ନଗେନ୍ଦ୍ର ନାଥ ପଟ୍ଟନାୟକ : ଦେଶରେ ପ୍ରସ୍ତାବିତ ନୂତନ ଶିକ୍ଷାନୀତିକୁ ନେଇ ସବୁ ପ୍ରକାର ଆଲୋଚନା ପର୍ଯ୍ୟାଲୋଚନା, ବିଚାରବିମର୍ଷ, ତଥ୍ୟ, ସିଦ୍ଧାନ୍ତ ଓ ତର୍ଳବିତର୍କ ଏବେଠୁ ମୁଣ୍ଡଟେକିବାରେ ଲାଗିଲାଣି । ଆମ ଦେଶରେ ଦୀର୍ଘବର୍ଷ ପରେ ଏକ ନୂତନ ଶିକ୍ଷା ନୀତି ପ୍ରଣୟନ କରାଯାଇଛି । ଏହି ନୂଆ ଶିକ୍ଷାନୀତିକୁ ନେଇ ଦେଶ ତମାମ ଉତ୍ସାହର ଲହରି ଖେଳିଯାଇଛି । ବାସ୍ତବତା ଦୂଷ୍ଟିରୁ ଦେଖିଲେ ଖୁବ୍ ଲମ୍ବା ସମୟ ଧରି ଯେଉଁ ଶିକ୍ଷାନୀତି ଆମ ଦେଶରେ ପ୍ରଚଳିତ ହୋଇଆସୁିଲା ସେଥିରେ ସମୟାନୁସାରେ ଢାଂଚାଗତ ପରିବର୍ତ୍ତନର ଆବଶ୍ୟକତା ଅନୁଭବ କରାଯାଉଥିଲା । ସମୟେସମୟେ ଏଥିରେ ପରିବର୍ତ୍ତନ ଆସିଥିଲା ସତ ମାତ୍ର ଆମୂଳଚୂଳ ପରିବର୍ତ୍ତନ କେବଳ ନୂତନ ଶିକ୍ଷା ନୀତିରେ ହିଁ ସମ୍ଭବ ହୋଇଛି । ଏହାକୁ ନେଇ ବ୍ୟାପକ ବିଚାରବିମର୍ଷ ଓ ଗବେଷଣା କରାଯାଇଥିଲା ଏବଂ ପରେ କେନ୍ଦ୍ର ସରକାର ନବୀନ ଶିକ୍ଷାନୀତିର ରୂପରେଖ ପ୍ରସ୍ତୁତ କରିଛନ୍ତି ।
ତେବେ ଏହି ପ୍ରସ୍ତାବିତ ଶିକ୍ଷାନୀତିକୁ କେନ୍ଦ୍ରକରି ବିଭିନ୍ନ ଶୈକ୍ଷିକ ଅନୁଷ୍ଠାନ ଓ ବୁଦ୍ଧିଜୀବୀମାନେ ନିଜ-ନିଜର ମତ ଓ ବିଚାର ରଖିଛନ୍ତି । ତେବେ ଏଇଠି ପ୍ରଶ୍ନ ଉଙ୍କିମାରେ ସତରେ କଣ ଏଇ ନବୀନ ଶିକ୍ଷାନୀତି ପରିବର୍ତ୍ତିତ ପରିସ୍ଥିତିରେ ଦେଶର ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରିପାରିବ ? ପୁନଶ୍ଚ ଏଇ ଶିକ୍ଷାନୀତି କଣ ଦେଶର ଭବିଷ୍ୟତ ନାଗରୀକ ତଥା ପିଲାମାନଙ୍କୁ ସବୁକିଛି ଦେଇପାରିବ ଯାହାସବୁ ଏମାନେ ଏହି ଡିଜିଟାଲ ଯୁଗରେ ଚାହୁଁଛନ୍ତି ? ଏଇମିତି ପ୍ରଶ୍ନଗୁଡିଏ ଆମମାନଙ୍କ ସମ୍ମୁଖରେ ଲମ୍ବିଯିବାର ଦେଖିବାକୁ ମିଳିଥାଏ । କିନ୍ତୁ ମୂଳ ପ୍ରଶ୍ନ ହେଉଛି ଏଇ ନୂତନ ଶିକ୍ଷାନୀତିକୁ ତୃଣମୂଳ ସ୍ତରରେ କାର୍ଯ୍ୟନ୍ୱୟନ କରିବା କଣ ଏତେଟା ସହଜ ? ତେବେ ସେ ଯାହାହେଉ, କେନ୍ଦ୍ର ସରକାର ଦୀର୍ଗ ୩୪ ବର୍ଷ ଉପରାନ୍ତେ ନୂତନ ଶିକ୍ଷାନୀତି ସାର୍ବଜନୀନ ଭାବେ ଘୋଷଣା କରିଛନ୍ତି । ଏବଂ ମାନବ ସମ୍ବଳ ମନ୍ତ୍ରାଣାଳୟ ନାମକୁ ପରିବର୍ତ୍ତନ କରାଯାଇ ଶିକ୍ଷା ମନ୍ତ୍ରଣାଳୟ ନାମିତ କରାଯିବାକୁ କେନ୍ଦ୍ର ସରକାର ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ନୂତନ ଶିକ୍ଷାନୀତିରେ ବ୍ୟାପକ ପରିବର୍ତ୍ତନର ଯେଉଁ ଘୋଷଣା କରାଯାଇଛି ତାକୁ ଦେଖିଲେ ଗୋଟିଏ କଥା ବିଶ୍ୱାସପୂର୍ବକ କୁହାଯାଇପାରିବ ଯେ, ସରକାର ପରିବର୍ତ୍ତନକୁ ନେଇ କୌଣସି ପ୍ରକାର ଦ୍ୱିଧା ପ୍ରକଟ କରିନାହାଁନ୍ତି । ପ୍ରଚଳିତ ଶିକ୍ଷା ବ୍ୟବସ୍ଥାର ପରିସରକୁ ପରିବ୍ୟାପ୍ତ କରାଯାଇ ତହିଁରେ ତିନିବର୍ଷର ପ୍ରି-ସ୍କୁଲିଂ ( ପ୍ରାକ୍ ଶିକ୍ଷାଦାନ ) ପରିୟଡକୁ ଅନ୍ତର୍ଭୁକ୍ତ କରାଯାଇଛି । ଆଉ ଅତି କମ୍ରେ ପାଂଚ ବର୍ଷ ଯାକେ ଶିକ୍ଷାର ମାଧ୍ୟମ ମାତୃଭାଷା ଅଥବା ଆଚଂଳିକ ଭାଷାରେ କରାଯିବାଭଳି ବଡ ବଡ ନିଷ୍ପତ୍ତି ଏଥିରେ ସାମିଲ ହୋଇଛି । ଯାହାକୁ ନେଇ ସମାଜରେ ବିଭିନ୍ନ ଅନୁଷ୍ଠାନ ଓ ବୁଦ୍ଧିଜୀବୀ ମହଲରେ ବିତର୍କ ଲାଗିରହିଛି । ତେବେ ଏଥିରେ ଦ୍ୱିରୁକ୍ତି ନାହିଁ ଯେ ,ଦେଶ ସ୍ୱାଧୀନ ହେବା ପରଠାରୁ ଶିକ୍ଷାନୀତିରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି । ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶିକ୍ଷାନୀତି ଓ ଶିକ୍ଷା କ୍ଷେତ୍ରରେ ବ୍ୟାପକ ତଥା ଲଗାତର ଉନ୍ନତିକୁ କେହି କେବେ ଅସ୍ୱୀକାର କରିପାରିବେ ନାହିଁ । ତଥାପି ଏକଥା କହିବାରେ ଦ୍ୱିଧା ନାହିଁ ଯେ,ଆମ ଦେଶରେ ବିଦ୍ୟାଳୟ ସ୍ଥିତିରେ ପରିବର୍ତ୍ତନ ଘଟୁଛି ସିନା କିନ୍ତୁ ଏହା ସହରାଂଚଳରେ ସୀମିତି ରହିଛି । ଗ୍ରାମାଂଚଳ,ପଛୁଆ ଆଦିବାସୀ ବହୁଳ ଇଲାକାରେ ବିଦ୍ୟାଳୟ ଚଳାଇବା ପାଇଁ ପର୍ଯ୍ୟାପ୍ତ ଗୃହ ତଥା ଆବଶ୍ୟକ ଭିତ୍ତିଭୂମୀ ନାହିଁ । ପିଲାମାନେ ଏବେସୁଦ୍ଧା ଚଟେଇ,ଫଟାଦରି ଓ ଭୂଇଁରେ ଚକାମାରି