ନୂଆପଡ଼ା -୮/୫ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା କୋମନା ବ୍ଲକ ଅଞ୍ଚଳରେ ଦୀର୍ଘ ଦିନରୁ ଅନେକ ଚାଷୀ ପିଆଜ ଚାଷ କରି ଆସୁଛନ୍ତି। ତେବେ ପିଆଜ ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ପିଆଜ ପଚି ସଢ଼ି ଯିବା ଆଶଙ୍କାରେ ଚାଷୀ ମାନେ ଅମଳ ମାତ୍ରେ ପିଆଜ ବିକ୍ରୀ ପାଇଁ ବାଧ୍ୟ ହେଉ ଥିବାରୁ ଅଭାବୀ ବିକ୍ରୀ ର ଶିକାର ହେଉଥିବା ଲକ୍ଷ କରାଯାଉଛି।ଏହି ସମସ୍ୟା ର ପ୍ରତିକାର ପାଇଁ ଖରିଆର ରୋଡ଼ ଆଞ୍ଚଳିକ ବଜାର କମିଟି ଦ୍ୱାରା ଦୀର୍ଘ ଦେଢ଼ ବର୍ଷ ପୂର୍ବେ କାଣ୍ଡେତରା ଗ୍ରାମ ନିକଟରେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳ ରେ ପିଆଜ ସଂରକ୍ଷଣ ପାଇଁ ଏକ ଗୋଦାମ ଘର ନିର୍ମାଣ କାର୍ଯ୍ୟ କୌଣସି ଏକ ଠିକା ସଂସ୍ଥା ଦ୍ୱାରା ଆରମ୍ଭ କରାଯାଇ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟ ସମ୍ବନ୍ଧୀୟ କୌଣସି ସୂଚନା ଫଳକ ସ୍ଥାପନ କରାଯାଇ ନଥିବାରୁ କାର୍ଯ୍ୟ ସମ୍ପାଦନ ର ସ୍ୱଛତା ନେଇ ପ୍ରଶ୍ନ ବାଚୀ ସୃଷ୍ଟି କରିଛି। କାର୍ଯ୍ୟଟି କେଉଁ ଯୋଜନାରୁ କେତେ ବ୍ୟୟ ଅଟକଳ ରେ କେଉଁ ଠିକା ସଂସ୍ଥା ଦ୍ୱାରା ନିର୍ମାଣାଧିନ ବୋଲି ଆଞ୍ଚଳିକ ବଜାର କମିଟି ସମ୍ପାଦକ ଙ୍କୁ ପଚାରି ବୁଝିବାରୁ ଏସମ୍ବନ୍ଧରେ କୌଣସି ତଥ୍ୟ ଦେବା ପରିବର୍ତ୍ତେ ଜେଇ ଙ୍କୁ ଯୋଗାଯୋଗ କରିବାକୁ କହି ଏଥିପାଇଁ କୌଣସି ଟେଂଡର ହୋଇନଥିବା ତଥା ରାଜ୍ୟସରକାର ଙ୍କ ଦ୍ୱାରା ତାଲିକାଭୁକ୍ତ ହୋଇଥିବା ଠିକା ସଂସ୍ଥା ରୁ ଜଣକୁ ଏହି କାର୍ଯ୍ୟ ଦିଆଯାଇଥିବା ପ୍ରକାଶ କରିଥିଲେ। କାର୍ଯ୍ୟ ସମାପ୍ତି ସମୟ ଶେଷ ହୋଇ ଥିଲେ ହେଁ କାର୍ଯ୍ୟ ଅସମ୍ପୂର୍ଣ୍ଣ କାହିଁକି ରହିଛି ବୋଲି ପଚାରିବାରୁ ସମ୍ପୃକ୍ତ ବିଭାଗ କୁ ଏଥିପାଇଁ ଅବଗତ କରାଯାଇଥିବା ପ୍ରକାଶ କରିଥିଲେ। କାର୍ଯ୍ୟ ସମ୍ପାଦନ କରିବାରେ ଅହେତୁକ ବିଳମ୍ବ ହେତୁ ଚଳିତ ବର୍ଷ ମଧ୍ୟ ଅମଳ ସାରି ଚାଷୀକୁଳ ପିଆଜ ସଂରକ୍ଷଣ ବ୍ୟବସ୍ଥା ନ ଥିବା ରୁ କମ ମୂଲ୍ୟ ରେ ପିଆଜ ବିକ୍ରୀ ପାଇଁ ବାଧ୍ୟ ହେଉଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିବା ସହ ଶୀଘ୍ର ଗୋଦାମ ଗୃହ ନିର୍ମାଣ ସାରିବାକୁ ଉଚିତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି।