Odisha news

ବିରାଜିଲେ ବିଶ୍ୱକର୍ମା, କମ୍ପୁଛି ବନ୍ଦର ନଗରୀ

0

ପାରାଦୀପ – ସୃଷ୍ଟିର ଅନନ୍ୟ ବିନ୍ଧାଣୀ,ନିଆରା କାରିଗର ଦେବଶିଳ୍ପୀ ବିଶ୍ୱକର୍ମା ବିରାଜିତ ହୋଇସାରିଛନ୍ତି ବନ୍ଦର ନଗରୀ ପାରାଦୀପ ରେ l ଆଧ୍ୟାତ୍ମିକ ପରିବେଶରେ ଭକ୍ତିପୂତ ଆରାଧନା ଚାଲିଛି ପ୍ରତିଟି ପୂଜା ମଣ୍ଡପରେ l ଆଲୋକମାଳା ରେ ଝଲସି ଉଠୁଛି ସାର ସହର l ଆଗନ୍ତୁକଙ୍କ କୋଳାହଳରେ ଜମୁଛି ପୂଜା ପଡିଆ ଏବଂ ଘରେ ଘରେ କୁଣିଆ ମୟିତ୍ର ଙ୍କ ଗହଳି ଦେଖିବାକୁ ମିଳିଲାଣି  l ଦୀର୍ଘ ତିନିବର୍ଷ ପରେ ବନ୍ଦର ସହର ପାରାଦୀପରେ ପୁନର୍ବାର ମହା ଆଡମ୍ବର ସହକାରେ ଆରମ୍ଭ ହୋଇଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ମହୋତ୍ସବ l ରବିବାର ଦିନ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଦୀର୍ଘ ସାତଦିନ ପର୍ଯ୍ୟନ୍ତ ଚାଲିବ l ପୂଜା ଉତ୍ସବ ର ପ୍ରଥମ ଦିବସର ସକାଳେ ବିଭିନ୍ନ ଅନୁଷ୍ଠାନ ତଥା ସଙ୍ଘ ପକ୍ଷରୁ ପୂଜାରମ୍ଭ ପୂର୍ବରୁ ଆଡମ୍ବର ସହକାରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ତେବେ ସ୍ଥାନୀୟ ଯୁବ ଶ୍ରମିକ ନେତା ରାକେଶ ପଟ୍ଟନାୟକ ଙ୍କ ନେତୃତ୍ୱରେ ଭାରତୀୟ ବନ୍ଦର ମଜଦୁର ସଙ୍ଘ ର ପ୍ରାୟ ତିନିଶହ ସଦସ୍ୟ ଓ ସଦସ୍ୟା ମାନେ ସାରଳା ଘଣ୍ଟୁଆ ଦଳ,ପାରମ୍ପରିକ ଢୋଲକି ଓ ବାଜା ବାଣ ରୋଷଣୀ ସହିତ ସହର ପରିକ୍ରମା କରି ସମୁଦ୍ରରୁ ଜଳ ଆଣି ପୂଜାସ୍ଥଳ ରେ ପହଞ୍ଚିଥିଲା l ତେବେ ଏହି ଶୋଭାଯାତ୍ରାରେ ବନ୍ଦର ନଗରୀ ପ୍ରକମ୍ପିତ ହେବା ସହିତ ସାଧାରଣରେ ଦୃଷ୍ଟି ଆକର୍ଷଣ କରିଥିଲା l ସେହିପରି ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଙ୍ଘ ଓ ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକ ସଙ୍ଘ ର ସଭାପତି ତଥା ବିଶିଷ୍ଟ ଶ୍ରମିକ ନେତା ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ନେତୃତ୍ୱରେ ଜିରୋ ପଏଣ୍ଟ ସ୍ଥିତ  ସଙ୍ଘ କାର୍ଯ୍ୟାଳୟ ପରିସରରେ ବିଶ୍ୱକର୍ମା ପୂଜା ମହାସମାରୋହ ରେ ପାଳିତ ହେଉଥିବା ବେଳେ ପୂର୍ବ ଓଡିଶା ଶିଳ୍ପାଞ୍ଚଳ ବିକାଶ ପରିଷଦ, ଜମିହରା କୃଷକ ମହାସଂଘ ଓ ପୂର୍ବ ଓଡିଶା ପାରାଦୀପ ଅଏଲ ରିଫାଇନେରୀ ଶ୍ରମିକ ସଙ୍ଘ ର ସଭାପତି ଶ୍ରମିକ ନେତା ଗାଲେଖ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱରେ ନିମିଢ଼ି ଶୀଧେଶ୍ୱର ମନ୍ଦିର ନିକଟସ୍ଥ ସଙ୍ଘ କାର୍ଯ୍ୟାଳୟ ପରିସରରେ ପୂଜା ଉତ୍ସବ ଉତ୍ସାହ ଉଦ୍ଦୀପନା ସହକାରେ ପାଳିତ ହେଉଛି l ଏହି ସାତଦିନ ବ୍ୟାପି ପୂଜା ଉତ୍ସବ ରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାମିଦାମୀ କଳାକାର ମାନଙ୍କ ଦ୍ୱାରା ସଂଗୀତ ପରିବେଷଣ କାର୍ଯ୍ୟକ୍ରମ ରହିଛି l ଜୟଦେବ ସଦନ ଛକ ପଡିଆ ଠାରେ ଆୟୋଜିତ ହେଉଥିବା ପୂଜା ଉତ୍ସବ ପାଇଁ ସ୍ଥାନୀୟ ଓ ବାହାରର ବହୁ ବ୍ୟବସାୟୀ ମାନେ ବିଭିନ୍ନ ପ୍ରକାରର ସାମଗ୍ରିକ ଓ ଖାଦ୍ୟ ଷ୍ଟଲ ମାନ ଖୋଲିଛନ୍ତି l ଏତଦବ୍ୟତୀତ ଓଡମାସ ପକ୍ଷରୁ ପ୍ରଥମ ଥର ପାଇଁ ଏକ ବଡ଼ ଷ୍ଟଲ ଖୋଲାଯାଇଛି l ପୌରପାଳିକା ପକ୍ଷରୁ ପୂଜା ସ୍ଥଳରେ ନିୟମିତ ସଫେଇ ବ୍ୟବସ୍ଥା କରାଯାଇଥିବା ବେଳେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଓ ଏକ ସୂଚନା କେନ୍ଦ୍ର ଖୋଲାଯାଇଛି l ଦୀର୍ଘ ବର୍ଷ ପରେ ଆରମ୍ଭ ହୋଇଥିବା ଏହି ପୂଜାରେ ପ୍ରବଳ ଜନସମାଗମ କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି l ଚଳିତ ପୂଜା ଉତ୍ସବ ରେ ୧୧ ପ୍ଲାଟୁନ ପୋଲିସ ଫୋର୍ସ, ୫0 ହୋମ ଗାର୍ଡ ଓ ୪0 ଜଣ ଅଫିସର ନିୟୋଜିତ ହୋଇଥିବା ନେଇ ସୂଚନା ଦେଇଛନ୍ତି ପାରାଦୀପ ଡିଏସପି ସନ୍ତୋଷ କୁମାର ଜେନା l

Leave A Reply