ନୂଆପଡା -୧୫/୩ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ମନରେଗା ଯୋଜନାରେ ଦୈନିକ ଷାଠିଏ ହଜାର ରୁ ଅଧିକ ଶ୍ରମିକ ନିୟୋଜିତ କରି କ୍ରମାଗତ ଭାବରେ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି। ଜିଲାକୁ ପ୍ରବାସୀ ଶ୍ରମିକ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ସମଗ୍ର ଜିଲା ପ୍ରଶାସନକୁ ନିୟୋଜିତ କରି ପ୍ରୟାସ ଜାରି ରଖିଛନ୍ତି। ଶ୍ରମିକମାନଙ୍କ ମନରେ ଆତ୍ମବିଶ୍ବାସ ଏବଂ ସ୍ଵାଭିମାନ ର ହସ ଫୁଟାଇ ମନରେଗା ଯୋଜନାରେ ଶ୍ରମିକମାନଙ୍କ ସହ ଭାର ଧରି ମାଟି ବୋହିଛନ୍ତି ଜିଲ୍ଲାପାଳ ମଧୁସୁଦନ ଦାଶ।
ଗୁରୁବାର ନୂଆପଡା ଜିଲାପାଳ କୋମନା ବ୍ଳକ ମୁଣ୍ଡାପଲା ପଞ୍ଚାୟତର ମନରେଗା କାମ ପରିଦର୍ଶନ ପାଇଁ ଯାଇଥିଲେ। ଶ୍ରମିକଙ୍କୁ ଉତ୍ସାହିତ କରିବା ପାଇଁ ସ୍ଵୟଂ ଜିଲାପାଳ ଏହି ଯୋଜନାରେ ଖଲିଆ ବନ୍ଧ ଉନ୍ନତି କରଣ ପାଇଁ ମାଟି ଖନନ କାର୍ଯ୍ୟରେ ମାଟି ବୋହି ଭାରକୁ ପୋଖରୀ ହୁଡ଼ା ଉପରକୁ ଟେକି ନେଇଥିଲେ । ପରେ କୋମନା ବିଡ଼ିଓ ବିନୟ କୁମାର ଭୋଇ ମଧ୍ୟ ଏଠାରେ ଭାର ବୋହିଥିଲେ। ଜିଲାରେ ଦାଦନ ଶ୍ରମିକ ଚାଲାଣ ବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ିଥିବା ଜିଲାପାଳ ଶ୍ରୀ ଦାଶ ବିଭିନ୍ନ ସମୟରେ ଶ୍ରମିକଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ମାଟି ଖୋଳିଥିଲେ । ଏବେ ଭାର ବୋହି ଚର୍ଚ୍ଚାକୁ ଆସିଛନ୍ତି। ଜିଲାର ବହୁ ଶ୍ରମିକ ପରିବାର ମନରେଗା ଯୋଜନାରେ ତିନି ସହ ଦିନ କାମକରି ଲକ୍ଷପତି ହୋଇ ପାରିଛନ୍ତି। ଜିଲାପାଳ ଶ୍ରମିକମାନଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ମାଟି ଖୋଳିବା, ମାଟି ବୋହିବା, ଶ୍ରମିକ ମାନଙ୍କ ମନରେ ନବ ଜାଗରଣ ଆଣି ତାଙ୍କ ଆତ୍ମ ବିଶ୍ୱାସ ଓ ଭିଟାମାଟି ର ସ୍ଵାଭିମାନ ଯାଗାଇଛନ୍ତି। ସେମାନେ ଦୟନୀୟ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନଯାଇ ନିଜ ଗ୍ରାମରେ ପରିବାର ସହିତ ରହି ଶ୍ରମ ଦାନ କରି ସ୍ବାଭିମାନ ସହିତ ବଞ୍ଚିବା ପାଇଁ ବାସ୍ତବ ରେ ସାହସ ଓ ସୁନେଲି ସ୍ବପ୍ନ ଦେଖାଇ ଛନ୍ତି। ଜିଲ୍ଲାପାଳଙ୍କ ଏଭଳି ଜନାଭିମୁଖି ଦୂରଗାମୀ ବଳିଷ୍ଠ ପଦକ୍ଷେପକୁ ସବୁ ମହଲ ରେ ଆଦୃତ ହେବା ସହ ଭୂରି ଭୂରି ପ୍ରଶଂସା କରାଯାଉଛି ।