Odisha news

କୁମ୍ଭୀର ଆକ୍ରମଣରେ ଯୁବକ ଗୁରୁତର, ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

0

ପଟ୍ଟାମୁଣ୍ଡାଇ ତା ୧୭.୯.୨୦୨୨-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ପଂଚାୟତ ନିମପୁର ଗ୍ରାମର ବବ୍ରୁବାହନ ଭୂୟାଁ ଆଜି ଅପରାହ୍ନ ୩ ଘଟିକା ସମୟରେ ବ୍ରାହ୍ମଣୀ ନଦୀକୂଳକୁ ଝାଡା ଯାଇଥିଲେ I ଝାଡା ଯାଇସାରିବା ପରେ ଶୌଚ ହେବା ପାଇଁ ନଦୀ ମଧ୍ୟକୁ ଯାଇ ଶୌଚ ହେଉଥିବା ସମୟରେ ୧୦/୧୫ ଫୁଟ ଲମ୍ବର ଏକ ବଉଳା କୁମ୍ଭୀର ତାଙ୍କ ଉପରକୁ ଝାମ୍ପି ପଡି ତାଙ୍କ ଜଙ୍ଘକୁ କାମୁଡି ଧରି ନଦୀ ମଧ୍ୟକୁ ଭିଡି ନେବାକୁ ଉଦ୍ୟମ କରିଥିଲା I ମାତ୍ର ବବ୍ରୁବାହନ ଭୟଭୀତ ନହୋଇ କୁମ୍ଭୀର ସହିତ ୧୫/୨୦ ମିନିଟ ଧରି ଲଢେଇ କରିଥିଲା I ଉପସ୍ଥିତ ବୁଦ୍ଧି ଓ ସାହସ ଖଟାଇ ବବ୍ରୁ କୁମ୍ଭୀରକୁ ଗୋଡ଼ରେ ଆଘାତ ଦେବା ସହିତ ଗୋଇଠା ମାରିଥିଲା I ଏଥି ସହିତ ନଦୀକୁଳରେ ଦିଆଯାଇଥିବା ବାଉଁଶ ଜାଫିରକୁ ଜୋରରେ ଧରି କୁମ୍ଭୀର କବଳରୁ ନିଜକୁ ଉଦ୍ଧାର କରି ଘୁଷୁରୀ ଘୁଷୁରୀ ନଦୀ କୁଳକୁ ଆସିଥିଲା I ତେବେ କୁମ୍ଭୀର ଆକ୍ରମଣ ଯୋଗୁଁ ବବ୍ରୁ ଗୁରୁତର ଭାବେ ଆହତ ହୋଇଥିଲା I ବବ୍ରୁର ଚିତ୍କାର ଶୁଣି ପରିବାର ଲୋକମାନେ ଓ ଗ୍ରାମବାସୀ ନଦୀକୁଳକୁ ଯାଇ ତାକୁ ଉଦ୍ଧାର କରିବା ସହିତ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ I ପରବର୍ତୀ ସମୟରେ ତାକୁ ଅଧିକ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି I ବ୍ରାହ୍ମଣୀ ନଦୀରେ ପ୍ରାୟ ସମୟରେ କୁମ୍ଭୀର ଆତଙ୍କ ଦେଖା ଦେଇଥିବାରୁ ଧୋୟାଞ୍ଚକର ଅଣ୍ଢରା, ଅମୃତମଣୋହି, ପେଣ୍ଠପାଳ, ତରଡ଼ିପାଳ, ଅଳପୁଆ, ବଲୁରିଆ, ସିଂହଗାଁ, ନୀଳକଣ୍ଠପୁର, ବାଛରା, ଶାସନ, ଶ୍ରୀରାମପୁର ଆଦି ପଂଚାୟତର ଲୋକମାନେ ବ୍ରାହ୍ମଣୀ ନଦୀ ମଧ୍ୟକୁ ଯିବାକୁ ଭୟ କରୁଛନ୍ତି I ରାଜନଗର ଡି ଏଫ ଓ ବିଭିନ୍ନ ନଦ ନଦୀରେ ଉପଦ୍ରଵ କରୁଥିବା କୁମ୍ଭୀର ମାନଙ୍କୁ ଧରି ଭିତରକନିକା ଅଭୟାରଣ୍ୟରେ ଛାଡିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି I

Leave A Reply