ବୋଡ଼େନ ବ୍ଲକର ପାତାଳ ଗଙ୍ଗା ଠାରେ ଝିଅ ପାଇଁ ଗଛଟିଏ ଓ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ l ଗାଁ ମହିଳାଙ୍କ ହାତବଢା ପଖାଳ ଖାଇଲେ ଜିଲ୍ଲାପାଳ ଓ ପ୍ରଶାସନର ବରିଷ୍ଠ ଅଧିକାରୀ
ନୁଆପଡ଼ା -୧୫/୪ (ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଭଇଁସାଦାନି ପଞ୍ଚାୟତର କୋଟ ଗାଁ (ପାତାଳ ଗଙ୍ଗା) ଠାରେ ଝିଅ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଏଵଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପହଞ୍ଚିଥିଲେ । ଗାଁର ନବଜାତକ ଶିଶୁ କନ୍ୟା ନବ୍ୟାନ୍ସି ଓ ତାର ପିତାମାତା ରାଜେଶ ସାହୁ ଓ କସ୍ତୁରୀ ସାହୁଙ୍କୁ ସମାରୋହରେ ଜିଲ୍ଲାପାଳ ଉପହାର ପ୍ରଦାନ କରିଥିଲେ ।ସେମାନଙ୍କ ହାତରେ ନୂତନ ବୃକ୍ଷ ରୋପଣ କରି ଗଛର ଦିବ୍ୟାନ୍ସି ନାମକରଣ କରିଥିଲେ । ନବ ଜାତକକୁ କୋଳରେ ଧରି ତାର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ଅନ୍ୟ ଦୁଇ ଜଣ ଗର୍ଭବତୀ ମହିଳାଙ୍କୁ ଏହି ସମାରୋହରେ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଭେଟି ଦେଇଥିଲେ l ଜିଲ୍ଲାପାଳ ଏମାନଙ୍କ ପରିବାର ଲୋକଙ୍କୁ ଗର୍ଭବତୀ ମାନଙ୍କ ସମୁଚିତ ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ କୋଟଗାଁ ର ଆଦିବାସୀ ମାନେ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାରରେ ପାଇଥିବା 405 ହେକ୍ଟର ଜମିର ସୁରକ୍ଷା ତଥା ସଂରକ୍ଷଣ କରିବାର ଗୁରୁ ଦାୟିତ୍ଵ ଆଦିବାସୀ ନେତୃ ବୃନ୍ଦଙ୍କୁ ଜିଲ୍ଲାପାଳ ଅର୍ପଣ କରି ସେମାନଙ୍କ ମୁଣ୍ଡରେ ସମ୍ମାନଜନକ ପଗଡ଼ି ବାନ୍ଧିଥିଲେ । ସ୍ଵେଚ୍ଛାସେବୀ ସଂଗଠନ ୟାର ର ନିର୍ଦେଶକ ମହେନ୍ଦ୍ର କୁମାର ଯୋଶୀ ଏହି ମହତ୍ କାମ ପାଇଁ ଜିଲ୍ଲାପାଳ, ବନଖଣ୍ଡ ଅଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ପ୍ରାପ୍ତି ଓ ପରିଚାଳନା ସମ୍ପର୍କୀୟ ଉତ୍ସବ ଗ୍ରାମବାସୀମାନେ ଅତ୍ୟନ୍ତ ଉତ୍ସାହର ସହିତ ମନାଇଥିଲେ । ଆଜିର ଏହି ନିଆରା କାର୍ଯ୍ୟକ୍ରମ ପାଇଁ କୋଟ ଗାଁ ଆନନ୍ଦ ମୁଖର ହୋଇ ଉଠିଥିଲା l ଜିଲ୍ଲାପାଳଙ୍କ ସହିତ ଡି ଏଫ୍ ଓ ଅଜିଜ ଖାନ,ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ବିଡ଼ିଓ ସୁଶାନ୍ତ କୁମାର ରଣା, ତହସିଲଦାର ଅନୁସୁୟା ବାଗ୍ ଦେବି, ଭଇଁସାଦାନୀ ସରପଞ୍ଚ ଗିରିଜା ମାଝୀ, ଘଣ୍ଟିଗୁଡ଼ା ସରପଞ୍ଚ ଖୁଟୁରାମ ସୁନାନୀ,ୟାର ଅନୁଷ୍ଠାନ ନିର୍ଦ୍ଦେଶକ ମହେନ୍ଦ୍ର ଯୋଶୀ, ଏବଂ ଜିଲ୍ଲା ସ୍ତରୀୟ ତଥା ବ୍ଲକ ସ୍ତରୀୟ ଅଧିକାରୀ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏହାକୁ ବୋଡ଼େନ ବିଡ଼ିଓ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଙ୍ଗୀତା ପାତ୍ର, ପ୍ରୋଗ୍ରାମ୍ ଅଫିସର୍ ନମିତା ପାଢ଼ୀ, ବୋଡ଼େନ ସିଡିପିଓ ଅର୍ଚ୍ଚନା ରାଉତ ପ୍ରମୁଖ ଆୟୋଜନ କରିଥିଲେ। ଏହାପରେ ଜିଲ୍ଲାପାଳ ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀ ମାନଙ୍କୁ କୋଟଗାଁର ମହିଳାମାନେ ଆମନ୍ତ୍ରଣ କରି ଗୋମତୀ କଟା ଘରେ ପଖାଳ ଭାତ, ମାଣ୍ଡିଆ ପେଜ, ବାଇଗଣ ଭାର୍ତ୍ତା , ଶାଗ ଓ ବଡ଼ିଚୁରାରେ
ଆପ୍ୟାୟୀତ କରିଥିଲେ ।