ଫୁଲବାଣୀ (Santosh Mishra) : କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ପୋଲିସ ଗୋଛାପଡା ଅଂଚଳରୁ ଫୁଲବାଣୀ ପଟ ଦେଇ ବାହାର ଜିଲ୍ଲାକୁ ଗଞ୍ଜେଇ ଚାଲାଣ ହେଉଥିବାବେଳେ ଗୋଟିଏ କାରଭିତରୁ ୨୮ କିଲୋ ଗଞ୍ଜେଇ ଜବତ କରିଛି । ଏହି କାର ସମେତ ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ଜିନିଷକୁ ଜବତ କରି ଏହି ଘଟଣାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଫୁଲବାଣୀ ଏସଡିପିଓ ମହେନ୍ଦ୍ର ମୁର୍ମୁ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୮ଟା ବେଳେ ଗୋଛାପଡା ଥାନା ଅଂଚଳରୁ ଫୁଲବାଣୀ ପଟ ଦେଇ ବାହାର ଜିଲ୍ଲକୁ ଗଞ୍ଜେଇ ଚାଲାଣ ହେବାକୁ ଥିବା ନେଇ ଥାନା ଅଧିକାରୀ ତୃପ୍ତିରଞ୍ଜନ ନାୟକ ବିଶ୍ୱସ୍ଥ ସୂତ୍ରରୁ ସୂଚନା ପାଇଥିଲେ । ଏହାପରେ ସେ ପୋଲିସ କର୍ମଚାରୀ ମାନଙ୍କ ସମେତ ବୁନ୍ଦୁଲି ଛକଠାରେ ଥିବା ଡିଡିମା ଘାଟିଠାରେ ଗାଡିମଟର ଜାଂଚ କରିଥିଲେ ।
ସେହି ପଟରେ ଏକ ମହିନ୍ଦ୍ରା ଭେରିଟୋ (ଓଡି,୦୨-ପି-୭୩୬୫)କାରଟି ଆସିଥିଲା ପୋଲିସ ସେହି ଗାଡିକୁ ତଲାସି ନେବା ବେଳେ ସେଥିରୁ ୨୮ କିଗ୍ରା ଗଞ୍ଜେଇ ମିଳିଥିଲା । ଏହା ସହିତ ଗାଡିର ଡ୍ରାଇଭର ଗୋଛାପଡା ଥାନା ଅଂଚଳର ବାଘଡୁଙ୍ଗୁରି ଅଂଚଳର ଟିକୁ ଦିଗାଲ ଓରଫ ଦୁଖିଃଶ୍ୟାମ ଦିଗାଲକୁ ଗିରଫ କରିଛି । ତାଠାରୁ ନଗଦ ୩.୪୨ ଲକ୍ଷ ଟଙ୍କା ସମେତ ଗୋଟିଏ ଖେଳନା ପିସ୍ତଲ ଓ ଗୋଟିଏ ସାମସଙ୍ଗ ଟାବଲେଟ୍ ମଧ୍ୟ ଜବତ କରିଛି ପୋଲିସ । ଗୋଛାପଡା ଥାନା ରେ ଏକ ମାମଲା ୧୦୩/୨୦୨୦ ରୁଜ୍ଜୁ କରି ଅଭଯୁକ୍ତକୁ ଆଜି କୋର୍ଟ ଚାଲାଣ କରିଥିବା ନେଇ ଜଣାପଡିଛି ।