ଫୁଲବାଣୀ(Santosh Mishra) : ଶିଶୁ ମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ଓ ଅବିଭାବକ ମାନଙ୍କୁ ସଚେତନ କରିବା ନିମନ୍ତେ “ଆ’ ଖେଳିବା ଆ’ ଶିଖିବା” ନାମକ ଏକ ଶିକ୍ଷା ରଥ ଆନ୍ତର୍ଜାତୀୟ ଅନୁଷ୍ଠାନ ସେଭ୍ ଦି ଚିଲ୍ଡ୍ରେନ୍ ଓ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ତରଫରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଂଚଳରେ ବୁଲି ସଚେତନତା ସୃଷ୍ଟି କରିବା ନିମନ୍ତେ ପ୍ରୟାସ କରାଯାଉଅଛି । ନଭେମ୍ବର ୨୦ ତାରିଖରେ ବିଶ୍ୱ ଶିଶୁ ଦିବସ ଅବସରରେ ଭୁବନେଶ୍ୱରରେ ଓଡ଼ିଶା ରାଜ୍ୟ ଶିଶୁ ଆୟୋଗଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ଡଃ ଅଚୁ୍ୟତ ସାମନ୍ତଙ୍କ ଏହି ରଥର ଶୁଭାରମ୍ଭ କରିଛନ୍ତି ।
ଓଡ଼ିଶାର ବିଭିନ୍ନ ଜିଲ୍ଲା ଅତିକ୍ରମ କରିବା ପରେ କନ୍ଧମାଳ ଜିଲ୍ଲାରେ ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରି ଫକିର ଚରଣ ପରିଡ଼ା, ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ଦିଗାଳ, ଗୁଟିଙ୍ଗିଆ ସରପଂଚ ହୃଦୟ କୁମାର ପ୍ରଧାନ, ସ୍ଥାନୀୟ ଅଙ୍ଗନୱାଡି ସୁପରଭାଇଜର, ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା ସ୍ୱାଗତ କରାଯାଇଥିଲା । ଏହି ରଥ ପରିଭ୍ରମଣ ଦ୍ୱାରା ଶିଶୁ ମାନଙ୍କ ଶିକ୍ଷାପ୍ରତି ଆଗ୍ରହ ଉପୁଯିବା ସହିତ ଅବିଭାବକମାନେ ସଚେତନ ହୋଇପାରିବେ ବୋଲି ସ୍ଥାନୀୟ ଶିକ୍ଷାବିତ୍ ମାନେ ମତ ପ୍ରକାଶ କରିବା କରିଛନ୍ତି । ଏହି ରଥରେ ଶିଶୁ ମାନଙ୍କ ନିମନ୍ତେ ବିଭିନ୍ନ ପ୍ରକାରର ଶିକ୍ଷଣୀୟ ସାମଗ୍ରୀ ତଥା ଗୀତ ମାଧ୍ୟମରେ ଶିଶୁ ମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ପ୍ରୟାସ କରାଯାଇଅଛି । ସ୍ୱାତୀ ଓ ସେଭ୍ ଦି ଚିଲ୍ଡ୍ରେନ୍ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଶିକ୍ଷା ପ୍ରକଳ୍ପ ଅଂଚଳରେ ରଥଟି ବୁଲି ଜନସଚେତନତା ସୃଷ୍ଟି କରିବ ବୋଲି ସ୍ୱାତୀ ଅନୁଷ୍ଠାନର ସମ୍ପାଦକ ଇଂ ହରିଶଙ୍କର ରାଉତ କହିଛନ୍ତି । ଅନୁଷ୍ଠାନର କର୍ମୀମାନେ ରଥ ପରିଭ୍ରମଣରେ ସହଯୋଗ କରିଥିଲେ ।