ପିପିଲି – ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ପିପିଲି ଠାରେ ପତିତପାବନ ଦେବଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଛି। ମଙ୍ଗଳ ବାର ସକାଳେ ମନ୍ଦିର ଭିତରେ ଜୀଉ ମାନଙ୍କର ସମସ୍ତ ରୀତିନୀତି ସରିବା ପରେ ପହଣ୍ଡି ଆରମ୍ଭ ହୋଇ ଥିଲା। ପ୍ରଥମେ ସୁଦର୍ଶନ ଙ୍କୁ ରଥରେ ବିଜେ କରିବା ପରେ ପ୍ରଭୁ ବଳଭଦ୍ର ମା ସୁଭଦ୍ରା ଏବଂ ପ୍ରଭୁ ଜଗନ୍ନାଥ ଙ୍କୁ ଗୋଟି ପହଣ୍ଡିରେ ରଥାରୂଢ଼ କରାଯାଇ ଥିଲା। ପହଣ୍ଡି ପରେ ପୂର୍ବତନ ପୌରାଧ୍ୟକ୍ଷ ଗୋକୁଳାନନ୍ଦ ମହାନ୍ତି ରାଜା ଭାବେ ଏକ ଶୋଭାଯାତ୍ରାରେ ଆସି ରଥରେ ଛେରା ପହଁରା କରିଥିଲେ।ଅପରାହ୍ନ ସାଢେ଼ ଦୁଇଟା ସମୟରେ ପତିତପାବନ ମନ୍ଦିର ସମ୍ମୁଖରୁ ରଥ ଟଣା ଆରମ୍ଭ ହୋଇଥିଲା। ହରିବୋଲ ହୁଳହୁଳି ଓ ନାମ ସଙ୍କୀର୍ତ୍ତନ ଭିତରେ ଶ୍ରଦ୍ଧାଳୁ ମାନେ ଗ୍ରୀଷ୍ମ ତାପକୁ ଖାତିର ନକରି ରଥ ଟାଣି ଟାଣି ନେଉ ଥିବାର ଦେଖିବାକୁ ମିଳିଛି।ରଥ ଯାଉଥିବା ବେଳେ ବଜାର ମଧ୍ୟରେ ଶ୍ରଦ୍ଧାଳୁ ମାନଙ୍କ ଘର ଆଗରେ ଦ୍ଵାରି ଭୋଗ ଅର୍ପଣ କରାଯାଇଥିଲା। ପିପିଲି ଦମକଳ ବାହିନୀ ପକ୍ଷରୁ ଲୋକମାନଙ୍କ ଉପରେ ଜଳ ସିଞ୍ଚନ କରାଯିବା ସହିତ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଥଣ୍ଡା ପାଣି,ଦହି ଏବଂ ଗ୍ଲୁକୋଜ ପାଣିର ବ୍ୟବସ୍ଥା କରାଯାଇଥିଲା।ଅପରାହ୍ନ ସାଢେ଼ ପାଞ୍ଚଟା ବେଳେ ରଥ ଗୁଣ୍ଡିଚା ମନ୍ଦିର ପଢ଼ାଉସୁଣି ଙ୍କ ପୀଠ ସମ୍ମୁଖରେ ପହଞ୍ଚିଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ପିପିଲି କଲେଜ ଏନସିସି ର ପିଲାମାନେ ଏବଂ ପିପିଲି ପୋଲିସ ପକ୍ଷରୁ ସୁ ବନ୍ଦୋବସ୍ତ କରା ଯାଇଥିଲା। ବିଦ୍ୟୁତ୍ ବିଭାଗ , ପୌର ପରିଷଦ ଓ ଅନ୍ୟାନ୍ୟ ବିଭାଗ ପକ୍ଷରୁ ରଥ ଯାତ୍ରାକୁ ସହଯୋଗ କରାଯାଇଥିଲା। ପତିତପାବନ ଦେବ ରଥଯାତ୍ରା ପରିଚାଳନା କମିଟର ସଭାପତି ରମେଶ ଚନ୍ଦ୍ର ସତପଥି, ସମ୍ପାଦକ ପ୍ରଭାତ କୁମାର ମହାପାତ୍ର ଏବଂ ସଭ୍ୟ ରମେଶ ମହାପାତ୍ର, ସୁରେଶ ମହାପାତ୍ର,ରାମଚନ୍ଦ୍ର ଦାଶ,ସଚ୍ଚିଦାନନ୍ଦ ନାୟକ, ଆଡଭୋକେଟ୍ ସୁଧୀର କୁମାର ମହାନ୍ତି,ରଘୁନାଥ ଜେନା, ମନୋଜ ପ୍ରଧାନ,ବୃନ୍ଦାବନ ଜେନା,ଲକ୍ଷ୍ମୀଧର ସାହୁ ଙ୍କ ସମେତ ସମସ୍ତ ସଦସ୍ୟ ଓ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ତତ୍ୱାବଧାନ ରେ ଏହି ରଥ ଯାତ୍ରା ଶାନ୍ତି ଶୃଙ୍ଖଳା ରେ ଅନୁଷ୍ଠିତ ହୋଇଅଛି।
