ଫୁଲବାଣୀ ( ସନ୍ତୋଷ ମିଶ୍ର ) : ଦାଦନ ଖଟିବାକୁ ଯାଇ ବାପା ଗୋପାଳ କହଁରଙ୍କର ମୃତ ହୋଇଥିଲା । ପରବର୍ତ୍ତି ସମୟରେ ମାଆ ମାଳତି କହଁରଙ୍କର ମୃତୁ୍ୟ ହୋଇଯାଇଛି । ବାପ ମାଆ ଛେଉଣ୍ଡ ୨ ବେସାହାରା ଭାଇ ଭଉଣୀ ପାଇଁ ବର୍ତ୍ତମାନ ପରିସ୍ଥିତିରେ ଲକଡ଼ାଉନ୍ ସମସ୍ତଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥିବାବେଳେ ଏହି ଦୁଇ ଅସହାୟ ଭାଇଭଉଣିଙ୍କୁ ସହାୟତାର ହାତ ବଢାଇଛି ବାଲିଗୁଡ଼ା ବନବାସୀ ସେବାସମିତି ସହାୟତରେ ଫୁଲବାଣୀ ଚାଇଲ୍ଡ ଲାଇନ୍ ।
୨ ଅସହାୟ ଭାଇ ଓ ଭଉଣୀଙ୍କୁ ଫୁଲବାଣୀ ଜିଲା ପରିଷଦ ସଭ୍ୟା ମକରଧ୍ୱଜ ମଲିକଙ୍କ ଉପସ୍ଥିତିରେ ଖାଦ୍ୟ ସାମଗ୍ରୀ , ସାନିଟାଇଜର ,ମାକ୍ସ ଆଦି ପ୍ରଦାନ କରିଛନ୍ତି ଚାଇଲଡ଼ ଲାଇନର ସଦସ୍ୟମାନେ । ଏଭଳି ଏକ ଦୃଶ୍ୟ ଦେଖାଯାଇଛି କନ୍ଧମାଳ ଜିଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ ତଡ଼କି ଗ୍ରାମ ପଂଚାୟତ ଅନ୍ତର୍ଗତ ତାରାପଦର ଗ୍ରାମରେ । ପ୍ରକାଶଯେ, ମାଆ ଓ ବାପାଙ୍କ ଦେହାନ୍ତ ପରେ ୨ଶିଶୁ ସଂପୂର୍ଣ୍ଣଭାବେ ଅବହେଳାର ଶୀକାର ହୋଇ ପଡ଼ିଛନ୍ତି ।
ନିଜ ବଡ଼ବାପା ମାଧବ କହଁରଙ୍କ ଘରେ ଉଭୟ ଶିଶୁ ଆଶ୍ରୟ ନେଇଛନ୍ତି । ତେବେ ବଡ଼ବାପାଙ୍କ ପରିବାର ସଦସ୍ୟ ସଂଖ୍ୟା ୭ଜଣ ଥିବା ବେଳେ ଓ ସେ ମଧ୍ୟ ଗରୀବ ଶ୍ରେଣୀର ଅଟନ୍ତି । ସେଥିପାଇଁ ୨ ଶିଶୁକୁ ପାଳିବା ତାଙ୍କ ପାଇଁ କଷ୍ଟକର ବୋଲି ପ୍ରକାଶ କରିଛନ୍ତି । ଏହି ଖବର ଚାଇଲ୍ଡ ଲାଇନର ଟିମ୍ ସଦସ୍ୟ ଶିବ ଶଙ୍କର ବେହେରା ପାଇବା ପରେ ଘଟଣା ସଂପର୍କରେ ନିଦେ୍ର୍ଦଶକ ରବିନ୍ଦ୍ର କୁମାର ପଣ୍ଡାକୁ ଜଣାଇଥିଲେ ଓ ଶ୍ରୀ ପଣ୍ଡାଙ୍କ ନିଦେ୍ର୍ଦଶ ପ୍ରକାରେ ଟିମ୍ ସଦସ୍ୟ ଶ୍ରୀ ନାୟକ ଓ ସୁପ୍ରଭା ନାୟକ ପ୍ରମୁଖ ଅସହାୟ ଓ ବେସାହାରା ୨ ଶିଶୁଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରିବା ସହିତ ୨ ଶିଶୁର ଯତ୍ନ ସୁରକ୍ଷା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦିଆଯାଇଛି ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି । ବର୍ତ୍ତମାନ ଝିଅ ୧୦ମ ଶ୍ରେଣୀରେ ପଢୁଥିବା ବେଳେ ପୁଅ ୮ମ ଶ୍ରେଣୀରେ ଅଧ୍ୟାୟନ କରିବ ।