Odisha news

ନିଖୋଜ ବରଯାତ୍ରୀର ମୃତଦେହ ରମାବିଲି ଏକ କୂଅରୁ ଉଦ୍ଧାର :୪ଜଣ ଅଟକ

0

ନିରାକାରପୁର,୧୧/୧୨: ସାଙ୍ଗର ବାହାଘରରେ ଅତିଖୁସିରେ ବରଯାତ୍ରୀ ଯାଇ ଘରକୁ ଫେରି ନଥିଲେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅର୍ନ୍ତଗତ ଡ଼ିଆ ଗ୍ରାମର କେଦାର ସାହୁଙ୍କ ଏକମାତ୍ର ପୁତ୍ର ବିକାଶ ସାହୁ(୨୯) । ରାତି ପାହିଲେ ନିଜର ବାହାଘର ପାଇଁ ହୋଇଥାନ୍ତା ନିର୍ବଦ୍ଧ । କିନ୍ତୁ ବିଧିବିଧାନ ସାଙ୍ଗର ବାହାଘରେ ବରଯାତ୍ରୀ ଯାଇ ସାମାନ୍ୟ ଗଣ୍ଡଗୋଳରୁ ମହାଭାରତ ସୃଷ୍ଟି ହେଲା ଭଳି ନିଜର ଜୀବନକୁ ବାଜି ଲଗାଇଛି ବିକାଶ । ଘଟଣାରୁ ଜଣାପଡ଼ିଛି ଡ଼ିଆ ଗ୍ରାମର ତ୍ରିନାଥ ବାରିକଙ୍କ ପୁତ୍ରର ବାହାଘର ବରଯାତ୍ରୀରେ ଗତ ୯ ତାରିଖରେ ସେହିଗ୍ରାମର କେଦାର ସାହୁଙ୍କ ପୁତ୍ର ବିକାଶ ଓ ଅନ୍ୟାନ୍ୟ ବହୁ ଲୋକ ବରଯାତ୍ରୀରେ ଜଙ୍କିଆ ଥାନା ରମାବିଲି ଗ୍ରାମକୁ ଯାଇଥିଲେ । ସେଠାରେ ପହଞ୍ଚି ଗ୍ରାମରେ ଶୋଭାଯାତ୍ରା ଚାଲୁଥିବାବେଳେ ସାମାନ୍ୟ ଘଟଣାକୁ ନେଇ ରମାବିଲି ଓ ଡ଼ିଆ ଗାଁ ବାଲାଙ୍କ ମଧ୍ୟରେ ବଚସା ହୋଇଥିଲା ।

ପରେ ଡ଼ିଆ ବରଯାତ୍ରୀଙ୍କ ତରଫରୁ ରମାବିିଲି ଗ୍ରାମକୁ ଜୋରିମାନା ସୂରୁପ ୫ହଜାର ଟଙ୍କା ଦେବାକୁ ପଡ଼ିଥିବାର ଶୁଣିବାକୁ ମିଳୁଛି । ବରଯାତ୍ରୀମାନେ ଭୋଜି ଖାଇ ଫେରିବାବେଳେ ପୁନର୍ବାର ରମାବିଲି କିଛି ଲୋକମାନଙ୍କ ସହ ଗଣ୍ଡଗୋଳର ସୂତ୍ରପାତ ହେବା ପରେ ସେଠାକାର କିଛି ଯୁବକ ଓ ବ୍ୟକ୍ତି ଏକଜୁଟ ହୋଇ ଠେଙ୍ଗା ଧରି ବାଡ଼େଇବାକୁ ଗୋଡ଼ାଇବାରୁ ବରଯାତ୍ରୀମାନେ ଛତ୍ରଭଙ୍ଗ ଦେଇ ଘରକୁ ଫେରିଥିଲେ ବୋଲି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ପରେ ଗ୍ରାମରେ ସମସ୍ତେ ପହଞ୍ଚିଥିଲେ ବି କେଦାର ସାହୁ ନିଜର ପୁତ୍ର ବିକାଶ ନ ଆସିଥିବା ଘଟଣା ଗାଁରେ କହିବା ପରେ ସମସ୍ତେ ରମାବିଲି ଯାଇ ବହୁ ଖୋଜାଖୋଜି କରି ତାର ମଟରସାଇକେଲଟି ଝିଅଘର ଘରଟି ଥୋଆଯାଇଥିବା ଦେଖିବାକୁ ପାଇଲେ । ସେମାନେ ଏ ନେଇ ଜଙ୍କିଆ ଥାନାରେ ଅବଗତ କରାଯାଇବା ପରେ ଜଙ୍କିଆ ଥାନା ସେମାନଙ୍କୁ ନିରାକାରପୁର ଥାନାକୁ ପଠାଇ ଦେଇଥିଲା । ପୁନର୍ବାର ନିରାକାରପୁର ପୋଲିସ ଘଟଣାଟି ଜଙ୍କିଆରେ ଥାନା ଅଞ୍ଚଳରେ ହୋଇଥିବାରୁ ଜଙ୍କିଆ ପଠାଇ ଦେଇଥିଲେ ।

