ଇସ୍ଲାମାବାଦ : ପାକିସ୍ତାନ ଦ୍ୱାରା ଗଠିତ ତେହରିକ-ଏ-ତାଲିବାନ ପାକିସ୍ତାନ ଏବେ ଖୋଦ ପାକିସ୍ତାନ ପାଇଁ ‘ଭସ୍ମାସୁର’ ସାବ୍ୟସ୍ତ ହେଉଛି। ଗତ ସେପ୍ଟେମ୍ବର ମାସରେ ପାକିସ୍ତାନୀ ସୁରକ୍ଷା ବାହିନୀ ଏବଂ ସୈନିକଙ୍କ ଉପରେ ସମୁଦାୟ ୧୦୬ଟି ଆକ୍ରମଣ କରିଛି ବୋଲି ଟିଟିପି ଦାବି କରିଛି। ଏହି ସମୟରେ ଏହି ଆକ୍ରମଣରେ ୧୨୩ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି ଓ ୧୬୯ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।
ଟିଟିପି ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଏହି ସମୟ ମଧ୍ୟରେ ବିଲାୟତ ବାନୁ ପ୍ରଦେଶରେ ଏହା ସର୍ବାଧିକ ଆକ୍ରମଣ କରିଛି। ପେଶାୱରରେ ୨୪, ଦକ୍ଷିଣ ପଞ୍ଜାବ ପ୍ରଦେଶରେ ୨ଟି, ବିଲାୟତ ମାଲାକନ୍ଦରେ ୧୧ଟି ଆକ୍ରମଣ ହୋଇଥିଲା। ଏହି ସମୟ ମଧ୍ୟରେ ୧୮୫ ଜଣ ସେନା ଯବାନ, ୪୩ ଜଣ ପୋଲିସ ଆତଙ୍କବାଦ ନିରୋଧୀ କର୍ମଚାରୀ, ୧୮ ଜଣ ଗୁଇନ୍ଦା ଏଜେନ୍ସି ର ଯବାନ ଏବଂ ୪୬ ଜଣ ଅନ୍ୟ ସୁରକ୍ଷା ଏଜେନ୍ସି ଆହତ କିମ୍ବା ସହିଦ ହୋଇଛନ୍ତି । ଏହି ଆତଙ୍କବାଦୀ ସଂଗଠନ ସେପ୍ଟେମ୍ବରମାସରେ ସର୍ବାଧିକ ୨୦ଟି ସ୍ନାଇପର ଆକ୍ରମଣ କରିଥିବା ଦାବି କରିଛି। ଏଥିସହିତ ପାକିସ୍ତାନ ସୁରକ୍ଷା ବାହିନୀର ୧୧ଟି ଗୁପ୍ତଚର କ୍ୟାମେରା ସମେତ ୧୩ଟି ସାମରିକ ଯାନ ନଷ୍ଟ କରାଯାଇଛି। ଏହି ଆତଙ୍କବାଦୀ ସଂଗଠନ ଅନେକ ସୁରକ୍ଷା କର୍ମୀଙ୍କ ଠାରୁ ରକେଟ୍ ଲଞ୍ଚର ଏକେ ୪୭ ଭଳି ରାଇଫଲ, ଗୋଳାବାରୁଦ ସମେତ ଅନେକ ମାରାତ୍ମକ ଅସ୍ତ୍ରଶସ୍ତ୍ର ଲୁଟି ନେଇଥିବା ଦାବି କରିଛି।