ଫୁଲନଖରା : ବେତାର ଲେଖିକା ତଥା ସାରସ୍ୱତ ସାଧିକା କବୟିତ୍ରୀ ମଞ୍ଜୁଶ୍ରୀ ଦାସଙ୍କଦ୍ୱାରା ରଚିତ ଶିଶୁ କବିତା ସଂକଳନ ‘ଟିକି ଚଢ଼େଇ’ ଇଂରାଜୀ ନୂତନ ବର୍ଷରେ ଉନ୍ମୋଚିତ ହୋଇଛି । ଏହି ଉପଲକ୍ଷେ ସଦର ଥାନା ଅନ୍ତର୍ଗତ ଖଲର୍ଦ୍ଦା ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମାଜସେବୀ ଶେଷଦେବ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିଶୁ ସାହିତ୍ୟଦ୍ୱାରା ପିଲାମାନଙ୍କ ବୌଦ୍ଧିକ ବିକାଶ ତ୍ୱରାନ୍ୱିତ ହେବବୋଲି ଆଶ ପୋଷଣ କରିଥିଲେ । ସରପଞ୍ଚ ବେଣୁଧର ମୂଳିଆ ସମ୍ମାନୀତ ଅତିଥିଭାବେ ଉପସ୍ଥିତ ରହି ସାମ୍ପ୍ରତିକ ସମୟରେ ଶିଶୁ ସାହିତ୍ୟ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିବା ସହିତ ଏ ଧରଣର ପତ୍ର ପତ୍ରିକା କ୍ରମଶଃ କମି ଯାଉଥିବାରୁ ଚିନ୍ତା ପ୍ରକଟ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ ଅଧିକାରୀ ବଂଶୀଧର ନାୟକ, କଟକ ଜିଲା ‘ଓଷ୍ଟା’ କାର୍ଯ୍ୟକାରୀ ସଭାପତି ରଞ୍ଜନକୁମାର ଲେଙ୍କା, ମୁରବି ନିରଞ୍ଜନ ପରିଜା, ପୁରସ୍କାରପ୍ରାପ୍ତ ଚିତ୍ରଶିଳ୍ପୀ ନିହାରରଞ୍ଜନ ପଟ୍ଟନାୟକ, ଖଲର୍ଦ୍ଦା ଉପଖଣ୍ଡ ସ୍ୱାସ୍ଥ୍ୟ ପରିଦର୍ଶକ ଦିଲୀପକୁମାର ଲେଙ୍କା, ସ୍ୱାସ୍ଥ୍ୟ ପରିଦର୍ଶିକା ଚନ୍ଦ୍ରମା ପରିଡ଼ା ପ୍ରମୁଖ ଯୋଗଦେଇ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ଏକ କବିତା ପାଠୋତ୍ସବ ଆୟୋଜନ ହୋଇଥିଲା । ଶିକ୍ଷାବିତ ଗଗନବିହାରୀ ସେଠୀ, ପ୍ରଧାନ ଶିକ୍ଷକ ଚନ୍ଦ୍ରମଣି ପ୍ରଧାନ, ବିଜୟକୁମାର ପାତ୍ର, ମହିଳା ସ୍ୱାସ୍ଥ୍ୟ କର୍ମୀ ଆରତୀ ମାଢ଼େଇ, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ରମେଶଚନ୍ଦ୍ର ସାହୁ ପ୍ରମୁଖ ସାହିତ୍ୟାନୁରାଗୀ ଉପସ୍ଥିତ ଥିଲେ ।