମିତ ନୁହେଁ, ବରଂ ଏହା ‘ନୂଆ ଭାରତ’ର ଆତ୍ମନିର୍ଭରତା, ସ୍ୱଦେଶୀ ଗୌରବ ଏବଂ ଗ୍ରାମୀଣ ସମୃଦ୍ଧିର ଏକ ସଜୀବ ପ୍ରତୀକ ଭାବେ ପରିଣତ ହୋଇଛି। ଉତ୍ପାଦନ, ବିପଣନ ଏବଂ ରୋଜଗାର ସୃଷ୍ଟି କ୍ଷେତ୍ରରେ ନୂତନ ମାନଦଣ୍ଡ ସ୍ଥାପନ କରି ଖଦି ଓ ଗ୍ରାମୋଦ୍ୟୋଗ କ୍ଷେତ୍ର ଦେଶର ଗ୍ରାମୀଣ ଅର୍ଥନୀତିକୁ ନୂତନ ଶକ୍ତି ଓ ଦିଗ ପ୍ରଦାନ କରିଛି।

୨୦୨୫-୨୬ର ଆର୍ଥିକ ଫଳାଫଳ ଘୋଷଣା କରି ଆୟୋଗର ଅଧ୍ୟକ୍ଷ ମନୋଜ କୁମାର କହିଛନ୍ତି ଯେ ଆୟୋଗ ଉତ୍ପାଦନ, ବିକ୍ରୟ ଏବଂ ରୋଜଗାର ସୃଷ୍ଟି କ୍ଷେତ୍ରରେ ନୂତନ ରେକର୍ଡ ସ୍ଥାପନ କରିଛି। ୨୦୧୩-୧୪ ତୁଳନାରେ ବିକ୍ରି ୫୦୧% ବୃଦ୍ଧି ପାଇଥିବାବେଳେ ଉତ୍ପାଦନ ୩୮୦% ରୋଜଗାର ୫୬% ବୃଦ୍ଧି ପାଇଛି। ଗ୍ରାମୋଦ୍ୟୋଗ କ୍ଷେତ୍ରରେ ପ୍ରାୟ ୧.୯୯ କୋଟି ଲୋକ ନିଯୁକ୍ତ ହୋଇଛନ୍ତି, ଯାହା ଗ୍ରାମୀଣ ଜୀବିକା ସୃଷ୍ଟିରେ ଏହି କ୍ଷେତ୍ରର ବୃଦ୍ଧିଶୀଳ ଭୂମିକାକୁ ପ୍ରମାଣିତ କରୁଛି।

ଶ୍ରୀ କୁମାର କହିଛନ୍ତି ଯେ, ୨୦୧୩-୧୪ରେ ଖଦି ଓ ଗ୍ରାମୋଦ୍ୟୋଗର ଉତ୍ପାଦନ ୨୬,୧୦୯ କୋଟି ଟଙ୍କା ଥିବାବେଳେ ୨୦୨୫-୨୬ରେ ଏହା ବୃଦ୍ଧି ପାଇ ୧,୨୫,୨୯୬ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ୨୦୧୩-୧୪ରେ ବିକ୍ରୟ ୩୧,୧୫୪ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୫-୨୬ରେ ୧,୮୭,୧୦୫ କୋଟି ଟଙ୍କାରେ ପହଞ୍ଚିଛି।

ପୂର୍ବ ବର୍ଷଗୁଡ଼ିକର ଅଭିବୃଦ୍ଧି ଉପରେ ଆଲୋକପାତ କରି ସେ କହିଥିଲେ ଯେ, ୨୦୧୩-୧୪ ସହ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ବିକ୍ରୟରେ ୪୪୭ ପ୍ରତିଶତ ଏବଂ ଉତ୍ପାଦନରେ ୩୪୭ ପ୍ରତିଶତ ବୃଦ୍ଧି ଘଟିଛି। ସେହିପରି ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ବିକ୍ରୟରେ ୪୦୦ ପ୍ରତିଶତ ଏବଂ ଉତ୍ପାଦନରେ ୩୧୫ ପ୍ରତିଶତ ବୃଦ୍ଧି ଦେଖାଯାଇଛି।

