ଫିରିଙ୍ଗିଆ ଥାନା ପୋଡ଼ି ମାମଲା, ଥାନା ଅଧିକାରୀଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି, ୧୯ ଜଣ ଗିରଫ , ଆହୁରି ଅନେକ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା : ୧୪୪ ଧାରା ଜାରି।
ଫୁଲବାଣୀ ତା ୬/୮:କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ରେ ଗତକାଲି ଘଟିଥିବା ଘଟଣା ପରେ ଆଜି ପୋଲିସ ପ୍ରଶାସନ ପକ୍ଷରୁ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାୟକଙ୍କୁ କନ୍ଧମାଳ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣ ହୋମଗାର୍ଡଙ୍କୁ କାଯ୍ୟରୁ ଅନ୍ତର କରାଯାଇଛି ବୋଲି କନ୍ଧମାଳ ଏସପି ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ଗତକାଲିର ଥାନା ପୋଡିବା ଓ ପୋଲିସ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଙ୍କୁ ଆକ୍ରମଣ କରିବା ଘଟଣାରେ ପୋଲିସ ୧୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏସ୍ ପି ସୂଚନା ଦେଇଛନ୍ତି। ସେହିପରି ଆହୁରି ୪୦ରୁ ଊର୍ଦ୍ଧ୍ବ ଜଣ ଏହି ଘଟଣାରେ ସମ୍ପୃକ୍ତ ଥିବା ନେଇ ପୋଲିସ ପକ୍ଷରୁ ସିସିଟିଭି ଆଧାରରେ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସମଗ୍ର ଫିରିଙ୍ଗିଆ ବଜାର ଜନଶୂନ୍ଯ ହୋଇ ଯାଇଥିବା ବେଳେ ୧୪୪ ଧାରା ବଳବତ୍ତର ରହିଛିl ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଓ କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ରହିଛି lଏଠାରେ ସୂଚନା ଯୋଗ୍ୟ ଯେ ଗତକାଲି ଫିରିଙ୍ଗିଆ ଠାରେ ଫିରିଙ୍ଗିଆ ପୋଲିସ ଗଂଜେଇ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ କରାଯିବା ସହ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜନସାଧାରଣଙ୍କ ପଷରୁ ପ୍ରଥମେ ଜାତୀୟ ରାଜପଥ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ଏହି ଘଟଣା ପରେ ଘଟଣା ସ୍ଥଳକୁ ଫୁଲବାଣୀ ଏସ୍ ଡି ପିଓ ସୁପ୍ରସନ୍ନ ମଲ୍ଲିକ ଓ ତହସିଲଦାର ଏମ. ଅନୁରାଧା ପହଞ୍ଚି ଲୋକମାନଙ୍କ ସହିତ ଆଲୋଚନା କରିବା ବେଳେ ହଠାତ୍ ଲୋକମାନେ ଉତ୍ୟକ୍ତ ହେବା ସହ ଏସ୍ ଡିପିଓ ଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଓ ଥାନାମଧ୍ଯକୁ ପଶି ପୋଡାଜଳା କରି ବ୍ଯାପକ କ୍ଷୟକ୍ଷତି ଘଟାଇଥିଲେ l