ଡ଼ିଆ ଗ୍ରାମର ଲୋକମାନେ ଜଙ୍କିଆ ଥାନାରେ ପହଞ୍ଚି ଖୋର୍ଦ୍ଧା ଏସପିଙ୍କୁ ଏ ସଂପର୍କରେ ଜଣାଇବା ପରେ ଜଙ୍କିଆ ପୋଲିସ ଅଭିଯୋଗ ରଖି ତଦନ୍ତ କରିବାକୁ ଆରମ୍ଭ କରିଥିଲେ । ସମସ୍ତ ଆହତଙ୍କୁ ନିରାକାରପୁର ପୋଲିସ ନେଇ ଖୋର୍ଦ୍ଧା ହସପିଟାଲରେ ଚିକିତ୍ସା କରି ଆଣିଥିଲେ । ଆଜି ସକାଳୁ ରମାବିଲିର ଏକ କୂଅରେ ବିକାଶର ଶବ ଭାସୁଥିବା କଥା ଶୁଣି ଡ଼ିଆ ଗ୍ରାମବାସୀମାନେ ରମାବିଲି ଆସି ହଙ୍ଗାମା କରିବା ସହ ସକାଳ ୮ଟାରୁ ନୂଆ ଜଗନ୍ନାଥ ସଡ଼କକୁ ଦିନ ୧୨ଟା ପର୍ଯ୍ୟନ୍ତ ଅବରୋଧ କରି ଅଭିଯାକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ସହ ଜଙ୍କିଆ ପୋଲିସଙ୍କ ବଦଳି ଦାବୀ କରିଥିଲେ ।

ଘଟଣାସ୍ଥଳକୁ ଟାଙ୍ଗୀ ତହସିଲଦାର ହେମେନ୍ଦ୍ର ନାରାୟଣ ମହାନ୍ତି ,ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସିଂହ, ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ ମିଶ୍ର, ନିରାକାରପୁର ଥାନା ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆ, ଜଙ୍କିଆ ଥାନା ଆଇଆଇସି ସତ୍ୟବ୍ରତ ଲେଙ୍କା, ଟାଙ୍ଗୀ ଥାନା ଆଇଆଇସି ସରୋଜ କୁମାର ଉପାଧ୍ୟାୟଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ପୋଲିସ ଅଧିକାରୀ ଆସି ଉତ୍ତ୍ୟକ୍ତ ବୁଝାସୁଝା କରିବା ସହିତ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଓ ଜଙ୍କିଆ ପୋଲିସ ଯେଉଁ ଅଫିସର ଅସହଯୋଗ କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ । ପରେ ରାସ୍ତା ଅବରୋଧ ହଟିଥିଲା । ପୋଲିସ ଶବକୁ ଖୋର୍ଦ୍ଧା ଦମକଳ ବାହିନୀଙ୍କ ଦ୍ୱାରା କୂଅରୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ୨୪୯/୨୦ କେସ କରିଥିବା ଜଣାପଡ଼ିଛି ।ଆଜି ଜଙ୍କିଆ ପୋଲିସ ରମାବିଲିରେ ରେଡ଼ କରି ୪ଜଣଙ୍କୁ ଅଟକ ରଖିଥିବାବେଳେ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି । ପ୍ରକାଶଥାଉ କି ବିକାଶର ଆଜି ବାହାଘର ପାଇଁ ନିର୍ବଦ୍ଧ ହୋଇଥାନ୍ତା ।

Leave A Reply