ପାଣିକୋଇଲି : ଯାଜପୁର ଜିଲ୍ଲାରେ ବିଭିନ୍ନ ଥାନାରେ ଅନୁସୂଚିତଜାତି, ଜନଜାତି(ଏସିଏସଟି) ମାନଙ୍କ ପ୍ରତି ଅତ୍ୟାଚାର, ଦୁଷ୍କର୍ମ ଗଣ୍ଡଗୋଳ ଆଦି ଦିନକୁ ଦିନ ବୃଦ୍ଧି ପାଉଛି ବୋଲି ଏସିଏସଟି କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି । ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ଗୁଡିକୁ ଚାପି ଦିଆଯାଉଛି । ଯାହାର ନଗ୍ନ ଉଦାହରଣ ଜେନାପୁର ଥାନା କନ୍ତାପଡା ଗ୍ରାମର ଦଳିତ ଯୁବତୀ ଗଂଙ୍ଗୋତ୍ରୀଙ୍କୁ ସେହି ଗ୍ରାମର ମନୁଆ ମହାନ୍ତିଙ୍କ ପୁଅ ରାହୁଲ ଓରଫ କାହ୍ନା ବିବାହର ପ୍ରତିଶୃତି ଦେଇ ପ୍ରେମ ସର୍ମ୍ପକ ରଖିଥିଲା । ପ୍ରେମ ପରେ ପ୍ରତାରଣା କରିବାରୁ ଗଙ୍ଗେତ୍ରୀ ରାହୁଲକୁ ବିବାହ କରିବାକୁ ଜିଦ ଧରିଥିଲା । ଫଳରେ ଗତ ମାର୍ଚ୍ଚ ୧୨ ତାରିଖରେ ଗଙ୍ଗେତ୍ରୀକୁ ଅପହରଣ କରାଯାଇ ଗଣଦୁଷ୍କର୍ମ କରାଯିବା ସହ ହତ୍ୟା କରାଯାଇଥିଲା । ଏହାକୁ ଆତ୍ମହତ୍ୟା ରୂପ ଦେବାକୁ ଯାଇ ଏକ ଗଛରେ ଟାଙ୍ଗୀ ଦିଆଯାଇଥିଲା ।
ଏନେଇ ପୁଲିସ ମାତ୍ର ଜଣଙ୍କୁ ଗିରଫ କରି ହାତବାନ୍ଧି ବସିଛି । ସେହିପରି କୁଆଖିଆ ଥାନା ଅନ୍ତର୍ଗତ ଚିନ୍ତାପଲ୍ଲୀ ଗ୍ରାମର ମାନଗୋବିନ୍ଦ ମଲିକଙ୍କ ପୁଅ ରଂଜନକୁ ଓରାଳି ଗ୍ରାମର ବେଣୁଧର ଦାସଙ୍କ ପୁଅ ବିଜୁଆ ସହଯୋଗୀ ମାନଙ୍କୁ ଧରି ବାଲିଚନ୍ଦ୍ରପୁର ଠାରୁ ୁଠାଇ ଆଣି ଘର ନିକଟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏନେଇ ରଂଜନ କୁଆଖିଆ ଥାନାରେ ଅଭିଯୋଗ କରିବା ପରେ କାହିଁକି ଅଭିଯୋଗ କଲୁ ବୋଲି ପୁର୍ନବାର ମାଡ ମାରିଥିଲେ । ବଡଚଣା ଥାନା ଅନ୍ତର୍ଗତ ସିହା ପଂଚାୟତର ଖରମଙ୍ଗା ଗ୍ରାମରେ ଜମିବାଡିକୁ କେନ୍ଦ୍ର କରି ସଙ୍ଗବଦ୍ଧ ଭାବେ ଦଳିତ ପରିବାର ଉପରେ ଆକ୍ରମଣ କରିଥିଲେ ।
ହେଲେ ପୁଲିସ ମାତ୍ର ୨ଜଣଙ୍କୁ ଗିରଫ କରି ଚୁପ ହୋଇବସି ରହିଛି । ଏଭଳି ଅନେକ ଘଟଣା ଘଟୁଥିଲେ ବି ତାକୁ ଚାପି ଦିଆଯାଉଛି । ବିଭିନ୍ନ ମାମଲାର ଘଟଣାର ପୁନଃ ତଦନ୍ତ କରାଯିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଏସଏସଟି କ୍ରିୟାନୁଷ୍ଠାନ କମିଟି । ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଭାପତି ଗୟାଧର ମଲ୍ଲିକ, ସମ୍ପାଦକ ଶଶିକାନ୍ତ ମଲ୍ଲିକ, ସହ ସମ୍ପାଦକ ଦୁଷ୍ମନ୍ତ ଜେନା, ମାଗୁଣି ଜେନା, ରବିନ୍ଦ୍ର ମଲିକ, ନାରାୟଣ ମଲିକ, ଅଭିମନୁ୍ୟ ମଲିକ, ସମରେନ୍ଦ୍ର ମଲିକ, ବିପିନ ମଲ୍ଲିକଙ୍କ ସମେତ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ଆଜି ପାଣିକୋଇଲି ଠାରେ ବୈଠକରେ କ୍ଷୋଭ ପ୍ରକାଶ କରିବା ସହ ଦୋଷି ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପୁଲିସ ନିକଟରେ ଦାବି କରିଛନ୍ତି ।