ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅପହଂଚଞ୍ଚ ଇଲାକା କୁହାଯାଉଥିବା ବାଲନ୍ଦାପଡା ଠାରେ ବାଲ୍ୟ ବିହାହ ସଂପୂର୍ଣ୍ଣ ବନ୍ଦ କରିବା ଓ କୁପୋଷଣକୁ ରୋକିବାର ଲକ୍ଷ୍ୟ ରଖି ଏକ କିଶୋରୀ ବାଳିକା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବାଲ୍ୟ ବିବାହ ରୋକିବା ଦିଗରେ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ବେଳେ ସ୍ୱେଚ୍ଚାସେବୀ ଅନୁଷ୍ଠାନ ସ୍ୱାତୀ ଓ ଆର୍ନ୍ତଜାତୀୟ ଅନୁଷ୍ଠାନ “କ୍ରାଏ” କୋଲକତାଙ୍କ ମିଳିତ ଉଦ୍ୟମରେ ଏହି ଅଂଚଳ ଗୁଡିକରେ ଜାରି ରହିଛି ।
କାର୍ଯ୍ୟ କ୍ରମର ମୁଖ୍ୟ ଆଭିମୁଖ୍ୟ ଥିଲା କିଶୋରୀ ମାନଙ୍କୁ ବିଭିନ୍ନ ଦିଗରେ ଆଲୋଚନା ମାଧ୍ୟମରେ ସଚେତନ କରାଇ ବାଲ୍ୟ ବିବାହ ରୋକିବା ଉକ୍ତ କାର୍ଯ୍ୟକ୍ରମରେ ଫିରିଙ୍ଗିଆ ସମନ୍ୱିତ ଶିଶୁବିକାଶ ଅଧିକାରିଣୀ ମଞ୍ଜୁଳା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଶୋରୀ ମାନଙ୍କୁ ସଂଗଠିତ ହୋଇ ଦଳ ଗଠନ କରିବା ଓ ଦଳ ମାଧ୍ୟମରେ ନିଜ ଅଂଚଳରେ ଘଟୁଥିବା ବାଲ୍ୟ ବିବାହ ଗୁଡିକୁ ସ୍ୱତଃପ୍ରବୃତ ଭାବେ ରୋକିବାକୁ ଚେଷ୍ଟା କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । ତତ୍ ସହିତ ମହିଳା ପରିଦର୍ଶିକାମାନେ ଯୋଗଦେଇ ନିଜର ଥିବା ଅନୁଭୂତି ଜରିଆରେ ଅଭିଭାବକ ମାନଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଥିବା କହିଥିଲେ ।
ଜିଲ୍ଲା ଏଡ୍ସ୍ ନିୟନ୍ତ୍ରଣ ସୁପରଭାଇଜର ଦେବାଶିଷ୍ ମିଶ୍ର ଉପସ୍ଥିତ ରହି ବିଭିନ୍ନ ଉଦାହରଣ ଓ ଗପ ମାଧ୍ୟମରେ ନାରୀ ଜୀବନକୁ ସୁପରିଚାଳନା କରିବା ଦିଗରେ ଏହିଭଳି କାର୍ଯ୍ୟକ୍ରମର ଆବଶ୍ୟକତା ଥିବା କହିଥିଲେ ଓ ସରକାରୀ ସ୍ତରରୁ ଏହି ଦିଗରେ ଚେଷ୍ଟାକୁ ମଧ୍ୟ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ଫୁଲବାଣୀ ଚାଇଲଡ୍ ଲାଇନ୍ରୁ ଦିଲିପ୍ କୁମାର ଦାଶ, ସସ୍ମିତା କରଣ ପ୍ରମୁଖ ଯୋଗଦେଇ ବାଲନ୍ଦାପଡା, ଲୁଇସିଂ, କୁଏରମାଣ୍ଡୁ ଓ ପକାରୀ ଇତ୍ୟାଦି ଅଂଚଳରେ ଘଟୁଥିବା ବାଲ୍ୟବିବାହ ଗୁଡିକ ସଠିକ୍ ଭାବରେ ୧୦୯୮ କୁ କଲ୍ କରି ପଞ୍ଜୀକୃତ କରିବାକୁ ଅନୁରୋଧ କରିଥିଲେ । ସ୍ୱାତୀ ତରଫରୁ ଅଧ୍ୟକ୍ଷ ପ୍ରଶାନ୍ତ ସତପଥୀ ଓ କୋଷାଧ୍ୟକ୍ଷ ଶାନନ୍ତୁ କୁମାର ମିଶ୍ର ପ୍ରମୁଖ ଯୋଗଦେଇ “କ୍ରାଏ” କୋଲକତା ତରଫରୁ ସହଯୋଗ କୁ ପ୍ରସଂଶା କରିବା ସହ କୁ ପୋଷଣକୁ ଦୂର କରିବାରେ ଅଙ୍ଗନାବାଡି କର୍ମୀ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଅନୁଷ୍ଠାନ ତରଫରୁ ପ୍ରକଳ୍ପ ସଂଯୋଜକ ବିଶ୍ୱରଞ୍ଜନ କର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉମେଶ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।