ଫୁଲବାଣୀ ତା ୧୦।୩ :କନ୍ଧମାଳ ଜିଲ୍ଲାର କୋଟଗଡ଼ ଏବଂ ବେଲଘର ଉଭୟ ଥାନା ଅଂଚଳରେ ଥିବା ଦୁର୍ଗାପାଙ୍ଗା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ କୁମ୍ବିଂ ବେଳେ ଜବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଘଟିଛି। ଆଜି ଏହି ସଂକ୍ରାନ୍ତରେ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ରଙ୍କ ଦ୍ବାରା ଗଣମାଧ୍ୟମ କୁ ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ ଗତ ୬ ତାରିଖ ବୁଧବାର ଦିନ ଏହି ଅଞ୍ଚଳରେ ମାଓବାଦୀ ଗତିବିଧି ଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇବା ପରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ ରେ ଏକ ଆଣ୍ଟି ନକ୍ସାଲ୍ ଅପରେସନ୍ ଆରମ୍ଭ କରାଯାଇଥିଲା। ୯ ତାରିଖ ଶନିବାର ଦିନ ଏସ ଓ ଜି ଦଳ ଭାଲୁଗୃହ, ଶୂକରପଦର, ଡିମିଲି ଓ ଡେଙ୍ଗାଗୃହ ଅଞ୍ଚଳରେ କୁମ୍ବିଂ କରୁଥିବା ବେଳେ ପ୍ରାୟ ସକାଳ ୧୧:୩୦ ସମୟରେ ମାଓବାଦୀ ମାନଙ୍କ ସହିତ ମୁହାଁମୁହିଁ ହୋଇଥିଲା। ଜବାନ ମାନଙ୍କ ଉପରକୁ ମାଓବାଦୀ ମାନେ ସୁରକ୍ଷିତ ସ୍ଥାନରୁ ଭୀଷଣ ଗୁଳି ଚଳାଇ ଥିଲେ। ପୋଲିସ ଟିମ୍ ତୁରନ୍ତ କଭର୍ କରି ମାଓବାଦୀ ମାନଙ୍କୁ ଆତ୍ମସମର୍ପଣ କରିବାକୁ ଚେତାବନୀ ଦେଇଥିଲେ । ଜବାନ ମାନେ ଆତ୍ମରକ୍ଷା ପାଇଁ ନିୟନ୍ତ୍ରିତ ଭାବରେ ପାଲଟା ଗୁଳି ଚାଳନା କରିଥିଲେ । କିଛି ସମୟ ଉଭୟ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ପରେ ଘଞ୍ଛ ଜଙ୍ଗଲ ଉହାଡରେ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ଜବାନ ମାନେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେଶନ ଚଳାଇଥିଲେ। ଏହି ଅବସରରେ ସେଠାରୁ ଅନେକ ଅସଶସ୍ତ୍ର ସମେତ ମାଓବାଦୀ ସରଞ୍ଜାମ ଉଦ୍ଧାର କରାଯାଇଥିଲା। ମାଓବାଦୀ ମାନେ ରାୟଗଡା ଅଞ୍ଚଳର ବି ଜି ଏନ ଏବଂ କେ କେ ବି ଏନ ଦଳର ଓ ମାଓ କ୍ୟାଡର ନିଖିଲ ଓ ବିକାଶ ନେତୃତ୍ବରେ ୧୫ ରୁ ୨୦ ଜଣ ମାଓବାଦୀ ଥିବା ଅନୁମାନ କରାଯାଉଛି ବୋଲି କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ପୋଲିସ୍ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ସୁରକ୍ଷା କର୍ମୀମାନେ ମାଓ କ୍ୟାମ୍ପ ଧ୍ବସ୍ତ କରିବା ସହ ବହୁ ମାଓ ସାମଗ୍ରୀ ମଧ୍ୟ ଜବତ କରିଛନ୍ତି । ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ ସେଥ୍ରେ ସାତଟି ହ୍ୟାଣ୍ଡ ଗ୍ରାନେଡ,ତିନୋଟି ଜିଲୋଟିନ ଷ୍ଟିକ, ବିଦ୍ୟୁତ ତାର, ସୋଲାର ପ୍ଲେଟ୍, ବ୍ଳାଷ୍ଟିଙ୍ଗ ମେସିନ୍, ହାଭର୍ ଅଖା, ଔଷଧ, ମେଲେରିଆ ଟେଷ୍ଟିଂ କିଟ୍, ପ୍ଲାଷ୍ଟିକ୍ ବାଲ୍ଟି, କମ୍ବଳ, ଦର୍ପଣ ପାନିଆ, ପାର୍ଲେଜି ବିସ୍କୁଟ, ସ୍କୃଡ୍ରାଇଭର ଜବତ କରାଯାଇଛି ବୋଲି କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର।