ପିପିଲି ନିର୍ବାଚନମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ପ୍ରଚାର
ଓଟ ପିଠିରେ ବସିବାର ଅନୁଭବ ମିଳୁଛି ପିପିଲି ରାସ୍ତାରେ : କନକବର୍ଦ୍ଧନ ସିଂହଦେଓ
ପିପିଲିର ଉନ୍ନତି କିପରି ହେବ ସେନେଇ ପୂର୍ବତନ ବିଧାୟକଙ୍କର କୋଣସି ରୋଡ ମ୍ୟାପ ନଥିଲା
ନିର୍ବାଚନ ସରିଗଲେ ଶାସକ ବିଜେଡି ‘ଯଥା ପୂବଂ ତଥା ପରଂ’ ଭଳି ଆଚରଣ ଦେଖାଏ
କେନ୍ଦ୍ର ସରକାର ବ୍ୟାପକ ଅର୍ଥ ପଠାଉଥିଲେ ମଧ୍ୟ ପିପିଲିବାସୀଙ୍କ ପାଖରେ ପହଂଚାଇବାରେ ବିଜେଡି ବାଧକ ସାଜିଛି
ମୋଦିଜୀଙ୍କ ବିକାଶଧାରାରେ ନିଜକୁ ସାମିଲ କରାଇବେ ବୋଲି ପ୍ରତିଶୃତି ଦେଲେ ପିପିଲିବାସୀ
ଭୁବନେଶ୍ୱର,ପିପିଲି-ଡେଲାଙ୍ଗ,ତା.୧୦/୦୪: ପିପିଲିରେ ରାସ୍ତାଘାଟ ସଂପୂର୍ଣ୍ଣଭାବେ ବିପର୍ଯ୍ୟସ୍ତ ହୋଇଛି । ମୁଁ ରାଜସ୍ଥାନରେ ବିବାହ କରିଛି । ସେଠାରେ ଲୋକମାନେ ଓଟ ପିଠିରେ ବସିକି ଗଲେ ଯେପରି ଅନୁଭବ ହୁଏ ପିପିଲି ରାସ୍ତାରେ ଗାଡିରେ ଆସିବା ସମୟରେ ମୁଁ ସେମିତି ଅନୁଭବ କଲି । ପିପିଲି ରାସ୍ତାରେ ଆସିଲେ ରାଜସ୍ଥାନର ଓଟ ପିଠିରେ ବସିବାର ଅନୁଭବ ମିଳୁଛି ବୋଲି ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆକ୍ଷେପ କରି କହିଛନ୍ତି ।
ପିପିଲିର ଉନ୍ନତି କିପରି ହେବ ସେନେଇ ପୂର୍ବତନ ବିଧାୟକଙ୍କର କୋଣସି ରୋଡ ମ୍ୟାପ ନଥିଲା । ପିପିଲିବାସୀ ବାରମ୍ବାର ଭୋଟ ଦେଉଛନ୍ତି, କିନ୍ତୁ ସେମାନେ ବିକାଶ ଧାରାରେ ସାମିଲ ହୋଇପାରୁନାହାଁନ୍ତି । କେବଳ ନିର୍ବାଚନ ସମୟରେ ଶାସକ ଦଳ ବଡ ବଡ ପ୍ରତିଶୃତି ଦେଇଥାଏ କିନ୍ତୁ ନିର୍ବାଚନ ସରିଗଲେ ‘ଯଥା ପୂବଂ ତଥା ପରଂ’ ଭଳି ଆଚରଣ ଦେଖାଏ ବୋଲି ଶ୍ରୀ ସିଂହଦେଓ ଅଭିଯୋଗ କରିଛନ୍ତି ।
ଗତ ୨୫ ବର୍ଷ ଧରି ଶାସକ ବିଜେଡିର ନେତା ଦିବଙ୍ଗତ ପ୍ରଦୀପ ମହାରଥୀ ପିପିଲିରେ ଯେଉଁ ଭଳି ବିକାଶ କରିବା କଥା ସେପରି କରିନାହାଁନ୍ତି । କେନ୍ଦ୍ର ସରକାର ବ୍ୟାପକ ଅର୍ଥ ପଠାଉଥିଲେ ମଧ୍ୟ ପିପିଲିବାସୀଙ୍କ ପାଖରେ ପହଂଚାଇବାରେ ବିଜେଡି ବାଧକ ସାଜିଛି । ଗତ ୨୦୧୯ ଫନିିବାତ୍ୟାରେ ପୁରୀ ଜିଲ୍ଲାର ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ବାତ୍ୟା ପୂର୍ବରୁ ଏବଂ ପରେ କେନ୍ଦ୍ରରୁ ମୋଦି ସରକାର ପ୍ରଚୁର ମାତ୍ରାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଫନି ବାତ୍ୟାକୁ ୨ ବର୍ଷ ବିତିଲା ପରେ ମଧ୍ୟ ବାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ସହାୟତା ନପହଂଚିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ସିଂହଦେଓ ଅଭିଯୋଗ କରିଛନ୍ତି ।
ଶ୍ରୀ ସିଂହଦେଓ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ବିଭିନ୍ନ ଗ୍ରାମ ପଂଚାୟତ ବୁଲି ଦଳୀୟ ପ୍ରାର୍ଥୀ ଶ୍ରୀ ଆଶ୍ରିତ ପଟ୍ଟନାୟକଙ୍କ ସପକ୍ଷରେ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ । ପିପିଲିବାସୀ ଶ୍ରୀ ସିଂହଦେଓଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିବା ସହ ମୋଦିଜୀଙ୍କ ବିକାଶଧାରାରେ ନିଜକୁ ସାମିଲ କରାଇବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ପ୍ରଚାର ସମୟରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ଓ ବିଜେପି କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।