ବସିପଡି ଶିକ୍ଷା ଲାଭ କରୁଛନ୍ତି । ସଂପ୍ରତି ଆମ ଦେଶର ସରକାର ଶିକ୍ଷା କ୍ଷେତ୍ରରେ ପାଖାପାଖି ୪. ୩୪ ପ୍ରତିଶତ ବ୍ୟୟ କରୁଛନ୍ତି । ଏବେ ଏହାକୁ ଛଅ ପ୍ରତିଶତ ବୃଦ୍ଧି କରିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି ।
ପ୍ରସ୍ତାବିତ ନବୀନ ଶିକ୍ଷା ନୀତି ଅନୁସାରେ ଶିକ୍ଷା ବ୍ୟବସ୍ଥାର ଉଭୟ ଚେହେରା ଓ ଲକ୍ଷଣ ବଦଳିଯିବ । ପୂର୍ବରୁ ପ୍ରୀ-ସ୍କୁଲ ଶିକ୍ଷାଦାନ ଘରୋଇ ଓ ଇଂରାଜୀ ମାଧ୍ୟର ଦାମୀ ଅନୁଷ୍ଠାନରେ କରାଯାଉଥିଲା । ଅପରପଟେ ସରକାରୀ ବିଦ୍ୟାଳୟରେ ସିଧାସଳକ ପ୍ରଥମ ଶ୍ରେଣୀରୁ ହିଁ ଶିକ୍ଷାଦାନ ଆରମ୍ଭ ହେଉଥିଲା । ମାତ୍ର ନୂତନ ଶିକ୍ଷାନୀତି ଅନୁସାରେ ପ୍ରଥମ ପାଂଚବର୍ଷରେ ତିନିବର୍ଷର ପିଲାଙ୍କୁ ଖେଳକୁଦ ଓ ସେମାନଙ୍କ କାର୍ଯ୍ୟକଳାପ ତଥା ଗତିବିଧି ଜରିଆରେ ଶିକ୍ଷା ପ୍ରଦାନ କରାଯିବ । ଏହି ବୟସରେ ପିଲାଙ୍କ ମାନସିକ ବିକାଶ ସାଧାରଣତଃ କ୍ଷୀପ୍ରତର ହେବା ଲକ୍ଷ କରାଯାଏ । କାହିଁକିନା ପିଲାମାନେ ସେମାନଙ୍କ ଚାରିପଡେ ଥିବା ପାର୍ଥିବ ବସ୍ତୁକୁ ଚିହ୍ନିବାକୁ ଶିଖନ୍ତି,ବର୍ଣ୍ଣମାଳାର ଅକ୍ଷର ଚିହ୍ନ ବୋଲିବାକୁ ଶିଖନ୍ତି ଆଉ ଅନ୍ୟାନ୍ୟ କେତେକ ବିବିଧ ଶିକ୍ଷା ବି ଆହାରଣ କରିଥାନ୍ତି । ତିନିବର୍ଷ ପରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ବିଦ୍ୟାର୍ଥୀଙ୍କୁ ପାଠ ପଢାଯିବ । ଏହାବାଦ, ପଂଚମ ପର୍ଯ୍ୟନ୍ତ ପୁଣି ଅଷ୍ଟମ ଆଉ ଶେଷରେ ନବମ ଓ ଦଶମ ଶ୍ରେଣୀର ଶିକ୍ଷାଦାନ କରାଯିବ । ଶିକ୍ଷା ଉଭୟ ବସ୍ତୁନିଷ୍ଠ ଓ ବିଷୟଆଧାରିତ ହେବ ।
ନୂତନ ଶିକ୍ଷାନୀତିର ସବୁଠୁ ମହତ୍ତ୍ୱପୂର୍ଣ୍ଣ ଦିଗଟି ହେଉଛି ପୁସ୍ତକ ଶିକ୍ଷା ସାଙ୍ଗକୁ ବ୍ୟାବସାୟିକ ଶିକ୍ଷା ,କୌଶଳ ବିକାଶ ନିମିତ୍ତ ତାଲିମ ପ୍ରଦାନ କରାଯିବ । ସୁତରାଂ ଆପଣାର ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବା ସଙ୍ଗେସଙ୍ଗେ କୋଉ କାର୍ଯ୍ୟ ସମ୍ପାଦନରେ ନିଜର ପଟୁତା ପ୍ରଦର୍ଶନ କରିପାରିବେ ବା ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ଆଗେଇବେ ସେନେଇ କିଶୋରବସ୍ଥା ପ୍ରାପ୍ତ ପର୍ଯ୍ୟନ୍ତ ପିଲାଙ୍କୁ ଭାବିବାକୁ ପଡିବ । ଯଦି ଏହି ପଦ୍ଧତି କଡାକଡି ଭାବେ ଲାଗୁ କରାଯାଏ ତେବେ ପ୍ରତିଭା ବିକାଶ କାର୍ଯ୍ୟକ୍ରମ ଫାଲତୁ ତଥା ସାଂକେତିକ ହେବା ପରିବର୍ତ୍ତେ ଗମ୍ଭୀରତା ସହକାରେ ତଥା ପେସାଦାର ତରିକାରେ ଚାଲୁ କରାଯାଇପାରିବ । ପୁସ୍ତକ ଘୋଷାଭିତ୍ତିକ ଯେଉଁ ଶିକ୍ଷା ବ୍ୟବସ୍ଥା ଭାରତରେ କିରାଣୀ ସୃଷ୍ଟି କରୁଥିଲା ସେଥିରୁ ମୁକ୍ତି ମିଳିପାରିବ । କାରଣ ଦଶମ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆସୁଆସୁ ପରୀକ୍ଷାଗୁଡିକ ବସ୍ତୁକୈନ୍ଦ୍ରିକ ହୋଇସାରିଥିବ ଆଉ ପରୀକ୍ଷାର ରୂପରେଖ ବି ବଦଳିଯାଇଥିବ ।
ବିଦ୍ୟାଳୟରେ ନାମ ଲେଖାଇବାରେ ସବୁଠାରୁ ବଡ ସମସ୍ୟା ହୋଇଛି କୌଣସି କାରଣବଶତଃ ପିଲାଟିଏ ମଝିରେ ପାଠପଢା ଛାଡିଦେବା । ଆମ ଆଖପାଖରେ ଏମିତି ଅନେକ ପିଲା ଦେଖିବାକୁ ମିଳନ୍ତି ଯେଉଁମାନେ କୌଣସି ନା କୌଣସି କାରଣରୁ ପାଠପଢା ମଝିରେ ବିଦ୍ୟାଳୟ ଛାଡିଦେଇଥାନ୍ତି । ନୂତନ ଶିକ୍ଷାନୀତି ପାଇଁ ଏହା ଏକ ବିରାଟ ଆହ୍ୱାନ । ଏହି ନୂତନ ଶିକ୍ଷାନୀତି ଅନୁସାରେ ଦୁଇକୋଟି ପିଲାଙ୍କୁ ପୁଣିଥରେ ମୁଖ୍ୟଧାରାକୁ ଆଣିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି । ମାଧ୍ୟମିକ ପର୍ଯ୍ୟନ୍ତ ସମସ୍ତଙ୍କୁ ଶିକ୍ଷା ଗ୍ରହଣ କରିବାକୁ ସୁନିଶ୍ଚିତ କରାଯିବ । ଆଉ ୨୦୩୦ସୁଦ୍ଧା ବିଦ୍ୟାଳୟରେ ଶହେ ପ୍ରତିଶତ ନାମଲେଖା କରାଯିବ । ଚାକିରୀ ପଛରେ ଗୋଡାଉଥିବା ପିଲାଙ୍କ ବଦଳରେ ଚାକିରୀ ଦାତାଙ୍କ ସଂଖ୍ୟା ଢେର ବୃଦ୍ଧିପାଉ ବୋଲି ଆମ ଦେଶର ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟରେ ଦୃଢତାର ସହିତ କହିଛନ୍ତି । ଅତଏବ ପ୍ରଧାନମନ୍ତ୍ରୀ ପ୍ରାଥମିକତା ପ୍ରଦାନ କରିଛନ୍ତି ସ୍ୱ-ରୋଜଗାର ଉପରେ ।
ଆଉ ତାହା କେବଳ ସ୍କୁଲଶିକ୍ଷା ମାଧ୍ୟମରେ ହାସଲ ହୋଇପାରିବ ବୋଲି ସେ ବେଶ୍ ଆଶାବାଦୀ । ପୁନଶ୍ଚ ନୂତନ ଶିକ୍ଷାନୀତିରେ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗର ଅସ୍ତିତ୍ୱ ଲୋପ କରାଯାଇ ଭାରତୀୟ ଉଚ୍ଚଶିକ୍ଷା ଆୟୋଗ ଗଠନର ପ୍ରସ୍ତାବ ରଖାଯାଇଛି । ପ୍ରସ୍ତାବିତ ଆୟୋଗ ଅଧୀନରେ ଚାରୋଟି ସଂସ୍ଥା ସେହି କାର୍ଯ୍ୟ ତୁଲାଇବେ, ଯାହା ୟୁଜିସି ପୂର୍ବରୁ ସମ୍ପାଦନ କରୁଥିଲା । ଦେଶର ସବୁ ବିଶ୍ୱବିଦ୍ୟାଳୟ ଓ କଲେଜ ୨୦୪୦ ପର୍ଯ୍ୟନ୍ତ ବହୁ ବିଷୟଭିତ୍ତିକ ପାଠ୍ୟକ୍ରମ ପ୍ରଚଳନ କରାଯିବାର ଲକ୍ଷ ଧାର୍ଯ୍ୟ କରାଯାଇଛି । ଏହାବ୍ୟତୀତ ଆଇ.ଆଇ.ଟିରେ ବିଜ୍ଞାନ ଓ ବୈଷୟିକ ବିଦ୍ୟା ସାଙ୍ଗକୁ କଳା ,ମାନବବାଦ ଓ ମହାପୁରୁଷଙ୍କ କୃତିତ୍ୱ ସଂକ୍ରାନ୍ତ ବିଷୟ ପଢାଯିବାର ବ୍ୟବସ୍ଥା ରହିଛି । ବିଶେଷକରି କଳାର ଛାତ୍ର ବି ଚାହିଁଲେ ବିଜ୍ଞାନ ପଢିପାରିବେ ।
ତେବେ ୨୦୪୦ ପର୍ଯ୍ୟନ୍ତ ସବୁ ଉଚ୍ଚ ଶିକ୍ଷାନୁଷ୍ଟାନକୁ ବହୁ ବିଷୟଭିତ୍ତିକ କରିବାକୁ ପଡିବ । ଏଥିସହିତ ଅନଲାଇନ ଡିଜିଟାଲ ଓ ଡିଷ୍ଟାନସ୍ ଲର୍ଣ୍ଣିଂର ବିକଳ୍ପ ମଧ୍ୟ ରଖାଯିବ । ଖାଲି ସେତିକି ନୁହେଁ ଏଥିରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ଯଥେଷ୍ଟ ଅଧିକ ସ୍ୱାୟତ୍ତତା ପ୍ରଦାନ କରାଯିବାର ପ୍ରାବଧାନ ରହିଛି । ଦ୍ୱାଦଶ ଶ୍ରେଣୀ ଉତ୍ତିର୍ଣ୍ଣ ହେବା ପରେ ପରେ ପ୍ରତି ଛାତ୍ରଙ୍କ ପାଖରେ କିଛି ନା କିଛି କାରବାର କରିବାର ଯୋଗ୍ୟତା ରହିଥିବ । ବିଏଡ କଲେଜ ବନ୍ଦ କରାଯିବ ଓ ସେଇ ଶିକ୍ଷା ସାଧାରଣ କଲେଜରେ ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି । ଚାକିରୀ ଅନ୍ୱେଷଣକାରୀକୁ ତିନି ବର୍ଷରେ ଆଉ ଗବେଷଣାରେ ଇଛୁକ ଛାତ୍ରକୁ ଚାରି ବର୍ଷରେ ଡିଗ୍ରୀ ମିଳିବାର ପ୍ରାବଧାନ ନବୀନ ଶିକ୍ଷାନୀତିରେ ଖଂଜାଯାଇଛି ।