ଫୁଲନଖରା:ବାରଙ୍ଗ ବ୍ଲକ ୩୩ ନମ୍ବର ଜୋନ ଖଲର୍ଦ୍ଦା ପଞ୍ଚାୟତ ଅନ୍ତର୍ଗତ ସିଂହୋଳ ୧୫ ନମ୍ବର ୱାର୍ଡ଼ର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବବୋଲି ସରପଞ୍ଚ ଘୋଷଣା କରିଛନ୍ତି । ଆଜି ଖଲର୍ଦ୍ଦାସ୍ଥିତ ଖଲେଶ୍ୱର ମନ୍ଦିର ନିକଟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସରପଞ୍ଚ ବେଣୁଧର ମୂଳିଆ ଉପସ୍ଥିତ ରହି ପଞ୍ଚାୟତରେ ହୋଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ପ୍ରଥମେ ଉଲ୍ଲେଖ କରିଥିଲେ । ବିଧାୟକ ଡା. ପ୍ରମୋଦ ମଲିକଙ୍କ ଉଦ୍ୟମରେ ପଞ୍ଚାୟତର ବିକାଶ କାର୍ଯ୍ୟ ଅପେକ୍ଷାକୃତ ତ୍ୱରାନ୍ୱିତ ହୋଇଛି ଏବଂ ତାଙ୍କ ପରାମର୍ଶ କ୍ରମେ ସିଂହୋଳ ୧୫ ନମ୍ବର ୱାର୍ଡ଼ ସର୍ବାଙ୍ଗୀନ ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛିବୋଲି ଶ୍ରୀ ମୂଳିଆ ସୂଚନା ଦେଇଛନ୍ତି ।
ଏହି ୱାର୍ଡ଼ରେ ଥିବା ସମସ୍ତ ରାସ୍ତାଘାଟର ସୁଦୃଢ଼ୀକରଣ ପାଇଁ ପୂର୍ବରୁ ୧୪ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲାବେଳେ ବିଧାୟକଙ୍କ ନିଦେ୍ର୍ଦଶକ୍ରମେ ସିଅଳସାହିଠାରୁ ମୁକ୍ତାମଣି ପୀଠ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ ବ୍ଲକ ତରଫରୁ ଗତ ୧୧ତାରିଖରେ ୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଯାହାର କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବବୋଲି ସରପଞ୍ଚ ସୂଚନା ଦେଇଥିଲେ । ଏତଦ ବ୍ୟତୀତ ଉକ୍ତ ୱାର୍ଡ଼କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛିବୋଲି ବୈଠକରେ ଘୋଷଣା ହୋଇଥିଲା ।
ଶୁକ୍ରବାର ଅପରାହ୍ନରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସୋମନାଥ ଦାସ, ଜିଲାପରିଷଦ ପ୍ରତିନିଧି ଗଗନ ବିହାରୀ ଜେନା, ଅରବିନ୍ଦ ଜେନା, ରବିନାରାୟଣ ଦାସ, କୈଳାସ ପ୍ରଧାନ, ଶୁକଦେବ ସ୍ୱାଇଁ, ଫକୀରଚରଣ ବେହେରା, ସଂଜୟ ଜେନା, ନୃସିଂହ ଦାସ, ପ୍ରତାପ ସେଠୀ, ଭାସ୍କର ବେହେରା, ମନୋରଞ୍ଜନ ବେହେରା, ପ୍ରମୋଦ ବେହେରା, ହେମନ୍ତକୁମାର ସାହୁ, ମନୋରଞ୍ଜନ ସ୍ୱାଇଁ, ନିରଞ୍ଜନ ପରିଜା, ଧନେଶ୍ୱର ରାଉତ, ସନ୍ତୋଷକୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।