ଖଦି ବସ୍ତ୍ର ଉତ୍ପାଦନ ଓ ବିକ୍ରୟରେ ଅଭୂତପୂର୍ବ ବୃଦ୍ଧି

ଖଦି ବସ୍ତ୍ର କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ପ୍ରଗତି ଦେଖାଯାଇଛି। ୨୦୧୩-୧୪ ମସିହାରେ ଉତ୍ପାଦନ ୮୧୧ କୋଟି ଟଙ୍କା ଥିବା ବେଳେ, ୨୦୨୫-୨୬ ଆର୍ଥିକ ବର୍ଷରେ ଏହା ପ୍ରାୟ ୩୯୦ ପ୍ରତିଶତ ବୃଦ୍ଧି ସହ ୩,୯୭୪ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ବିକ୍ରୟ ୧,୦୮୧ କୋଟି ଟଙ୍କାରୁ ବୃଦ୍ଧି ପାଇ ୭,୮୬୯ କୋଟି ଟଙ୍କାରେ ପହଞ୍ଚିଛି, ଯାହା ପ୍ରାୟ ୬୨୮ ପ୍ରତିଶତ ବୃଦ୍ଧିକୁ ପ୍ରତିଫଳିତ କରୁଛି। ଖଦିର ନିରନ୍ତର ପ୍ରଚାର ଓ ପ୍ରସାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମର ସକାରାତ୍ମକ ପ୍ରଭାବ ଏହି କ୍ଷେତ୍ରର ବୃଦ୍ଧିଶୀଳ ଗ୍ରହଣଯୋଗ୍ୟତା ଏବଂ ବଜାର ବିସ୍ତାରରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହେଉଛି।

ଗ୍ରାମୋଦ୍ୟୋଗ କ୍ଷେତ୍ରରେ ଉତ୍ପାଦନ ଓ ବିକ୍ରୟରେ ନୂତନ ରେକର୍ଡ

ଗ୍ରାମୋଦ୍ୟୋଗ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ପ୍ରଗତି ଦେଖାଯାଇଛି। ୨୦୧୩-୧୪ ମସିହାରେ ଗ୍ରାମୋଦ୍ୟୋଗ ଉତ୍ପାଦର ଉତ୍ପାଦନ ୨୫,୨୯୮ କୋଟି ଟଙ୍କା ଥିବା ବେଳେ, ୨୦୨୫-୨୬ ଆର୍ଥିକ ବର୍ଷରେ ଏହା ପ୍ରାୟ ୩୮୦ ପ୍ରତିଶତ ବୃଦ୍ଧି ସହ ୧,୨୧,୩୨୨ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ବିକ୍ରୟ ୩୦,୦୭୩ କୋଟି ଟଙ୍କାରୁ ବୃଦ୍ଧି ପାଇ ୧,୭୯,୨୩୬ କୋଟି ଟଙ୍କାରେ ପହଞ୍ଚିଛି, ଯାହା ପ୍ରାୟ ୪୯୬ ପ୍ରତିଶତ ବୃଦ୍ଧିକୁ ପ୍ରତିଫଳିତ କରୁଛି।

ଗ୍ରାମୋଦ୍ୟୋଗ କ୍ଷେତ୍ର ରୋଜଗାର ସୃଷ୍ଟିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି। ୨୦୧୩-୧୪ ମସିହାରେ ଏହି କ୍ଷେତ୍ରରେ ୧.୧୯ କୋଟି ଲୋକ ନିଯୁକ୍ତ ଥିବା ବେଳେ, ୨୦୨୫-୨୬ ଆର୍ଥିକ ବର୍ଷରେ ଏହି ସଂଖ୍ୟା ବୃଦ୍ଧି ପାଇ ପ୍ରାୟ ୧.୯୯ କୋଟିରେ ପହଞ୍ଚିଛି, ଯାହା ଗ୍ରାମୀଣ ଜୀବିକା ସୃଷ୍ଟିରେ ଏହି କ୍ଷେତ୍ରର ବୃଦ୍ଧିଶୀଳ ଭୂମିକାକୁ ଉଦ୍‌ଘାଟିତ କରୁଛି।

‘ଆତ୍ମନିର୍ଭର ଭାରତ’ ଏବଂ ‘ଘର-ଘର ସ୍ୱଦେଶୀ’ ପରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଯାନର ପ୍ରଭାବରେ ଗ୍ରାମୋଦ୍ୟୋଗ ଉତ୍ପାଦ ପ୍ରତି ଚାହିଦାରେ ନିରନ୍ତର ବୃଦ୍ଧି ଦେଖାଯାଇଛି। ଫଳସ୍ୱରୂପ, ଏହି କ୍ଷେତ୍ର ଗ୍ରାମୀଣ ଶିଳ୍ପ ବିସ୍ତାର, ବଜାର ସୁଦୃଢୀକରଣ ଏବଂ ରୋଜଗାର ସୃଷ୍ଟିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ଉଭା ହୋଇଛି।

ରୋଜଗାର ସୃଷ୍ଟି କ୍ଷେତ୍ରରେ କେଭିଆଇସିର ଐତିହାସିକ ସଫଳତା

ରୋଜଗାର ସୃଷ୍ଟି କ୍ଷେତ୍ରରେ ମଧ୍ୟ କେଭିଆଇସି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ୨୦୧୩-୧୪ ମସିହାରେ ଖଦି ଏବଂ ଗ୍ରାମୋଦ୍ୟୋଗ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ମୋଟ ୧.୩୦ କୋଟି ଲୋକଙ୍କୁ ରୋଜଗାର ମିଳିଥିବା ବେଳେ, ୨୦୨୫-୨୬ ଆର୍ଥିକ ବର୍ଷରେ ଏହା ୫୬ ପ୍ରତିଶତ ବୃଦ୍ଧି ସହ ୨.୦୪ କୋଟିରେ ପହଞ୍ଚିଛି।

ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ (ପିଏମଇଜିପି)

ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ (ପିଏମଇଜିପି) ଅଧୀନରେ ୨୦୨୫-୨୬ ଆର୍ଥିକ ବର୍ଷରେ ୬୬,୪୯୪ ନୂତନ ୟୁନିଟ୍ ସ୍ଥାପନ କରାଯାଇଥିଲା ଏବଂ ଏହି ୟୁନିଟ୍‌ଗୁଡ଼ିକ ପାଇଁ ୭,୩୭୫ କୋଟି ଟଙ୍କା ଋଣ ବାବଦରେ ୨,୪୫୭ କୋଟି ଟଙ୍କାର ମାର୍ଜିନ୍ ମନି ସବସିଡି ବଣ୍ଟନ କରାଯାଇଥିଲା। ଏହି ୟୁନିଟ୍‌ଗୁଡ଼ିକ ମାଧ୍ୟମରେ ୭,୩୧,୪୩୪ ଲୋକଙ୍କୁ ରୋଜଗାର ସୁଯୋଗ ପ୍ରଦାନ କରାଯାଇଥିଲା। ଯୋଜନା ଆରମ୍ଭ ହେବା ପରଠାରୁ ଏପର୍ୟ୍ୟନ୍ତ ମୋଟ ୧୦,୮୪,୬୭୯ ୟୁନିଟ୍ ସ୍ଥାପିତ ହୋଇଛି, ଯାହା ପାଇଁ ୮୦,୭୦୫ କୋଟି ଟଙ୍କା ଋଣ ବାବଦକୁ ୨୯,୬୨୩ କୋଟି ଟଙ୍କାର ମାର୍ଜିନ୍ ମନି ସବସିଡି ବଣ୍ଟନ କରାଯାଇଛି। ଏହି ପଦକ୍ଷେପ ମାଧ୍ୟମରେ ଏପର୍ୟ୍ୟନ୍ତ ପ୍ରାୟ ୯୭.୯୫ ଲକ୍ଷ ଲୋକଙ୍କୁ ରୋଜଗାର ପ୍ରଦାନ କରାଯାଇଛି।

ଗ୍ରାମୋଦ୍ୟୋଗ ବିକାଶ ଯୋଜନା ଅଧୀନରେ କାରିଗରଙ୍କ ସଶକ୍ତିକରଣ

୨୦୨୫-୨୬ ଆର୍ଥିକ ବର୍ଷରେ ଗ୍ରାମୋଦ୍ୟୋଗ ବିକାଶ ଯୋଜନା ଅଧୀନରେ ୩୭,୭୬୯ ମେସିନ୍, ଟୁଲ୍-କିଟ୍ ଏବଂ ଉପକରଣ ବଣ୍ଟନ କରାଯାଇଛି। ଗତ ଚାରି ବର୍ଷର ସମୀକ୍ଷାରୁ ଜଣାପଡ଼ିଛି ଯେ, ୨୦୨୨-୨୩ ମସିହାରେ ୨୧,୮୭୪, ୨୦୨୩-୨୪ ଆର୍ଥିକ ବର୍ଷରେ ୨୯,୫୪୦, ୨୦୨୪-୨୫ ଆର୍ଥିକ ବର୍ଷରେ ୩୮,୯୦୪ ଏବଂ ୨୦୨୫-୨୬ ଆର୍ଥିକ ବର୍ଷରେ ୩୭,୭୬୯ ମେସିନ୍ ଏବଂ ଉପକରଣ ବଣ୍ଟନ କରାଯାଇଛି। ଏହିପରି ଭାବେ ଗ୍ରାମୋଦ୍ୟୋଗ ବିକାଶ ଯୋଜନା ଅଧୀନରେ କେଭିଆଇସି ଏପର୍ୟ୍ୟନ୍ତ ମୋଟ ୩,୨୩,୦୦୬ ମେସିନ୍, ଟୁଲ୍-କିଟ୍ ଏବଂ ଉପକରଣ ବଣ୍ଟନ କରି ‘ଆତ୍ମନିର୍ଭର ଭାରତ’ ସାକାର କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି।

ମହିଳା ସଶକ୍ତିକରଣକୁ ପ୍ରୋତ୍ସାହନ

ମହିଳା ସଶକ୍ତିକରଣ କ୍ଷେତ୍ରରେ ମଧ୍ୟ କେଭିଆଇସି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ୨୦୨୫-୨୬ ଆର୍ଥିକ ବର୍ଷରେ କେଭିଆଇସିର ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅଧୀନରେ ୭୯,୬୮୨ ଜଣ ପ୍ରଶିକ୍ଷଣ ଗ୍ରହଣ କରିଥିଲେ, ଯାହା ମଧ୍ୟରୁ ୪୭,୩୮୨ ଜଣ ମହିଳା ଥିଲେ (ଯାହା ସମୁଦାୟର ପ୍ରାୟ ୫୯ ପ୍ରତିଶତ)।

ସେହିପରି ଚଗଋଏଚ ଯୋଜନା ଅଧୀନରେ ୨୦୨୫-୨୬ ମସିହାରେ ୨୮,୧୮୦ ମହିଳା ଉଦ୍ୟୋଗୀ ବ୍ୟବସାୟିକ ୟୁନିଟ୍ ସ୍ଥାପନ କରିଥିଲେ, ଯାହା ମାଧ୍ୟମରେ ୩,୦୯,୯୮୦ ମହିଳାଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହୋଇଥିଲା। ଏହି ତଥ୍ୟ ମହିଳା ଉଦ୍ୟମିତାକୁ ପ୍ରୋତ୍ସାହନ ଦେବାରେ ଏହି ଯୋଜନାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉଦ୍‌ଘାଟିତ କରୁଛି। ଖଦି କ୍ଷେତ୍ରର ପ୍ରାୟ ୫ ଲକ୍ଷ କାରିଗରଙ୍କ ମଧ୍ୟରୁ ୮୦ ପ୍ରତିଶତରୁ ଅଧିକ ମହିଳା ଥିବାରୁ ଏହି କ୍ଷେତ୍ର ମହିଳା ନେତୃତ୍ୱାଧୀନ ଆର୍ଥିକ ସଶକ୍ତିକରଣର ଏକ ପ୍ରଭାବଶାଳୀ ମାଧ୍ୟମ ଭାବେ ପରିଣତ ହୋଇଛି।

କାରିଗରଙ୍କ ପାରିଶ୍ରମିକରେ ୨୭୫% ପର୍ଯ୍ୟନ୍ତ ବୃଦ୍ଧି

କାରିଗରମାନଙ୍କୁ ପ୍ରଦାନ କରାଯାଉଥିବା ପାରିଶ୍ରମିକରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୨୦୧୩-୧୪ ମସିହାରେ ପ୍ରତି ହାଙ୍କ ପିଛା ୪ ଟଙ୍କା ଥିବା ପାରିଶ୍ରମିକ ବର୍ତ୍ତମାନ ପ୍ରତି ହାଙ୍କ ପିଛା ୧୫ ଟଙ୍କାକୁ ବୃଦ୍ଧି ପାଇଛି, ଯାହା ପ୍ରାୟ ୨୭୫ ପ୍ରତିଶତ ବୃଦ୍ଧିକୁ ପ୍ରତିଫଳିତ କରୁଛି।

ସରକାରୀ କ୍ରୟ, ପ୍ରଦର୍ଶନୀ ବିକ୍ରୟ ଏବଂ ଜାତୀୟ ପତାକା ଚାହିଦାରେ ବୃଦ୍ଧି

ଏହା ସହିତ ଖଦି ଏବଂ ଗ୍ରାମୋଦ୍ୟୋଗ ଉତ୍ପାଦର ସରକାରୀ କ୍ରୟ ୯୨.୦୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହା ଏହି କ୍ଷେତ୍ରର ବୃଦ୍ଧିଶୀଳ ଗ୍ରହଣଯୋଗ୍ୟତା ଏବଂ ସଂସ୍ଥାଗତ ଚାହିଦାକୁ ପ୍ରତିଫଳିତ କରୁଛି। ସେହିପରି ଖଦି ଉତ୍ପାଦର ପ୍ରଦର୍ଶନୀ ଏବଂ ବିପଣନ ପଦକ୍ଷେପ ମାଧ୍ୟମରେ ୩୦.୮୩ କୋଟି ଟଙ୍କାର ବିକ୍ରୟ ରେକର୍ଡ କରାଯାଇଛି । ଏହା ଛଡ଼ା ଜାତୀୟ ପତାକା ବିକ୍ରୟରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଦେଖାଯାଇଛି। ୨୦୧୩-୧୪ ମସିହାରେ ୦.୮୭ କୋଟି ଟଙ୍କା ଥିବା ବିକ୍ରୟ ୨୦୨୫-୨୬ ଆର୍ଥିକ ବର୍ଷରେ ୨.୩୫ କୋଟି ଟଙ୍କାରେ ପହଞ୍ଚିଛି। ଏହି ବୃଦ୍ଧି ଦେଶରେ ‘ହର ଘର ତିରଙ୍ଗା’ ପରି ଜନ ଆନ୍ଦୋଳନର ପ୍ରଭାବ ଏବଂ ଖଦି ପ୍ରତି ବଢୁଥିବା ଜନ ସହଭାଗିତାକୁ ପ୍ରମାଣିତ କରୁଛି।

TKM

Govt
Leave A Reply