ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩ରେ ପହଞ୍ଚିଛି। ଏହି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସେମାନଙ୍କ ମଧ୍ୟରୁ ୪୧ ଜଣ ସୁସ୍ଥ ହୋଇଥିବା ବେଳେ ଓଡ଼ିଶାରେ ୧୦୨ ଆକ୍ଟିଭ କେସ ରହିଛି। କଟକ, ଢେଙ୍କାନାଳ ଓ ପୁରୀରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ସୁସ୍ଥ ହୋଇଛନ୍ତି । ଓଡ଼ିଶାର ୪ଟି ଜିଲ୍ଲା କଳାହାଣ୍ଡି, କଟକ, ଢେଙ୍କାନାଳ ଓ ପୁରୀ ଜିଲ୍ଲା କରୋନା ମୁକ୍ତ ହୋଇଛନ୍ତି ।
ଓଡ଼ିଶାର ୧୯ ଜିଲ୍ଲାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭ ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୯ ଓ ଜଣକର ମୃତ୍ୟୁ ହୋଇଛି । ଯାଜପୁର ହଠାତ୍ କରୋନା ହଟସ୍ପଟ ପାଲଟିଯାଇଛି । ଯାଜପୁରରେ ଗତକାଲି ଗୋଟିଏ ଦିନରେ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬କୁ ଛୁଇଁଥିଲା, ଜଣେ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୫। ବାଲେଶ୍ୱରରେ ୨୦ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି ଓ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୨୦ ରହିଛି । ଭଦ୍ରକରେ ୧୯ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହୋଇଛନ୍ତି ୨ ଜଣ ଓ କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ୧୭ ଜଣ ।
ସୁନ୍ଦରଗଡ଼ରେ ୧୦ ଆକ୍ରାନ୍ତ ଚିହ୍ନଟ, ୫ ଆକ୍ରାନ୍ତ ସୁସ୍ଥ ଓ ଜିଲ୍ଲାରେ ୫ ସକ୍ରିୟ ସଂକ୍ରମିତ ରହିଛନ୍ତି । କେନ୍ଦ୍ରାପଡ଼ାରେ ୨ କରୋନା ପଜିଟିଭ ଚିହ୍ନଟ, ଜଣେ ସୁସ୍ଥ ଓ ଆକ୍ଟିଭ କେସ ମଧ୍ୟ ଗୋଟିଏ । ସେହିପରି କୋରାପୁଟ, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝରରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୪ଟି ଜିଲ୍ଲାରେ ଚିହ୍ନଟ ଆକ୍ରାନ୍ତଙ୍କ ଚିକିତ୍ସା ରାଜ୍ୟର ବିଭିନ୍ନ କୋଭିଡ-୧୯ ହସ୍ପିଟାଲରେ ଚାଲିଛି । କଳାହାଣ୍ଡିରେ ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।