କଟକ : ମାତ୍ର ୪୫ ବର୍ଷ ବୟସରେ ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କର ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ପରଲୋକ l ତାଙ୍କୁ ମାତ୍ର ୪୫ ବର୍ଷ ହୋଇଥିଲା। ରାତି ପ୍ରାୟ ୧୧ଟା ୨୫ ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ଲିଭର ସିରୋସିସ୍ରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର ଲିଭର ନଷ୍ଟ ହୋଇଯାଇଥିବା କୁହାଯାଇଥିଲା। ଲିଭର ପ୍ରତିରୋପଣ ଆଶାରେ ତାଙ୍କୁ ହାଇଦ୍ରାବାଦ ନିଆଯାଇଥିଲା। କିନ୍ତୁ ଏଥିପାଇଁ ୫୦ ଲକ୍ଷ ଟଙ୍କା ଆବଶ୍ୟକ ଥିବାରୁ ତାଙ୍କର ଚିକିତ୍ସା ବିଳମ୍ବିତ ହୋଇ ଚାଲିଥିଲା।
କୋଇଲି ଚଳଚ୍ଚିତ୍ର ଜରିଆରେ ଓଲିଉଡରେ ପାଦ ଦେଇଥିବା ପିଣ୍ଟୁ ନନ୍ଦ ରଙ୍ଗ ନମ୍ବର, ପ୍ରେମ ଋତୁ ଆସିଲାରେ, ଦୋସ୍ତି, ହାତ ଧରି ଚାଲୁ ଥା ଭଳି ଅନେକ ଚଳଚ୍ଚିତ୍ରରେ ସଫଳତାର ସହ ଅଭିନୟ କରିଥିଲେ। ଓଡ଼ିଆ ଆଲବମ୍ ଗୀତରେ ଅଭିନୟ କରି ସେ ସର୍ବାଧିକ ଲୋକପ୍ରିୟତା ହାସଲ କରିଥିଲେ। ହେ ଗୌରା… ଗୀତରେ ଅଭିନୟ ପାଇଁ ତାଙ୍କୁ ଦର୍ଶକ ଏବେ ବି ମନେ ରଖନ୍ତି। ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି।