ନୟାଗଡ଼ : ନୟାଗଡ଼ ଜିଲ୍ଲାରେ କୋଭିଡ-୧୯, ଭୂତାଣୁ ସଂକ୍ରମଣ ମୁକାବିଲା ଦିଗରେ ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଅନିଲ କୁମାର ସାମଲ । କୋଭିଡ୍ କେୟାର ସେଣ୍ଟରକୁ ସର୍ବଦା ପ୍ରସ୍ତୁତ ରଖିବା, ଆଣ୍ଟିଜେନ୍ ଟେଷ୍ଟକୁ ତ୍ୱରାନ୍ୱିତ କରିବା ଏବଂ କରୋନା ମୁକାବିଲା କ୍ଷେତ୍ରରେ ସରକାରୀ ମାର୍ଗଦର୍ଶୀକା ଅନୁଶରଣ ଉପରେ ଆର୍ଡିସି ଗୁରୁତ୍ୱ ଦେଇଛନ୍ତି ।
ନୟାଗଡ଼ ଜିଲ୍ଲାରେ କୋଭିଡ-୧୯, ମୁକାବିଲା କ୍ଷେତ୍ରରେ ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କରି ଫେରିଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଅନିଲ କୁମାର ସାମଲ । ଶୁକ୍ରବାର ପୂର୍ବାହ୍ନରେ ରାଜସ୍ୱ କମିଶନର ନୟାଗଡ଼ ସର୍କିଟ ହାଉସ୍ ଠାରେ ପହଞ୍ଚି ଜିଲ୍ଲାପାଳଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ କରୋନା ମୁକାବିଲା ସମୀକ୍ଷା କରିଥିଲେ । କରୋନା ସଂକ୍ରମଣ ମୁକାବିଲା ଦିଗରେ ପ୍ରଶାସନିକ ପ୍ରସ୍ତୁତି କେତେ ସକ୍ଷମ ରହିଛି ତାହା ପଚାରି ବୁଝିଥିଲେ । ଜିଲ୍ଲାର ଚାନ୍ଦପୁର କୋଭିଡ୍ କେୟାର ହସ୍ପିଟାଲ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ୍ୟ ପରିଚାଳନା କୁ ଚାଲିଯିବା ପରେ ନୟାଗଡ଼ ପିଟିଏସ୍ ଓ ଖଣ୍ଡପଡ଼ା କୋଭିଡ କେୟାର ସେଣ୍ଟରକୁ ପ୍ରସ୍ତୁତ ରଖିବାକୁ ଆର୍ଡିସି ପରାମର୍ଶ ଦେଇଥିଲେ ।
ଇତିମଧ୍ୟରେ ଜିଲ୍ଲାରେ ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୩୧୯ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସମୟରେ ଗୋଷ୍ଠୀ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଇଛି । ଏସବୁ ବିଷୟକୁ ଦୃଷ୍ଟିରେ ରଖି ଚିକିତ୍ସା ପାଇଁ ଜିଲ୍ଲାର ଦୁଇଟି କୋଭିଡ୍ କେୟାର ସେଣ୍ଟରରେ ଆବଶ୍ୟକ ସଂଖ୍ୟକ ଶଯ୍ୟା, ଭେଣ୍ଟିଲେଟର, ଅକ୍ସିଜେନ ସିଲିଣ୍ଡର, ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ଚିକିତ୍ସା ପ୍ରଶାଧନ ଆଦି ମହଜୁଦ କରିବାକୁ ଆର୍ଡିସି ନିଦେ୍ର୍ଦଶ ଦେଇଥିଲେ । ଚିକିତ୍ସା ସମୟରେ ସଂକ୍ରମଣ ନିରୋଧ ଉପାୟକୁ କଡ଼ାକଡ଼ି ପାଳନ କରାଯିବା ଉପରେ ଆର୍ଡିସି ଗୁରୁତ୍ୱ ଦେଇଥିଲେ । ଗସ୍ତ ସମୟରେ ରାଜସ୍ୱ କମିଶନର ନୟାଗଡ଼ ବ୍ଲକ ଲକ୍ଷ୍ମୀପ୍ରସାଦ ଓ କ୍ରୀଦାଶପୁର କୋଭିଡ କେୟାର ହୋମ୍ ବୁଲି ଦେଖିଥିଲେ ।
କାର୍ଯ୍ୟରତ ଅଙ୍ଗୱାଡି ଓ ଆଶାକର୍ମୀମାନଙ୍କ ସହ କରୋନା ମୁକାବିଲା କୌଶଳ ବିଷୟରେ ଆଲୋଚନା କରି ରାଜସ୍ୱ କମିଶନର ସେମାନଙ୍କ ମନୋବଳ ବୃଦ୍ଧି କରିଥିଲେ । ଅନ୍ୟପକ୍ଷେ ଜିଲ୍ଲାର ଅଧିକାଂଶ ଟିଏମସି କେନ୍ଦ୍ରରେ ପ୍ରବାସୀ ଓଡ଼ିଆଙ୍କ ସଂଖ୍ୟା ଶୂନ୍ ରହିଥିବାରୁ ସେଗୁଡ଼ିକୁ ବନ୍ଦ କରି ଦିଆଯିବା ଆର୍ଡିସି ପ୍ରକାଶ କରିଥିଲେ । ତା’ ସ୍ଥାନରେ ୪ ଓ ୫ଟି ଗାଁ କୁ ନେଇ ଗୋଟିଏ କ୍ଲଷ୍ଟର ଟିଏମ୍ସି ପ୍ରତିଷ୍ଠା କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଆର୍ଡିସିଙ୍କ ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ ସମୟରେ ଜିଲ୍ଲାପାଳ ଡ. ପୋମା ଟୁଡ଼ୁ, ଜିଲ୍ଲା କୋଭିଡ ପରିଚାଳନା ଅଧିକାରୀ ଧନରାଜ ଏଚ୍ ଡି, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ରଂଜିତା ବିଶ୍ୱାଳ ଆଦି ଅନ୍ୟ କେତେକ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ ।
